ପୃଷ୍ଠା:Amari matir amar shaheed.pdf/୧୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୧୫ )

ପାବନୀ ଗଙ୍ଗା ଯମୁନା ସଙ୍ଗେ
ସିନ୍ଧୁ ମହାନଦୀ କାବେରୀ ରଙ୍ଗେ
ପ୍ଲାବିତ ଭୁବନ, ସୁରଧୂନୀ ଶୋଭନ,
 ସୂଚିତ ସ୍ୱାଧୀନରେ....

ଜାତୀୟତାଭରା ଗୀତ ଗାଇ ଗାଇ ସେ ଖାଲି ଇରମ ଗାଁ କିମ୍ବା ସେଇ ଅଞ୍ଚଳରେ ନୁହେଁ, ସାରା ଓଡ଼ିଶାରେ ଜାତୀୟ କବି ଭାବରେ ପରିଚିତ ଥିଲେ । ସଭାସମିତିରେ, ମେଳା ମଉଚ୍ଛବରେ ସେ ଏପରି ଗୀତ ଗାଇ ଲୋକଙ୍କ ଭିତରେ ଜାଗରଣ ଆଣୁଥିଲେ । ସାଙ୍ଗେ ସାଙ୍ଗେ ଗୀତ ଲେଖି ବାଟେଘାଟେ ଗାଉଥିଲେ ବୋଲି ତାଙ୍କୁ ମଧ୍ୟ ଚାରଣ କବି କୁହାଯାଉଥିଲା । ତାଙ୍କର ଗୀତ ସବୁରି ମନ‌କୁ ଯେମିତି ପାଉଥିଲା, ସବୁରି ପ୍ରାଣକୁ ଜାତୀୟତା ଭାବରେ ସେମିତି ରସାଇ ଦେଉଥିଲା । ତାଙ୍କର ଗୋଟିଏ ଦେଶବନ୍ଦନା ଗୀତ ହେଲା ..

ଧନ-ଜନ-ଯୁକ୍ତା ଭାରତ ମାତା
 ନମୋ ନମୋ ଜନନୀ ଶ୍ରୀଚରଣେ !
ସନ୍ତାନ ବନ୍ଦେ ପ୍ରେମାନନ୍ଦେ,
 ଯା' ଚିତ୍ତ କରୁଣା ମା' ଶରଣେ ।
ବନ୍ଧନେ ଅନ୍ତର କାତର ଅତି,
ମୁକତି କାମେ ଆମେ ଦେଇଛୁ ମତି
 ଚାହାଁ ସନ୍ତାନ ସନ୍ତ‌ତି ସଞ୍ଚରଣେ ।
 ନମୋ ନମୋ ଜନନୀ ଶ୍ରୀଚରଣେ ।

ବାଞ୍ଚାନିଧିଙ୍କର ଗୀତରେ କି କାଉଁରୀ ଶକ୍ତି ଥିଲା କେଜାଣି, ଚାଲିଯିବା ଲୋକ ଠିଆହୋଇ ଶୁଣୁଥିଲା । ନିରୀହ ଡରକୁଳା ମଣିଷଙ୍କୁ ବି ଦେଶମାତା ପାଇଁ ଜୀବନ ଦେବାକୁ ଜଗାଇ ଦେଉଥିଲା । ଖଦି ଲୁଗା ପିନ୍ଧିବା ପାଇଁ ଗାନ୍ଧିଜୀଙ୍କର ଡାକରାକୁ ସେ ଗାଏଁ ଗାଏଁ, ଘରେ ଘରେ ପ‌ହ‌ଞ୍ଚାଇ ପାରିଥିଲେ ତାଙ୍କ କବିତା ବଳରେ । ସେ ସଭା ସମିତିରେ, ବଜାର ହାଟରେ ବୁଲି ବୁଲି ଗାଉଥିଲେ --

ଖଦି ପିନ୍ଧିବି ମୁଁ ସେ ଯେତେ ମୋଟା ହେଉ
ହସିବ ଦେଖି ଯେ ମୋତେ ହସୁଥାଉ ।
 ମୋ ଦେଶ ତିଆରି ଧନ କରିବି ଅତି ଯତନ
 ଆଦରେ କିଣିବି ଯେତେ ଦର ହେଉ ।