ପୃଷ୍ଠା:Amari matir amar shaheed.pdf/୮

ଉଇକିପାଠାଗାର‌ରୁ
(ପୃଷ୍ଠା:Amari matir amar shaheed.pdf/8ରୁ ଲେଉଟି ଆସିଛି)
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୬ )

ଦଖଲ କରି ନେଲେ ବି ସେ ନୀରବ ହୋଇଥିଲେ । ଆଶା କରିଥିଲେ ଫିରିଙ୍ଗ ଫଉଜ ଫେରି ଯିବେ । ସେମାନେ ଚାଲିଗଲାପରେ ପୁରୀ ସହର ମନ୍ଦିର ସବୁ ତାଙ୍କର ହୋଇ ରହିବ । କିନ୍ତୁ ଇଂରେଜମାନେ କେତେକ ହିନ୍ଦୁ ସୈନ୍ୟଙ୍କୁ ଜଗାଇ ଦେଇ ପୁରୀରୁ କଟକ ଫେରିଲେ ।

କଟକ ଫେରିବା ବାଟରେ ପିପିଲି ଆଉ ସେଠାରୁ କିଛି ବାଟରେ ଦାଣ୍ଡ ମୁକୁନ୍ଦପୁର ଗାଁ । ପିପିଲିରେ ସେତେବେଳେ ମରହଟ୍ଟା ସୈନ୍ୟ ରହୁଥିଲେ ଆଉ ସେଠାରେ ଗୋଟିଏ କଚେରୀ ଥିଲା । ମରହଟ୍ଟା ସୈନ୍ୟମାନେ ଦାଣ୍ଡ ମୁକୁନ୍ଦପୁରଠାରେ ଇଂରେଜ ସୈନ୍ୟଙ୍କୁ ବାଧା ଦେଲେ । ଖୁବ୍ ଲଢେଇ ହେଲା । ଶେଷରେ ମରହଟ୍ଟା ସୈନମାନେ ହଟିଗଲେ । ଫିରିଙ୍ଗ ଫଉଜ ଆଗେଇ ଚାଲିଲେ ।

କଟକର ଦକ୍ଷିଣକୁ ଏବେ ଯେଉଁ କାଠଯୋଡି ନ‌ଦୀଟି ବହିଯାଉଛି, ସେତେବେଳେ ତାହା ଏତେ ବଡ ନ ଥିଲା । ଲୋକମାନେ କାଠକୁ ଯୋଡି ତାକୁ ପାରି ହେଉଥିବାରୁ ତାର ନାଁ ଥିଲା କାଠଯୋଡି । ଫିରିଙ୍ଗ ଫଉଜ ଏଇ କାଠଜୋଡି ନଦୀ ପାରି ହୋଇ କଟକର ଲାଲବାଗଠାରେ ପ‌ହଞ୍ଚିଥିଲେ । ସେଠାରେ ମରହଟ୍ଟାଙ୍କର କଚେରୀ ଥିଲା ଏବଂ ସୈନିକମାନେ ମଧ୍ୟ ଥଲେ । କିନ୍ତୁ ସେମାନେ ଫରିଙ୍ଗ ଫଉଜକୁ ଦେଖି ବାଧା ଦେବେ କ'ଣ ? ଜୀବନ ବିକଳରେ ପଳେଇଗଲେ । ବାରବାଟୀ ଦୁର୍ଗରେ ଲୁଚିଲେ ! କଟକର ବାସିନ୍ଦାମାନେ ମଧ୍ୟ ଭୟରେ ଘରଦ୍ୱାର ଛାଡ଼ି ପଳାଇଲେ ।

ଇଂରେଜ ସୈନ୍ୟମାନେ ନିର୍ଜନ କଟକ ସହର ଦଖଲ କରି ନେଲେ ବିନାବାଧାରେ । ତାପରେ ବାରବାଟୀ ଦୁର୍ଗ ଉପରେ ସେମାନେ ଚଢାଉ କଲେ । ମରହଟ୍ଟା ସୈନ୍ୟମାନେ ଦୁର୍ଗର ସବୁ ଦ୍ୱାର ବନ୍ଦ କରି ଦେଇଥିଲେ ।ଇଂରେଜମାନେ ତୋପ ବସାଇ ଦୁର୍ଗର ପୂର୍ବ ଦ୍ୱାର ପାଖ ପାଚେରିରେ ଗୋଟିଏ ଲୋକ ଗଲା ଭଳି ବାଟ ମେଲା କରିଦେଲେ । ଇଂରେଜ ସୈନ୍ୟମାନେ ଦୁର୍ଗ ଭିତରେ ପଶିଲେ । କିଛି ସମୟ ଲଢେଇ ହେଲା । ଶେଷରେ ମରହଟ୍ଟା ସୈନ୍ୟମାନେ ହଟିଗଲେ । ଇଂରେଜମାନେ ସେମାନଙ୍କର ଜାତୀୟ ପତାକା ବାରବାଟିର ଦୁର୍ଗ ଉପରେ ଉଡାଇ ଦେଲେ । ସେଦିନ ଥିଲା ୧୮୦୩ ମସିହା ଅକ୍ଟୋବର ମାସ ୧୪ ତାରିଖ । ଜାତିର ଗୌରବ ଗଡ଼ ବାରବାଟୀର ପତନରେ ଓଡିଶାର ସ୍ୱାଧୀନତା ଲୋପ ପାଇଲା ।