ପୃଷ୍ଠା:Amari matir amar shaheed.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୫୧ )

ପ୍ରାଣମୁର୍ଚ୍ଛା ଲାଗିଥାନ୍ତି । ଦୋରା ପାହାଡ଼ିଆ ଘାଟୀ ସ୍ଥାନମାନଙ୍କରେ ଜଗିରହି ଫିରିଙ୍ଗ ଫଉଜଙ୍କ ଉପରେ ପ୍ରବଳ ଆକ୍ରମଣ କରୁଥାନ୍ତି । ଅନେକ ଇଂରେଜ ସୈନ୍ୟ ମରୁଥାନ୍ତି ବା ଆହତ ହେଉଥାନ୍ତି । ଦୋରା ନିଜର ସୈନ୍ୟମାନଙ୍କ ସହ ଆଲୋଚନା କରି ନୁଆ ନୁଆ କୌଶଳ ଠିକ୍ କରୁଥାନ୍ତି । ତାଙ୍କ ପରାମର୍ଶରେ ସହକର୍ମୀ ବଳୀୟାର ସିଂହ, ଛଞ୍ଛାଣ ସିଂହ, ପାଲଟା ସିଂହ ପ୍ରଭୃତି ଲୁଚିଛପି ଫିରିଙ୍ଗ ଫଉଜଙ୍କ ଉପରେ ଆକ୍ରମଣ କରୁଥାନ୍ତି । ଇଂରେଜ ସେନାପତି ଖୁବ ବ୍ୟସ୍ତ ହୋଇ ପଡ଼ିଲେ । ଫିରିଙ୍ଗ ଫ‌ଉଜଙ୍କ ମଧ୍ୟରେ ଖାଦ୍ୟର ଅଭାବ ପଡ଼ିଲା ।

ଇଂରେଜମାନେ ବିଦ୍ରୋହ ଦମନ କରିବାକୁ ଏକ ନୂଆ ଉପାୟ ପାଞ୍ଚିଲେ । ସେମାନେ ଗାଁ ମୁଖିଆମାନଙ୍କୁ ନିଜ ଅକ୍ତିୟାରରେ ରଖିବା ପାଇଁ ଧୁଆଁପତ୍ର, ଦର୍ପଣ, ଛିଟକନା, କାଚମାଳୀ, ପୋହଳା ଆଦି ବାଣ୍ଟିଲେ । ଦୋରା ଓ ତାଙ୍କର ସ‌ହକର୍ମୀମାନଙ୍କୁ ଧରାଇ ଦେଲେ ପୁରସ୍କାଋ ଦେବେ ବୋଲି ଘୋଷଣା କଲେ । ଧନ ଲୋଭରେ କେତେକ ଦେଶଦ୍ରୋହୀ ଇଂରେଜମାନଙ୍କୁ ସାହାଯ୍ୟ କଲେ । ଘରଢିଙ୍କି କୁମ୍ଭୀର ହେଲା ।

ସେଇ ଦେଶଦ୍ରୋହୀଙ୍କ ମଧ୍ୟରେ ଶ୍ୟାମ ବିଶୋଇ ପ୍ରଧାନ । ସେ ବିଶ୍ୱାସରେ ବିଷ ଦେଇ ଅନେକ ବିଦ୍ରୋହୀଙ୍କୁ ଧରାଇ ଦେଇଥିଲେ । ଅନେକ କନ୍ଧବୀର ଇଂରେଜ ସୈନ୍ୟଙ୍କ ଗୁଳିରେ ମୃତ୍ୟୁମୁଖରେ ପଡ଼ିଲେ । କେତେକ ଜେଲ୍‌ରେ ଅଟକ ହୋଇ ରହିଲେ । ଏହା ଛଡ଼ା ପଡ଼ିଶା ରାଜ୍ୟ ଗୁଡ଼ିକର ରାଜା, ଜମିଦାରମାନେ ଇଂରେଜମାନଙ୍କର ପ୍ରିୟପାତ୍ର ହେବାପାଇଁ ବିଦ୍ରୋହୀମାନଙ୍କୁ ଧରେଇ ଦେବାରେ ସାହାଯ୍ୟ କଲେ । ଆପଣା ସୁନାଭେଣ୍ଡି ! କାହାକୁ ଆଉ କହିବା ?

ଫଳରେ ଦୋରାଙ୍କ ଦଳ ଭାଙ୍ଗି ଯିବାରେ ଲାଗିଲା । ଯେଉଁ ମନୋବଳ, ସାହସ ଓ ଦେଶପ୍ରେମର ଜଳନ୍ତା ନିଆଁ ନେଇ ସେ ସାରା ଇଂରେଜ ଶାସନକୁ ଜାଳି ପୋଡ଼ି ପାଉଁଶ କରିବାକୁ ପଣ କରିଥିଲେ, ଆମରି ଦେଶର ଲୋକମାନଙ୍କ ସଂକୀର୍ଣ୍ଣ ସ୍ୱାର୍ଥ ଓ ଈର୍ଷାଦ୍ୱେଷ ଯୋଗୁଁ ସେସବୁ ଲଭିଯିବାକୁ ବସିଲା । ସେ ଶେଷରେ ନୟାଗଡ଼ ଓ ଦଶପଲ୍ଲାର ଘନ ଜଙ୍ଗଲରେ ଘୁରି ବୁଲିଲେ କେତେ ବର୍ଷପାଇଁ ।