ପୃଷ୍ଠା:Amari matir amar shaheed.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୬୫ )

ଦୁଃଖ କଥା ଭାବେ। ଲୋକେ ରାଜାଙ୍କ ଅତ୍ୟାଚାରରୁ ରକ୍ଷା ପାଇବେ କେମିତି ? ପ୍ରଜାମାନେ ପଶୁପରି ଚଳିପାରିବେ କିମିତି ? ଏଇ ପ୍ରଶ୍ନଗୁଡ଼ିକ ତାର ସାନ ମଥାକୁ ବଥା କରାଏ । ପ୍ରଜାମାନଙ୍କ ମେଳିକଥା ଶୁଣି ମନରେ ତାର କେତେ ଆଶା ଗୁମୁରି ଉଠେ । ମେଳରେ ବଳ ଥାଏ, ଏକଥା ସେ ଜାଣିଛି । ଏଥର ଡ଼େଙ୍କାନାଳର ବ‌ହୁ ଗାଁରେ ଏମିତି ମେଳି ମୁଣ୍ଡଟେକିଛି । ରାଜାଙ୍କର ଅତ୍ୟାଚାର ଆଉ ଅନ୍ୟାୟ ଆଦେଶ ବିରୁଦ୍ଧରେ ଲୋକମାନେ ପ୍ରତିବାଦ କରୁଥିଲେ । ପ୍ରଜାମଣ୍ଡଳ ବୋଲି ଗୋଟିଏ ଦଳ ଗଢ଼ିଲେ ।ଯେଉଁମାନେ ଏଥିରେ ସଭ୍ୟ ହେଲେ ସେମାନେ ରାଇଜ ସାରା ବୁଲି ଗାନ୍ଧିଜୀଙ୍କର ସତ୍ୟ ଅହିଂସା ନୀତି, ସ୍ୱାଧୀନତାର ଡାକରା ପ୍ରଚାର କଲେ । ଖଜଣା ନ ଦେବାକୁ, ବେଠି ନ ଖଟିବାକୁ, ରାଜା ଆଉ ତାଙ୍କ ଲୋକଙ୍କର ଅନ୍ୟାୟ ଅଦେଶ ନ ମାନିବାକୁ ସେମାନେ ସମସ୍ତଙ୍କୁ କହିଲେ । ସେମାନଙ୍କୁ ଜବତ କରିବାକୁ ଆଉ ଦଣ୍ଡ ଦେବାକୁ ରାଜାଙ୍କ ତରଫରୁ ବାରମ୍ବାର ଚେଷ୍ଟା ଚାଲିଲା । ଗାଏଁ ଗାଏଁ ଡେଙ୍ଗୁରା ପିଟି ଜଣାଇ ଦିଆଗଲା- ପ୍ରଜାମଣ୍ଡଳ ବେଆଇନ । ସେଥିରେ କେହି ମିଶିଲେ କି ତା ପାଇଁ କାମ କଲେ କଠିନ ଶାସ୍ତି ପାଇବେ ।

କିନ୍ତୁ ପ୍ରଜାମଣ୍ଡଳର କାମ କମିବା ବଦଳରେ ବଢ଼ିବାରେ ଲାଗିଲା । ଦିନକୁ ଦିନ ତାର ସଭ୍ୟ ସଂଖ୍ୟା ବଢ଼ିଗଲା ନଈବଢ଼ି ପରି । ଅସ‌ହଯୋଗ ଆନ୍ଦୋଳନ ଚାରିଆଡ଼େ ବ୍ୟାପିଗଲା ବଣନିଆଁ ପରି । ଏଇ ଖବର ପାଇ ରାଜା ଛାନିଆ ହେଲେ ଆଉ ତାଙ୍କର ଖୋସାମତିଅ ଲୋକେ ପ୍ରମାଦ ଗଣିଲେ।

ରାଜା ଭାବିଲେ ପିରିଙ୍ଗ ଫଉଜ ଆଣି ପ୍ରଜାମଣ୍ଡଳକୁ ଦବାଇ ଦେବେ । ପୋଲିସମାନେ ଗାଁ ଗଣ୍ଡା, ଦୋକାନ ବଜାର, ରାସ୍ତାଘାଟରେ ପଇଁତରା ମାରିଲେ । ଯାହାକୁ ଚାହିଁଲେ ତାକୁ ହାତକଡ଼ି ପକାଇଲେ, ବାନ୍ଧିନେଲେ ଆଉ ଯେତେ ପାରିଲେ ସେତେ ଦଣ୍ଡ ଦେଲେ । ସେଥିରେ ବେପାରବଣିଜ ମାନ୍ଦା ପଡ଼ିଲା । ଲୋକଙ୍କୁ ତେଲ‌ଲୁଣ ଟିକେ ବି ମିଳିଲା ନାହିଁ । ଚାରିଆଡ଼େ ହାହାକାର ପଡ଼ିଗଲା ।

ଅନେକ ଜାଗାରେ ପ୍ରଜାମଣ୍ଡଳ ତରଫରୁ ସଭା ହେଲା । ଲୋକମାନଙ୍କୁ ବଳ ସାହସ ଦିଆଗଲା । ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ