ପୃଷ୍ଠା:Amari matir amar shaheed.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୬୬ )

ଗୋଟା । ସତ୍ୟ ସବୁଦିନ ଲୁଚି ରହିବ ନାହିଁ । ଅନ୍ୟାୟ, ଅତ୍ୟାଚାର ଦିନେ ଲୋପ ପାଇବ ଆଉ ଅନ୍ଧାରି ଶାସନ ଭୁଷୁଡ଼ି ପଡ଼ିବ । ଏହା ସବୁରି ମନରେ ଆଶା ଆଉ ଆନନ୍ଦର ଆଲୁଅ ଖେଳାଇ ଦେଲା । ଗାଏଁ ଗାଏଁ ଶୁଣାଗଲା-ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀଙ୍କର ଜୟ !

ପୋଲିସ ଜୁଲମ ବି ବଢ଼ିବାରେ ଲାଗିଲା । କେତେ ଜାଗାରେ ଗୁଳି ଚାଲିଲା । ଲାଠିମାଡ଼ ହେଲା । ଅନେକ ମଲେ । ଖଣ୍ଡିଆଖାବରା ବି ହେଲେ । ହେଲେ, ଲୋକେ ଦବିଗଲେ ନାହିଁ । ଆଉରି ତାତିଗଲେ, ଅଧିକ ମାଡ଼ିଗଲେ ।

ବାଜିଆ କି ଏଥିରେ ଚୁପ୍ ରହେ ? ବାରବରଷର ବାଳୁତ ପିଲା ସେ । ହେଲେ ସେ ପ୍ରଜାମଣ୍ଡଳର ସଭ୍ୟ ହେଲା । ଅନ୍ୟାୟ ବିରୁଦ୍ଧରେ ଲଢ଼ିଲା । ଜାତିପାଇଁ ଜୀବନ ଦେବାକୁ ଶପଥ ନେଲା ।

ଦିନେ ପ୍ରଜାମାନଙ୍କର ମେଳି ପ୍ରବଳ ହେଲା । ରାଜା ଫିରିଙ୍ଗ ଫଉଜ ମଗାଇଲେ ଏଇ ମେଳିକୁ ଦଳିଦେବାକୁ । କିନ୍ତୁ ସେମାନେ ବ୍ରାହ୍ନଣୀ ନଈ ପାରିହେଲେତ ଆସିବେ ? ସେମାନଙ୍କୁ ନାଆରେ ପାରି କରିବାକୁ ମନାହେଲା । କିନ୍ତୁ ରାଜାଙ୍କର ଆଦେଶକୁ ନ ମାନିବ କିଏ ? ଫିରିଙ୍ଗ ଫ‌ଉଜକୁ ବାଘ ବାଘୁଣୀ ବାଟ ଛାଡ଼ି ଦେବେ, ସାମାନ୍ୟ ନାଉରୀପୁଅ ବା କି ଛାର ? ସେ ପୁଣି ନିଜ ଜୀବକୁ ପାଣି ଛଡ଼ାଇ ଫ‌ଉଜଙ୍କ ସାମନା କରିବ ?

ବଜିଆ ଦମ୍ଭର ସହିତ ଏଇ କାମ କରିବାକୁ ଆପେ ଆପେ ବାହାରିପଡ଼ିଲା । କିନ୍ତୁ ପିଲାଟା ଇଂରେଜ ଫଉଜ ଆଗରେ ଠିଆ ହୋଇ ପରିବ ତ ?ସେମାନଙ୍କର ଟାଣ ଟାଣ କଥା, ମାଡ଼, ଗାଳି ଶେଷରେ ଗୁଳି ମାଡ଼ ସହି ପାରିବ ତ ?ଏଇ ହେଲା ସବୁରି ମନରେ ପ୍ରଶ୍ନ ।

ବାଜିଆ ସେଦିନ ବ୍ରାହ୍ମଣୀ ନଈର ପ୍ରଚଣ୍ଡ ଘାଟରେ ଜଗି ରହିଲା ପ୍ରଜାମଣ୍ଡଳର ଲୋକ ଛଡ଼ା ଆଉ କାହାକୁ ତା ନାଆରେ ପାରି କରିଦେଲା ନାହିଁ । ବର୍ଷାଦିନେ, ଥରକୁ ଥର ମେଘ ଉଠାଇ ଆସୁଛି । ବିଜୁଳି ଚକ୍‌ଚକ୍ କରୁଛି । ପଶ୍ଚିମ ଆକାଶରେ ଲାଲ୍ ରଙ୍ଗ ବୋଳିହୋଇ ରହିଛି । ପୂର୍ବଦିଗରୁ କଳା ଅନ୍ଧାର ମାଡ଼ି ଆସୁଛି । ଶିରିଶିରି ଶୀତୁଆ ବାଆ ବହୁଛି ।