ପୃଷ୍ଠା:Amari matir amar shaheed.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୫୬ )

ଇଂରେଜମାନଙ୍କର ଅତ୍ୟାଚାରକୁ ସେମାନେ ଆଉ ମୁଣ୍ଡ ପାତି ସ‌ହିପାରିଲେ ନାହିଁ । ସେମାନଙ୍କର ତାଜାରକ୍ତ ଆହୁରି ତେଜି ଉଠିଲା । ପାଗଳ ହାତୀପରି ସେମାନେ ମାତି ଉଠିଲେ ।

ଖୋରଧା ପାଇକବୀରମାନଙ୍କର ନେତା ହେଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର । ଆନ୍ଦୋଳନ ତେଜି ଉଠିଲା । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ ।

ଇଂରେଜମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ପାଖରେ ଓଡିଆ ପାଇକମାନଙ୍କର ପୁରୂଣାକାଳିଆ ହାତ ହତିଆର ଟେକି ପାରିଲା ନାହିଁ । ବିଦ୍ରୋହ ବିଫଲ ହେଲା । ବକ୍ସି ଧରା ପଡ଼ିଲେ । ୧୮୨୫ ରୁ ୧୮୨୯ ଯାଏ ନ‌ଜରବନ୍ଦୀ ଭାବରେ ରହି ଶେଷନିଃଶ୍ୱାସ ତ୍ୟାଗ କଲେ । ସେତେବେଲେ ସେ କଟକରେ ଯେଉଁ ଅଞ୍ଚଲରେ ରହୁଥିଲେ, ଏବେ ତାକୁ ବକ୍‌ସିବଜାର କୁହାଯାଉଛି ।

ବାଣପୁରର କୃତ୍ତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର ଆଦି ବୀରମାନଙ୍କୁ ଇଂରେଜମାନେ କଳାପାଣିକୁ ପଠାଇଲେ । ଖୋରଧାର ଜୟୀ ରାଜଗୁରୁ ଫାଶି ପାଇଲେ । କେହି ହାତ ହତିଆର ଧରି ପାରିବେ ନାହିଁ ବୋଲି ଇଂରେଜ ସରକାର ଜଣାଇ ଦେଲେ । ଖୋରଧା ଅଞ୍ଚଲରେ ମଶାଣିର ଶାନ୍ତି ବିରାଜମାନ କଲା । କିନ୍ତୁ ମଶାଣିରେ ପାଉଁଶଗଦା ତଳେ ନିଆଁ ଦୁକୁ ଦୁକୁ ହୋଇ ଜଳି ଉଠିଲା ।

ଇଂରେଜମାନେ ଏଇ ବିଦ୍ରୋହକୁ ପୁରାପୁରି ଦମନ କରିବା ପାଇଁ ୠବର୍ଟ କେର୍ ଆଉ ତାଙ୍କ ପରେ ଉଇଲକିନ୍‌ସନ୍ ସାହେବଙ୍କୁ ଖୋରଧାର ମାଜିଷ୍ଟ୍ରେଟ କରି ପଠାଇଲେ । ୧୮୧୯ରେ ଇଂରେଜ କମ୍ପାନୀ ଘୋଷଣା କଲା ଯେ ଯେଉଁ ପାଇକ, ଦଳବେହେରା, ଦଳେଇ, ସରଦାର, ସରବରାକାରମାନେ ପାଇକ ବିଦ୍ରୋହରେ ନେତା ସାଜିଥିଲେ ସେମାନେ ଆସି ନିଜର ଭୁଲ ମାନିଲେ କ୍ଷମା ଦିଆଯିବ । ନଚେତ୍ ସେମାନଙ୍କୁ କଠୋର ଶାସ୍ତି ଦିଆଯିବ।