ପୃଷ୍ଠା:Ama Deha (BB Patnaik 1940) o.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନାଡ଼ୀ ତନ୍ତ୍ର
(Nervous System)

ଦେହଘରେ ଥିବା ବଡ଼ ବଡ଼ କେତେକ କଳକବ୍ଜା ଓ ସେମାନଙ୍କ କାର୍ଯ୍ୟ ବିଷୟରେ କେତେକ କଥା କୁହାଗଲା । ଦେହରେ ଏହିପରି ଯେତେ ଯେତେ କଳକବ୍ଜା ଅଛି, ସେ ସବୁ ଯେ ଆପେ ଆପେ ଚଳେ, ତାହା ନୁହେ । ଏହା ଚଳାଇବାକୁ ଆଉ ଗୋଟାଏ ଅତି ବଡ଼ ଜଟିଳ କଳ ଅଛି । ଏହା ଦେହର ପ୍ରତ୍ୟେକ ଅଂଶକୁ ନିଜ ଆୟତ୍ତରେ ରଖି କେଉଁଠା କିପରି ଭାବରେ ଚଳିବ, ତାହାର ବନ୍ଦୋବସ୍ତ କରି ତାକୁ ଚଳାଉଅଛି । ଏହି ଜଟିଳ କଳର ନାମ ନାଡ଼ୀତନ୍ତ୍ର (Nervous System) । ଆମ ଦେହରେ ଟେଲିଗ୍ରାଫ ପରି ଯେଉଁ ତାର ଥିବା କଥା ଆଗରୁ କୁହାଯାଇଅଛି, ତାହା ଏହି କଳର ଅନ୍ତର୍ଗତ । ଏହି କଳ ସାହାଯ୍ୟରେ ଦେହ‌ର କେଉଁଠାରେ କଣ ହେଉଅଛି, ତା ଆମେ ଜାଣି ପାରୁଁ, ଚିନ୍ତା କରି ପାରୁଁ, ବିଚାର କରି ପାରୁଁ, ଭାବି ପାରୁଁ, ମନେ ରଖି ପାରୁଁ, କେତେବେଳେ କଣ କରିବାକୁ ହେବ ତାହା ଠିକ୍ କରି ପାରୁଁ । ଏହିପରି ପ୍ରତ୍ୟେକ କଥା ଏହାରି ଦ୍ୱାରା ହୁଏ । କ‌ହିବାକୁ ଗଲେ ଏ ହେଲା ଦେହର କେନ୍ଦ୍ର ।

ନାଡ଼ୀତନ୍ତ୍ର ଦୁଇଭାଗରେ ଭାଗ କରାଯାଇ ପାରେ -ମସ୍ତିଷ୍କ (Brain) ଓ ନାଡ଼ୀ (Nerves) ।

ମସ୍ତିଷ୍କ (Brain)-ମସ୍ତିଷ୍କକୁ କଥାରେ ମୁଣ୍ଡଭିତର ଦହି କହନ୍ତି । ଏହା ଦେଖିବାକୁ ଗୋଟିଏ ବେଲପରି ସତ, କିନ୍ତୁ