ପୃଷ୍ଠା:Amari matir amar shaheed.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୪୨ )

କରି ଦେଶମାତାକୁ ସ୍ୱାଧୀନ କରିବାକୁ ଜୀବନ ଦେବେ ବୋଲି ଶପଥ ନେଲେ ।

୧୯୪୪ ମସିହା ଫେବୃୟାରୀ ୪ ତାରିଖରେ ଭାରତ ଓ ବ୍ରହ୍ମଦେଶର ସୀମାରେ ଆଜାଦ ହିନ୍ଦ୍ ଫଉଜ ପହଞ୍ଚିଥିଲା । ଏହାର ସୈନ୍ୟମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ଉନ୍ମାଦନା ଖେଳିଯାଇଥିଲା । ଏହାର ପ୍ରଧାନ ସେନାପତି ଭାବରେ ନେତାଜୀ ସୁଭାଷ ସେମାନଙ୍କୁ ଚେତାଇ ଦେଇ କହିଥିଲେ-ଦେଖ, ଆଗକୁ ଚାହଁ । ଆଗରେ ତୁମ ଦେଶର ନଦୀ ପାହାଡ,ବଣଜଙ୍ଗଲ ଠିଆ ହୋଇଛି । ଆର ପଟେ ଆମର ମାଟି ମାଆ । ଅମେ ତାର କୋଳକୁ ଫେରୁଛୁଁ । କାନଡେରି ଶୁଣ ଏଇ ମାଆ ଅମକୁ ଡାକୁଛି । ଏହାର ରାଜଧାନୀ ଦିଲ୍ଲୀ ହାତ ଠାରୁଛି । ଭାରତର ତିରିଶ କୋଟି ଭାଇ-ଭଉଣୀ ଆମକୁ ବିକଳ ସ୍ୱରରେ ଡାକ ଛାଡୁଛନ୍ତି । ହେ ବୀର ସୈନ୍ୟଗଣ, ଉଠ, ଅସ୍ତ୍ରଧର । କାମ କର ବା ଦେହ ଛାଡ, ଏଇ ମନ୍ତ୍ର ଉଚ୍ଚାରଣ କର । ଏଇ ଦୁଇଟିରୁ ଯେକୌଣସି ଗୋଟିକରେ ଆମର ଜୀବନ ଧନ୍ୟ ହେବ । ଦିଲ୍ଲୀର ପଥ, ସ୍ୱାଧୀନତାର ପଥ । ଏବେ ଚାଲ, ଦିଲ୍ଲୀ ଚାଲ ।

ଆଜାଦ୍ ହିନ୍ଦ୍ ଫଉଜର ସୈନ୍ୟ ଓ ସେନାପତିଙ୍କ ମଧ୍ୟରେ ଅପୂର୍ବ ଉନ୍ମାଦନା ଓ ଉତ୍ତେଜନା ଖେଳିଗଲା । ଦେଶମାତାକୁ ବିଦେଶୀ ଶାସନର ବେଢ଼ିବନ୍ଧନରୁ ମୁକୁଳାଇବା ପାଇଁ ପ୍ରାଣ -ଉଚ୍ଛୁଳା ଆଶା ଆଉ ଆନନ୍ଦ ! ଫଉଜ ଆଗେଇ ଚାଲିଲା । ଇଂରେଜ ସୈନ୍ୟମାନଙ୍କୁ ହଟାଇ ସେମାନେ ଅଳ୍ପ ସମୟ ମଧ୍ୟରେ ହଜାର ହଜାର କିଲୋମିଟର ଭୂଇଁ ଦଖଲ କରିଗଲେ । ଯେଉଁଠିକୁ ଗଲେ ସେଠି ଉଡିଲା ଭାରତର ତ୍ରିରଙ୍ଗ ପତାକା । ସେସବୁ ଅଞ୍ଚଳ ଆଜାଦ୍ ହିନ୍ଦ୍ ଫଉଜର ଅଧୀନକୁ ନିଆଗଲା । ସେ ହେଲା ସ୍ୱାଧୀନ ।

ଆଜାଦ୍ ହିନ୍ଦ୍ ଫଉଜର ଅପୂର୍ବ ବୀରତ୍ୱ ଓ ସଫଳତାରେ ଇଂରେଜ ସରକାର ଭୟଭୀତ ହୋଇ ପଡିଲେ । ଭାରତର ପୂର୍ବ ଅଞ୍ଚଳରେ ଇଂରେଜ ସୈନ୍ୟମାନଙ୍କ ଛାଉଣିରେ କୋକୁଆଭୟ ଖେଳିଗଲା । କୋହିମା, ଆରାକାନ୍ ଓ ମଣିପୁର ଅଞ୍ଚଳରେ ଫଉଜର ଅଧିକାର ସାବ୍ୟସ୍ତ ହୋଇଗଲା । ମଣିପୁର ରାଜଧାନୀ ଇମ୍ଫାଲକୁ ମଧ୍ୟ ଫଉଜର ସୈନ୍ୟମାନେ ଘେରାଉ କରିନେଲେ । ଇଂରେଜ ସେନାଛାଉଣିରୁ ବହୁ ଅସ୍ତ୍ରଶସ୍ତ୍ର ଓ ଖାଦ୍ୟପଦାର୍ଥ ମିଳିଗଲା ।