ପୃଷ୍ଠା:Arkakshetra konark.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପାଭାଗରେ ପଞ୍ଚ କର୍ମ । ଉପ-ବିଭାଗଗୁଡ଼ିକ - ଖୁର, କୁମ୍ଭ, ପଟ, କଣି ଏବଂ ବସନ୍ତ ।

ବନ୍ଧନରେ ଥିଲା ପୁଣି ପଞ୍ଚ କର୍ମ - ଭରାଣି, ନୋଲି, ପଟ, ନୋଳି ଏବଂ ବସନ୍ତ ।

ବାରଣ୍ଡାରେ ଦଶ କର୍ମ - ଭରାଣି, ଫେଣି, ନୋଳି, ପଟ, ପଟ, ନୋଳି, ପଟ, ପଟ, ନୋଳି ଓ ବସନ୍ତ ।

ଏ ତିିନି ଭାଗ ପଟି ଭଳି ଦେଉଳ ବେଷ୍ଟ କରିଛନ୍ତି, ଅଧିକାଂଶ ସ୍କ୍ରୋଲ୍‍ କାମ । ତଳ ଓ ଉପର ଜଙ୍ଘାରେ, ମନୁଷ୍ୟ, ଦେବତା, ଅର୍ଦ୍ଧ ଦେବତା 'ବିଡାଲ'ର ନାନା ଉପସ୍ଥାପନ, ଯାହା ଭାସ୍କର୍ଯ୍ୟ ପରିଚ୍ଛେଦରେ ଆଲୋଚିତ ହେବ ।

ନିସ ଦେଉଳର ତଳ ଘରେ କେତେକ ଦେବ ଦେବୀଙ୍କ ଅଧିଷ୍ଠାନ ଥିଲା କିନ୍ତୁ ଉପର ଘରେ ଥିଲେ ପାର୍ଶ୍ୱଦେବମାନେ । ସେମାନଙ୍କ ଅଧିଷ୍ଠାନ ମଧ୍ୟ ତଳ ଜଙ୍ଘାର ରହ ପାଗରେ । ଖୋଲି ଧ୍ୱଂସ ପାଇଛି କିନ୍ତୁ ନୂଆ ଗଢ଼ା ହୋଇଛି । ପାର୍ଶ୍ୱଦେବତାଙ୍କ ସ୍ଥାନ ଏବଂ ସେଠାକୁ ଉଠିବା ସୋପାନ ଦେଖା ହୋଇଛି ଚିତ୍ର ନମ୍ବର ୭ରେ ।

ଜଗମୋହନର ସବୁ ଦୁଆର ବନ୍ଦ କରି ଦେବା ପରେ ଗର୍ଭଗୃହ ମଧ୍ୟକୁ ଉପରୁ (ଉତ୍ତର ପଶ୍ଚିମ କୋଣରେ) ପଥର ସିଡ଼ି ଗଢ଼ା ଯାଇଥିଲା କାରଣ ଭିତରେ ଏବେ ମଧ୍ୟ ଅଛି ରତ୍ନ ସିଂହାସନ । ବର୍ତ୍ତମାନ ସେଠାକୁ ଏବଂ ପାର୍ଶ୍ୱଦେବତାମାନଙ୍କ ନିକଟକୁ ଯିବାର ବାଟ ବନ୍ଦ କରି ଦେଇଛନ୍ତି ASI ।

ବିମାନର ଉଚ୍ଚତା (ସୂତ୍ର ଅନୁସନ୍ଧାନ) :

ଅଗ୍ନି ପୁରାଣ ଅନୁଯାୟୀ ବିମାନର ଉଚ୍ଚତା ଭୂମିତଳ ଲମ୍ବର ୨ ଠାରୁ ୩ ଗୁଣ ହୋଇଥାଏ । ବୃହତ୍‍ ସଂହିତାରେ ମଧ୍ୟ ଏ ଅନୁପାତ ୨ ଧରାଯାଇଛି । ବାଡ଼ ଅଞ୍ଚଳର ରହପାଗ ମଧ୍ୟସ୍ଥ ବ୍ୟବଧାନ ଓ ବାଡ଼ର ଉଚ୍ଚତା ସମାନ ହୋଇପାରେ, ଅସମାନ ମଧ୍ୟ ହୋଇପାରେ । ବୃହତ୍‍ ସଂହିତା ଅନୁଯାୟୀ ମନ୍ଦିରର ଉଚ୍ଚତା ବାଡ଼ର ଉଚ୍ଚତାର ତିିଗୁଣ ହେବା ଉଚିତ୍‍ । ଆହୁରି ଅନେକ ନିୟମ ମିଳିବ Orissa & Her Remains ର ପଞ୍ଚମ ପରିଚ୍ଛେଦରେ ।

ବିଭିନ୍ନ ସମୟରେ ଗଠିତ ଓଡ଼ିଶାର ମନ୍ଦିରଗୁଡ଼ିକରେ ଏ ସବୁ ନିୟମର ବିଚ୍ୟୁତି କିଛି କିଛି ଘଟିଛି । କେତେଗୁଡ଼ିଏ କାର୍ଯ୍ୟକାରୀ ସୂତ୍ର କାଢ଼ିବାକୁ ଗାଙ୍ଗୁଲୀ ଭୁବନେଶ୍ୱର ଓ ପୁରୀର ଅନେକଗୁଡ଼ିଏ ମନ୍ଦିରର ମାପ କରିଥିଲେ ଫିତା ତଥା ଥିଓଡଲାଇଟ୍‍ ସାହାଯ୍ୟରେ । ତଥ୍ୟଗୁଡ଼ିକ ଉପସ୍ଥାପନ କରାଗଲା ତିନୋଟି ସାରଣୀରେ । (ଗାଙ୍ଗୁଲୀ- ପୃ୧୩୦-୧୩୨)

ସାରଣୀ ନଂ.୯
ମନ୍ଦିର ନାମ ବାହାର ଓସାର ମନ୍ଦିର ଉଚ୍ଚତା ଅନୁପାତ
ମୁକ୍ତେଶ୍ୱର ୧୫' ୩୪' ୨.୩
ରାଜାରାଣୀ ୧୭' ୪୬' ୨.୭
ପୁରୀ ଜଗନ୍ନାଥ ମନ୍ଦିର ୮୦' ୨୦୯' ୨.୬
ଅନନ୍ତ ବାସୁଦେବ ୨୨' ୬୦' ୨.୭
ଉତ୍ତରପାର୍ଶ୍ୱ ମଠଭୂମିରୁ Theodlite ମାପ ନିଆଯାଇଛି ।
ଲେଖକର ସଂଯୋଜନ
କୋଣାର୍କ କୋଣପାଗ ଠାରେ - ୬୪'-୬ -୨୨୮' (ଆକଳିତ) - ୩.୫୩
ରହପାଗ ଠାରେ - ୮୯'-୬ - ୨.୫୪

ଉଲ୍ଲେଖଯୋଗ୍ୟ, ମନ୍ଦିରର ଓସାର ଧରାଯାଏ ରହପାଗରୁ ।

୧୦୮ . ଅର୍କକ୍ଷେତ୍ର କୋଣାର୍କ