( ୬୭ )
ଏତିକିବେଳେ ସେଇ ଘାଟରେ ପହୁଞ୍ଚିଲେ ଫିରିଙ୍ଗ ଫଉଜ । କଡ଼ା ସ୍ୱରରେ କହିଲେ- ହେ ପିଲା, ଆମକୁ ଚଞ୍ଚଳ ନଈ ପାରି କରିଦେ । ଜୋର ବର୍ଷା ଆସିଲାଣି । ଆମେ ଶୀଘ୍ର ଆରପାରିକୁ ଯିବୁ ।
ବାଜିଆ ସେମିତି ଟାଣ ସ୍ୱରରେ ଉତ୍ତର ଦେଲା- ମୁଁ ତମକୁ ପାରିକରି ପାରିବି ନାହିଁ । ମୋ ନାଆରେ ତୁମର ବସିବା ମନା ।
ଫଉଜ ଭିତରୁ ଜଣେ କହିଲା- ମନା ! କାହାର ମନା ? ଆମର ଜରୁରୀ କାମ ଅଛି । ଆମେ ଯିବୁ । କ'ଣ ତୁଚ୍ଛାକଥା କହୁଛୁ ?
ବାଜିଆ ସାହସ ଭରି ଉତ୍ତର ଦେଲା- ମୁଁ ପରା କହୁଛି, ତମକୁ ପାରି କରିବା ମନା । ପ୍ରଜାମଣ୍ଡଳର ହୁକୁମ ।
ଜଣେ ଇଂରେଜ ସୈନ୍ୟ କହିଲା- ତୋର ତ ଭାରି ଦିମାକ୍ ? ପ୍ରଜାମଣ୍ଡଳ ତୋ ପିଠିରେ ପଡ଼ିବ କି ? ତୋର ଜୀବନକୁ ଯଦି ଲୋଭ ଅଛି, ଶୀଘ୍ର ପାରି କରିଦେ ।
ବାଜିଆ କହିଲା- ଜୀବନକୁ ମୋର ଡର ନାହିଁ । ରାଜାର ଅତ୍ୟାଚାରକୁ ଆମେ ଆଉ ବରଦାସ୍ତ କରିବୁ ନାହିଁ । ତୁମପରି ବୋଲକରା ଗୋଲାମ ଦଳକୁ ଆମେ ଉଚିତ ଶାସ୍ତି ଦେବୁ ।
ଫଉଜ ଭିତରୁ ପୁଣି ଜଣେ କହିଲା- ଆରେ ଇଏତ ଓଳିଆରୁ ପଡ଼ି ଗଜା । ଭାରି ବଡ଼ ବଡ଼ କଥା କହୁଛି । ଜୀବନ ତୋତେ ପିତା ଲାଗିଲାଣି କିରେ ? ଶେଷଥର ପାଇଁ ସାବଧାନ କରାଇଦେଉଚୁ ତୋତେ । ଆଉ ଆମର ଦୋଷ ରହିବ ନାହିଁ ।
ବାଜିଆ ଜୋରରେ ଉତ୍ତର ଦେଲା- ମୋତେ ଆଉ ସେଗୁଡ଼ାକ ଶୁଣାଅ ନାହିଁ । ପ୍ରଜାମଣ୍ଡଳର କଥା ମୁଁ ମାନିବ, ମାନିବି, ମାନିବି । ତୁମଙ୍କୁ ପାରି କରିବି ନାହିଁ, ନାହିଁ, ନାହିଁ ।
ଫିରିଙ୍ଗ ଫଉଜ ଗର୍ଜି ଉଠିଲେ । ଏ ମେଞ୍ଚଡ଼ ଟୋକାର ବହପ ଦେଖ । ତାକୁ ଉଚିତ ଶାସ୍ତି ଦେବାକୁ ହେବ । ଗୁଳି ଦିଟା ଖିଲେ ପିଲାର ଚେତା ପଶିବ ।