ପୃଷ୍ଠା:Ama Deha (BB Patnaik 1940) o.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୨
ଆମ ଦେହ

ଦାନ୍ତ ଢେଙ୍କି ପରି କାମ କରେ, ଆଉ ଜିଭ ସୁଙ୍ଖେଇ ଦିଏ । ଟିକିଏ ଖଦଡ଼ା ରହିଲେ ଜିଭ ତାହା ଜାଣି ପାରି ପୁଣି ଚୂନା ହେବା ପାଇଁ ଦାନ୍ତ ଉପରକୁ ଠେଲିଦିଏ । ସ୍ୱାଦ ବାରିବା କ୍ଷମତା ଜିଭର ଅଛି; ତେଣୁ କିଛି ଖରାପ ଜିନିଷ ଦେଖିଲେ ତାକୁ ଥୁ ଥୁ କରି ଫିଙ୍ଗି ଦିଏ ।

ଦାନ୍ତଦ୍ୱାରା ଖାଦ୍ୟ ଚୂନା ହେବା ସଙ୍ଗେ ସଙ୍ଗେ ତାହା ଏକପ୍ରକାର ଲାଲ ସଙ୍ଗେ ମିଶି ପିଠଉ ପରି ହୋଇଯିବାରୁ ସହଜରେ ଗିଳି ହୋଇଯାଏ; ଆଉ ଏହି ଲାଳ ଖାଦ୍ୟ ସଙ୍ଗେ ମିଶି ତ‌ହିଁରେ ଥିବା ଚିନିଜାତୀୟ ଖାଦ୍ୟକୁ କେତେକ ପରିମାଣରେ ବଦଳାଇ ଦିଏ ।

ଆମ ଦେହରେ କେତେଗୁଡ଼ିଏ ଯନ୍ତ୍ର ଅଛି, ତାକୁ ଗ୍ରନ୍ଥି ( Glands ) କହନ୍ତି । ରକ୍ତରୁ ଭିନ୍ନ ଭିନ୍ନ ପ୍ରକାର ଉପାଦାନ ନେଇ ଏମାନେ ଭିନ୍ନ ଭିନ୍ନ ପ୍ରକାର ରସ ତିଆରି କରନ୍ତି । ଏହି ରସ ଭିତରୁ କେତେକ ଆମ ଉପକାରରେ ଲାଗେ, ଆଉ କେତେକ ଦେହ ପକ୍ଷରେ ଅପକାରୀ, ତେଣୁ ତାହା ମଇଳାରୂପରେ ବାହାରି ଯାଏ । ଯେଉଁ ଗ୍ରନ୍ଥି ଉପକାରୀ ରସ ତିଆରି କରେ, ତାକୁ ସେଚକ ଗ୍ରନ୍ଥି (Secreting Gland) ଓ ଯାହା ଅପବାରୀ ମଇଳା ବାହାର କରିଦିଏ, ତାକୁ ରେଚକ ଗ୍ରନ୍ଥି (Excreting Gland) କ‌ହନ୍ତି । ପାଟି ଭିତର ଲାଳ ତିଆରି ହେବା ପାଇଁ କାନ ମୂଳରେ, ଜିଭ ତଳେ ଓ ତଳପାଟି କଣରେ ଯୋଡ଼ିଏ ଲେଖାଏଁ ମୋଟରେ ତିନି ଯୋଡ଼ା ସେଚକ ଗ୍ରନ୍ଥି ଅଛି । ଏଥିରେ ଲାଳ ତିଆରି ହୋଇ ଛୋଟ ଛୋଟ ନଳିବାଟେ ଆସି ପାଟିରେ ଖାଦ୍ୟ ସଙ୍ଗେ ମିଶେ ।