ପୃଷ୍ଠା:Ama Deha (BB Patnaik 1940) o.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୯
ଆମ ଦେହ

ଏହି ସ୍ୱତନ୍ତ୍ର ନାଡ଼ୀତନ୍ତ୍ରର କେନ୍ଦ୍ର ଅନୁମସ୍ତିଷ୍କରେ ରହିଅଛି । ସହସ୍ରାରର ବିଶ୍ରାମ ଅଛି, କିନ୍ତୁ ଅନୁମସ୍ତିଷ୍ମର ବିଶ୍ରାମ ନାହିଁ, କାରଣ ଏହା ଯେଉଁ ସବୁ ଯନ୍ତ୍ରକଥା ବୁଝେ, ସେମାନଙ୍କର କେତେବେଳେ ହେଲେ ବିଶ୍ରାମ ନାହିଁ ।

ଆମେ ଦଉଡ଼ିଲା ବେଳେ ଆମ ଗୋଡ଼ର ସମୁଦାୟ ମାଂସପେଶୀ ସଂଯତ ଭାବରେ ପଡୁଥିବାରୁ ଗୋଡ଼ ଯଥା ସ୍ଥାନରେ ପଡ଼ୁଅଛି ଏବଂ ଆମେ ପଡ଼ିଯାଉ ନାହିଁ । ଚାଲିବା, ବୁଲିବା, ଦୌଡିବା ଆଦି ସବୁ କାର୍ଯ୍ୟରେ ଏହିପରି ସଂଯମ ଓ ଶୃଙ୍ଖଳା ଦେଖାଯାଏ । ସଂଯତଭାବରେ କାର୍ଯ୍ୟ କରାଇବା ମଧ୍ୟ ଅନୁମସ୍ତିଷ୍କର କାର୍ଯ୍ୟ ।

ସୁଷୁମ୍ନା କାଣ୍ଡ ଦେହରେ ନାଡ଼ୀଖିଅ ଛଡ଼ା କେତେକ ନାଡ଼ୀକୋଷ ମଧ୍ୟ ରହିଅଛି । ଏହି କୋଷରୁ ଚାରି ଆଡ଼କୁ ନାଡ଼ୀ ଯାଇଅଛି । ଏହା ଦ୍ୱାରା ଦେହର କେତେକ ଛୋଟ ଛୋଟ କାର୍ଯ୍ୟ ସାଧିତ ହୁଏ । ନିଦରେ ଶୋଇଥିବା ବେଳେ ଯଦି କେହି କଣ୍ଟାଟାଏ ନେଇ ତଳିପାରେ ସଲ ସଲ କରେ, ତାହା ଜଣାଯାଏ ନାହଁ ସତ, କିନ୍ତୁ ଗୋଡ଼ଟା ଆପେ ଆପେ ଘୁଞ୍ଚିଆସେ । ଏହା ସେହି ନାଡ଼ୀକୋଷର କାର୍ଯ୍ୟ ।

ସୁଷୁମ୍ନା ନାଡ଼ୀକାଣ୍ଡ ମଧ୍ୟରେ ଥିବା ଆଉ କେତେକ ନାଡ଼ୀକୋଷ ହଗିବା, ମୂତିବା ଆଦି କଥା ବୁଝନ୍ତି । ଏହି ସବୁ କାର୍ଯ୍ୟ ଉପରେ ମସ୍ତିଷ୍କର ଯେ ଏକାବେଳକେ ଅଧିକାର ନାହିଁ ତାହା ନୁହେ, ଆମେ ଇଚ୍ଛା କରି ମଧ୍ୟ ହଗିବା ମୂତିବା କିଛି ସମୟ ବନ୍ଦ କରି ପାରୁଁ । ଏହି କାର୍ଯ୍ୟ ମସ୍ତିଷ୍କଦ୍ୱାରା ହୁଏ । ସମସ୍ତ ନାଡ଼ୀତନ୍ତ୍ର ଉପରେ ମସ୍ତିଷ୍କର ଅଧିକାର ଅଛି ।