ପୃଷ୍ଠା:Amari matir amar shaheed.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୧୬ )

ଗାଁ ମାଟିର ଦୀନଦରିଦ୍ର ରୁପକୁ ଦେଖାଇ ସେ ଏଥି ପାଇଁ ଫିରିଙ୍ଗ ସରକାର‌କୁ ଦାୟୀ କରୁଥିଲେ । ଲୋକଙ୍କ ଦୁଃଖଦୁର୍ଦ୍ଦଶା ନିଜେ ହାଡ଼େ ହାଡ଼େ ଅନୁଭବ କରିଥିଲେ ଆ‌ଉ ତାକୁ ଅତି ଆନ୍ତରିକତାର ସ‌ହିତ ତାଙ୍କ କବିତାରେ ପ୍ରକାଶ କରିଥିଲେ । ସେଥିରୁ ଗୋଟିଏ ପଦ ହେଲା -

 କାହୁଁ ଅଇଲେ ବିଦେଶରୁ ବେପାରୀ
 ସବୁ ସାଇଲେ ଆମେ ହେଲୁ ଭିକାରୀ ।

ଆମ ସମାଜରେ ଯେତେ ଦୋଷତ୍ରୁଟି ରହିଥିଲା ବା ଏବେ ଅଛି, ତାଙ୍କୁ ସେ ଗୋଟି ଗୋଟି କରି ଲୋକ‌ଙ୍କୁ ଦେଖାଇ ଦେଇଥିଲେ । ମନ‌କୁ ଛୁଇଁଲା ଭଳି ଭାଷାରେ ସେ ଦୁଃଖଦରଦ ଭରା ଭାବ ଫୁଟାଇ ଲୋକମାନଙ୍କୁ ବୁଝାଇ ଦେଉଥିଲେ । ଜାତିଭେଦ, ମହାଜନି ଅତ୍ୟାଚାର, ସ୍ତ୍ରୀଜାତି ପ୍ରତି ଅବ‌ହେଳା କୌଣସିଟି ତାଙ୍କ କବିତାରୁ ବାଦ ଯାଇ ନ ଥିଲା । ସେ ଏମିତିକି ଏଥି ପାଇଁ ନିଜେ ଗୋଟିଏ ଥିଏଟର୍ ଦଳ ଗଢ଼ିଥିଲେ । ପାଲା, ଯାତ୍ରା, ଦାସକାଠିଆ ଦଳ ତାଙ୍କଠାରୁ ଏଇ କବିତା ମାନ ନେଇ ଗାଏଁ ଗାଏଁ ବୋଲୁଥିଲେ । ତାଙ୍କ କବିତାମାନ ଶୁଣି କାହାରି ଦେହରେ ଛୁଞ୍ଚି ଗଳି ଯା‌ଉଥିଲା ତ କାହାର ପଥର ପରି ମନ‌କୁ ତରଳାଇ ଦେଉଥିଲା । କାହାର ମନ ସମାଜର ଦୋଷ ଦେଖି ଛି ଛି କରୁଥିଲା ତ କାହାର ହୃଦୟ ସ‌ହାନୁଭୂତିରେ ଜରସର ହୋଇ ଯା‌ଉଥିଲା ।

କିନ୍ତୁ ହାୟ ସେ ମାତ୍ର ୪୧ଟି ବର୍ଷ ବଞ୍ଚିଥିଲେ । ଏତିକି ସମୟରେ ସେ କେତେ କାମ କରି ଯାଇଛନ୍ତି ସତେ ! ୧୮୯୭ ମସିହା ଏପ୍ରିଲ ମାସ ୨୦ ତାରିଖରେ ତାଙ୍କର ଜନ୍ମ । ୧୯୩୮ ମସିହା ଏପ୍ରିଲ ମାସ ୧୯ ତାରିଖରେ ତାଙ୍କର ମୃତ୍ୟୁ । ପୁଣି ବସନ୍ତ ରୋଗରେ, ଯାହା ସେତେବେଳେ ଥିଲା ମହାମାରୀ କିନ୍ତୁ ଏବେ ସେ ରୋଗକୁ ଆଜି ଦେଖାଇଦେଲେ ପୁରସ୍କାର ମିଳିବ ବୋଲି କୁହା ଯା‌ଉଛି । ସେତେବେଳେ ଏଇ ସବୁ ରୋଗରେ ପୋକମାଛି ପରି ଲୋକେ ମରୁଥିଲେ । ବାଞ୍ଚାନିଧି ଅଧିକାଂଶ ସମୟ ଭଦ୍ରକରେ କଟାଇଥିଲେ ଆଉ ସ୍ୱାଧିନତା ଆନ୍ଦୋଲନ ପାଇଁ ନିଜ ଜୀବନ‌କୁ ପାଣି ଛଡ଼ାଇ ଦେଇଥିଲେ । ଜାତୀୟକବି ବାଞ୍ଚାନିଧି ସ୍ୱାଧିନତା ଆନ୍ଦୋଲନର ଜଣେ ଟାଣୁଆ କର୍ମୀ । ଜଣେ ନେତା ଭାବରେ ସେ ବି କାମ କରିଥିଲେ । ସଭାସମିତିରେ