ପୃଷ୍ଠା:Ama Deha (BB Patnaik 1940) o.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪
ଆମ ଦେହ

ଭିତରକୁ ମଧ୍ୟ ନାଡ଼ୀ ଯାଇଅଛି । ନାଡ଼ୀ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ପ୍ରତ୍ୟେକ ପେଶୀସୂତ୍ରରେ ପହଞ୍ଚିଅଛି ।

ଆମେ ଯେତେ ଯାହା କରି ପାରୁଁ, ତାହା ଏହି ମାଂସପେଶୀର କାମ । ଦଉଡ଼ିବା, ଚାଲିବା, ଧରିବା ହାତ ଗୋଡ଼ ଉଠାଇବା, ଚୋବାଇବା, ହସିବା, ଖତେଇ ହେବା, କାଶିବା, ଛିଙ୍କିବା ଓ କହିବା ଆଦି ସବୁ ଏହି ମାଂସପେଶୀଦ୍ୱାରା ହୁଏ । ଏହା ଛଡ଼ା ଏହି ମାଂସପେଶୀ ଦ୍ୱାରା ହୃଦ୍‌ଯନ୍ତ୍ର ଚଳୁଛି, ଫୁସ୍‌ଫୁସ୍ କାମ କରୁଛି, ଖାଦ୍ୟ ଜୀର୍ଣ୍ଣ ହେଉଛି ଇତ୍ୟାଦି । କାର୍ଯ୍ୟ ଅନୁସାରେ ପେଶୀ ଦୁଇ ପ୍ରକାର । ହାତ ଉଠାଇବା, କଥା କହିବା ଇତ୍ୟାଦି ଯେତେ ଯେତେ କାମ ଅମେ ଜାଣି ଶୁଣି କରୁଁ, ସେଥିପାଇଁ ଯେଉଁ ଯେଉଁ ପେଶୀ ଦରକାର, ସେମାନଙ୍କୁ ଇଚ୍ଛାନୁଗ ବା ଐଚ୍ଛିକ (Voluntary Muscles) ପେଶୀ କହନ୍ତି । ଏମାନେ ଅମ ଇଛାନୁସାରେ କାମ କରନ୍ତି । ପ୍ରାୟ ସମସ୍ତ ଇଚ୍ଛାନୁଗ ପେଶୀ କୌଣସି ନା କୌଣସି ହାଡ଼ ସଙ୍ଗେ ଲାଗିଥିବାର ଦେଖାଯାଏ । ଏହି ପେଶୀ ଛଡ଼ା ଯେଉଁମାନେ ଅମେ ଇଚ୍ଛାରେ ଚଳନ୍ତି ନାହିଁ, ସେମାନଙ୍କୁ ସ୍ୱାଧିନ ପେଶୀ (Involuntary Muscles) କହନ୍ତି । ହୃଦଯନ୍ତ୍ର ଚଳିବା, ରକ୍ତ ଚଳିବା, ଖାଦ୍ୟ ଜୀର୍ଣ୍ଣ ହେବା ଆଦି ଆମ ଇଚ୍ଛାଧୀନ ନୁହେ । ଏଥିପାଇଁ ଯେଉଁ ଯେଉଁ ମାଂସପେଶୀ ଲୋଡ଼ା, ତାହା ସ୍ୱାଧୀନ ପେଶୀ ।

କୌଣସି ଗୋଟାଏ କାମ କରିବାକୁ ଇଚ୍ଛା ହେଲେ ମସ୍ତିଷ୍କ ନାଡ଼ୀଦ୍ୱାରା ଆଦେଶ ପଠାଏ ଏବଂ ସେହି ଆଦେଶ ଅନୁସାରେ ମାଂସପେଶୀ ସଙ୍କୁଚିତ କିମ୍ବା ପ୍ରସାରିତ ହୋଇ ନିର୍ଦ୍ଦିଷ୍ଟ କାମ କରେ । ମାଂସପେଶୀର ପ୍ରତ୍ୟେକ ପେଶୀସୂତ୍ର ସଙ୍କୁଚିତ ହେବାରୁ ସମସ୍ତ ପେଶୀ ସଙ୍କୁଚିତ ହୋଇଯାଏ । ଗୋଟାଏ କୌଣସି ଜିନିଷ, ଉଠାଇଲା