ପୃଷ୍ଠା:Amari matir amar shaheed.pdf/୨୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


(୧୯)

ଗୋପବନ୍ଧୁ, ବାଞ୍ଚାନିଧି ପ୍ରଭୃତି ନେତାମାନଙ୍କ କଥା ଶୁଣାଉଥିଲେ । ସେଠାରେ ପୋଲିସମାନେ ପହଞ୍ଚି ଆଗେ ଶୁନ୍ୟକୁ ଗୁଳି ଆବାଜ କଲେ । ଲୋକମାନଙ୍କୁ ହୁରୁଡ଼େଇ ଦେବା ଏହାର ଉଦ୍ଦେଶ୍ୟ ଥିଲା । କିନ୍ତୁ ଲୋକମାନେ ଏଥିରେ ଡରି ନଯାଇ ଆହୁରି ବେଶୀ ସଂଖ୍ୟାରେ ସେଠାରେ ପହଞ୍ଚିଲେ ଆଉ ବକ୍ତାମାନେ ଅଧିକ ଜୋରରେ ବକ୍ତୃତା ଦେଲେ ।

କ୍ରମେ ସଭାସ୍ଥଳ ସରଗରମ ହୋଇ ଉଠିଲା । ସେଠାକୁ ପଡ଼ିଥିବା ତିନୋଟି ରାସ୍ତାମୁଣ୍ଡରେ ରହି ପୋଲିସମାନେ ଗୁଳିବର୍ଷା କଲେ । ଗଡ଼ୁମ୍ ଗୁଡ଼ୁମ୍ ବନ୍ଧୁକ ଶବ୍ଦରେ ଆକାଶ ପୃଥିବୀ କମ୍ପି ଉଠିଲା । ଏହା ଫଳରେ ଲୋକେ ଆଉ ମେଳଣ ପଡ଼ିଆକୁ ଯାଇ ଆସି ପାରିଲେ ନାହିଁ । ସବୁ ବାଟ ବନ୍ଦ ହୋଇଗଲା । ଗୁଳି ମାଡ଼ରେ ବହୁ ନିରୀହ ଲୋକ ଟଳି ପଡ଼ିଲେ । ହାତରୁ ସେମାନଙ୍କର ଖସି ପଡ଼ିଲା କେତେ ତ୍ରିରଙ୍ଗା ପତାକା । ଅନ୍ୟମାନଙ୍କ ତୁଣ୍ଡରେ ସେହିପରି ଶୁଭିଲା- ମାହାତ୍ମା ଗାନ୍ଧୀ କି ଜୟ । ଗୋପବନ୍ଧୁକୀ ଜୟ, ବନ୍ଦେ ମାତରମ୍, ଇନକିଲାବ ଜିନ୍ଦାବାଦ୍ ! ପୁଣି ହେଲା ଗୁଳିବର୍ଷା ଗୁଡ଼ୁମ୍, ଗୁଡ଼ୁମ୍, ଗୁଡ଼ୁମ୍ ।

ମେଳଣ ପଡ଼ିଆରେ ଛୁଟିଲା ରକ୍ତରେ ନ‌ଦୀ । ଶାଗୁଆ ଘାସ ଉପରେ ଦିଶିଲା ଲାଲ ରକ୍ତର ଦାଗ । କୁଢ଼ କୁଢ଼ ଶବର ଗଦା, ଆହତମାନଙ୍କର କରୁଣ କାନ୍ଦକଟା, ହଟ୍ଟଗୋଳରେ ଚଉଦିଗ ଉଚ୍ଛୁଳି ପଡ଼ିଲା । ପୁଣି ସବୁ ଶୂନଶାନ୍ । ମାଡ଼ି ଆସିଲା ରାତି । ଘୋଟି ଆସିଲା କଳାକିଟିକିଟି ଅନ୍ଧାର । ଦିଶିଲା ନାହିଁ ମୁହଁକୁ ମୁହଁ । କି ଭୟାଭହ ଅବସ୍ଥା ସତେ !

ଆମ୍ବତୋଟାର ଅମା ଅନ୍ଧାର ଭିତରେ ଦିଶିଲା ମିଞ୍ଜି ମିଞ୍ଜି କେତୋଟି ଲଣ୍ଠନର ଆଲୁଅ । ଶବଗୁଡ଼ିକ ମଧ୍ୟରେ ଦେଖାଗଲା ଗୋଟିଏ ତେର ଚଉଦ ବର୍ଷର ପିଲାର ଶବ । ସେଇ ପିଲାଟିର ନାଁ ବିଜୁଳି । ତା ପାଖରେ ପଡ଼ିଥିଲା ଗୋଟିଏ ତ୍ରିରଙ୍ଗା ପତାକା । ରକ୍ତରେ ତାହା ଜଡ଼ସଡ଼ ହୋଇ ଯାଇଥିଲା । ଜାତି ପାଇଁ ସେଇ କଅଁଳ ମନର ପିଲାଟି ମଧ୍ୟ ଶହୀଦ ହୋଇ ଯାଇଥିଲା । ତାର ପ୍ରିୟ ମାଟି ମାଆକୁ ଦେଇଥିଲା ରକ୍ତର ଶ୍ରଦ୍ଧାଞ୍ଜାଳି । ବିଜୁଳି ତାର ନାମ ଅନୁସାରେ ସବୁରିଙ୍କୁ ଆଲୁଅ ଦେଇ ନିଜେ ଅନ୍ଧାରରେ ହଜିଯାଇଥିଲା ।