ପୃଷ୍ଠା:Ama Deha (BB Patnaik 1940) o.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୩
ଆମ ଦେହ

ଅଥଚ ଆମେ ପୋଡ଼ିଯାଉ ନାହୁଁ, ଏ କଥା ବଡ଼ ଆଶ୍ଚର୍ଯ୍ୟ ଲାଗି ପାରେ, କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାଠ ପତରରେ ନିଆଁ ଲାଗିଲେ ତାହା ଯେପରି ପୋଡେ ଦେହ ଭିତରେ ସେପରି କିଛି ହୁଏ ନାହିଁ । ଆସ୍ତେ ଆସ୍ତେ ଦଗ୍ଧ ହୋଇ ଉତ୍ତାପମାତ୍ର ଜନ୍ମେ, ଏ ହେତୁରୁ ଯେତିକି ଉତ୍ତାପ ଦରକାର, ସେତିକି ବାହାରେ । ପୋଡ଼ିଗଲା ଭଳି ଉତ୍ତାପ ବାହାରେ ନାହିଁ । କୌଣସି ଜିନିଷ ଦଗ୍ଧ ହେବାପାଇଁ ଅମ୍ଳଜାନ ନିତାନ୍ତ ଦରକାର । ବିନା ଅମ୍ଳଜାନରେ କିଛି ଜଳିବ ନାହିଁ କି ଯୋଡ଼ିବ ନାହିଁ । ରକ୍ତ ଯେଉଁ ଅମ୍ଳଜାନ ନେଇଯାଏ, ତାହା ଯୋଗେ ଦେହ ଭିତରେ ଦଗ୍ଧ ହୁଏ; ନ ହେଲେ ଦଗ୍ଧ ହୁଅନ୍ତା ନାହିଁ । ଦ‌ଗ୍ଧହେବା ପାଇଁ ଅଙ୍ଗାର ଦରକାର । ଚିନି ଓ ତେଲ ଜାତୀୟ ଖାଦ୍ୟରୁ ଦେହ ଅଙ୍ଗାର ପାଏ ଓ ତାହା ଅମ୍ଳଜାନ ସଙ୍ଗେ ମିଶି ଦଗ୍ଧ ହୁଏ । ଫଳରେ ଅଙ୍ଗାରକାମ୍ଳ ଜାତ ହୁଏ । ଏହିପର ରକ୍ତରେ ଥିବା ଅମ୍ଳଜାନ ଓ ଖାଦ୍ୟର ଅଙ୍ଗୀର ଖର୍ଚ୍ଚ ହୋଇଯାଏ ଓ ଅଙ୍ଗାରକାମ୍ଳ ବାହାରି ରକ୍ତକୁ ମଇଳା କରି ଦିଏ । ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବାଷ୍ପ ରକ୍ତରେ ବାଷ୍ପୀୟ ଆକାରରେ ନ ଥାନ୍ତି । ଏମାନେ ରକ୍ତ ଦେହରେ ମିଳି ଯାଇ ରହିଥାନ୍ତି ।

ରେଲଗାଡ଼ିର ଇଞ୍ଜିନ କୋଇଲା ଓ ପାଣିରେ ଚଳେ । କୋଇଲା ଜଳିବାରୁ ତ‌ହିଁରୁ ଉତ୍ତାପ ବାହାରେ । ଏହି ଉତ୍ତାପ ଯୋଗେ ପାଣି ଫୁଟି ବାମ୍ଫ ବାହାରେ ଓ ବାମ୍ଫରେ ଇଞ୍ଜିନ୍ ଚଳେ । ସେହିପରି ଆମ ଦେହ ଭିତରେ ଖାଦ୍ୟର ଅଙ୍ଗାରଭାଗ ଅମ୍ଳଜାନ ସଙ୍ଗେ ମିଶି ଦ‌ଗ୍‌ଧ ହେବାରୁ ଫଳରେ ଆମେ ଉତ୍ତାପ ଓ କାର୍ଯ୍ୟ କରିବାକୁ ବଳ ପାଉଁ । ରେଳ ଇଞ୍ଜିନ୍ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଁ, କିନ୍ତୁ ଆମ ଦେହଭିତରେ ପ୍ରତ୍ୟେକ ତନ୍ତୁର