ପୃଷ୍ଠା:Ama Deha (BB Patnaik 1940) o.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨
ଆମ ଦେହ

ଏହି ସନ୍ଧିମାନଙ୍କ ମଧ୍ୟରୁ ଅନେକ ସନ୍ଧି ସଦାବେଳେ ଚଳ ବିଚଳ ହୁଅନ୍ତି । ଚକ ଭଲଭାବରେ ଗଡ଼ିବା ପାଇଁ ଏବଂ ଅଖ ଘୋରି ନ ହେବା ପାଇଁ ଅଖରେ ଯେପରି ତେଲ ଦିଆଯାଏ, ସେହିପରି ଏହିସବୁ ଚଳନ୍ତି ସନ୍ଧିମାନଙ୍କରେ ଆପେ ଆପେ ତେଲ ଲାଗିବାର ବନ୍ଦୋବସ୍ତ ଅଛି । ଗଣ୍ଠି ଜାଗାରେ ଗୋଟିଏ ଗୋଟିଏ ଛୋଟ ଥଳି ଅଛି । ତା ଭିତରେ ଏକପ୍ରକାର ତେଲିଆ ଜିନିଷ ଥାଏ । ତାହା ଗଣ୍ଠିରେ ଲାଗେ ।

ହାଡ଼ ଭାରି ଜିନିଷ, ସହଜରେ ଭାଙ୍ଗେ ନାହିଁ । ପଡ଼ିଆରେ ପଡ଼ିଥିବା ହାଡ଼ ଦେଖି ମନେ ହୁଏ ଯେ, ତାହା ସଙ୍ଗେ ମାଂସର କିଛି ସମ୍ପର୍କ ନାହିଁ; କିନ୍ତୁ ପ୍ରକୃତରେ ତାହା ନୁହେଁ । ଦେହ ବଢ଼ିବା ସଙ୍ଗେ ସଙ୍ଗେ ଏହା ବଢ଼େ । ଏଥି ଭିତରକୁ ରକ୍ତ ଯିବା ଆସିବା କରେ । ସେହି ରକ୍ତରୁ ସାର ନେଇ ହାଡ଼ ବଡ଼େ । ପିଲାଦିନ ହାଡ଼ ବଢ଼ିବା ବେଳ ।

ପିଲାଦିନେ ହାଡ଼ସକୁ ଅପେକ୍ଷାକୃତ ନରମ ଥାଏ, କିନ୍ତୁ ବଡ଼ ହେବା ସଙ୍ଗେ ସଙ୍ଗେ ତାହା ଟାଣ ହୁଏ; ଏ ହେତୁରୁ ପିଲାଏ ଥରକୁ ଥର ପଡ଼ିଗଲେ ସୁଦ୍ଧା ହାଡ଼ ସହଜରେ ଭାଙ୍ଗେ ନାହିଁ, କିନ୍ତୁ ବଡ଼ଦିନେ ଏହା ସହଜରେ ଭାଙ୍ଗିଯାଏ । ପିଲାଦିନେ ହାଡ଼ ନରମ ଥିବାରୁ ତାକୁ ଯେପରି ଆକାର ଦିଆଯାଏ, ତାହା ପରେ ସେହିପରି ହୁଏ । ଲୋକେ ଯେ କୁଜା ହୋଇଯାନ୍ତି ତାର କାରଣ ହେଉଛି ସେମାନଙ୍କର ପିଲାଦିନେ ବରାବର କୁଜା ହୋଇ ବସିବାର ବଦଖୋଇ ଥାଏ । ଏହି ହେତୁରୁ କେବେ ହେଲେ କୁଜା ହୋଇ ବସିବ ନାହିଁ । ବେଞ୍ଚରେ ହେଉ କିମ୍ବା ତଳେ ହେଉ, ସିଧା ସଳଖ ହୋଇ ବସିବ ।