ଯେଉଁ ସ୍ଥପତି ମୂଳ ମନ୍ଦିରସମଷ୍ଟିର ଜଟିଳ ଯୋଜନା କମ୍ପ୍ୟୁଟର ନିପୁଣତାରେ ସମ୍ପାପନ କରି ପାରିଥିଲେ, ତାଙ୍କ ପକ୍ଷରେ ଏପରି ଅଗ୍ରପଶ୍ଚାତ୍ ଚିନ୍ତାହୀନ କାର୍ଯ୍ୟ କରିବା ସମ୍ଭବ ନୁହେଁ । ଏହା ଅନ୍ୟତମ କାରଣ, ଯେଉଁଥିରୁ ମନେହେବ, ନାଟ ମଣ୍ଡପ ମୂଳ ମନ୍ଦିର ସହିତ ଗଢ଼ା ହୋଇ ନଥିଲା । ପୂର୍ବ ଦିଗର ସୋପାନ ସମ୍ମୁଖରେ ଯେଉଁ ଗଜସିଂହ ଦ୍ୱୟ ଅଛନ୍ତି, ସେ ଦୁଇଟି ପୂର୍ବେ ମୂଳ ମନ୍ଦିର ସମ୍ମୁଖରେ ଥିବାର ଅନୁମାନ କରନ୍ତି ଐତିହାସିକମାନେ ।
ଗୋଟିଏ ବିଷୟ ଏଠାରେ ଆଲୋଚନା କରିବା ପ୍ରାସଙ୍ଗିକ ହେବ । ପୂର୍ବେ ବହୁବାର ଆଲୋଚିତ ହୋଇଛି, ମାଘ ଶୁକ୍ଲପକ୍ଷ ସପ୍ତମୀ, ସୂର୍ଯ୍ୟ ଦକ୍ଷିଣାୟ ଶେଷ କରି ଉତ୍ତରାୟଣକୁ ଗତି କରିବା ସମୟରେ ପ୍ରତୂ୍ୟଷରେ ସିଂହଦ୍ୱାର ଖୋଲି ଦେଲେ ସୂର୍ଯ୍ୟାଲୋକ ପଡ଼ୁଥିଲା ବିଗ୍ରହ ଉପରେ । ସିଂହଦ୍ୱାର କହିଲେ ଜଗମୋହନର ପୂର୍ବ ଦ୍ୱାରକୁ ବୁଝାଉଛି । ଯେହେତୁ ଜଗମୋହନର ଉପର ପୃଷ୍ଠ ଏବଂ ମୂଳ ମନ୍ଦିରର ଉପର ପୃଷ୍ଠ ପ୍ରାୟ ଏକା ସମତଳରେ ଅବସ୍ଥିତ ଏବଂ ନାଟମଣ୍ଡପ, ଜଗମୋହନ ଓ ବିମାନ ଗୋଟିଏ ରେଖାରେ ଅବସ୍ଥିତ, ପ୍ରତୂ୍ୟଷରେ ସୂର୍ଯ୍ୟକିରଣ ଯିବାକୁ ପଡ଼ିବ ପ୍ରଥମେ ନାଟମଣ୍ଡପ ଭିତର ଦେଇ ଏବଂ ତା'ପରେ ଜଗମୋହନ ଭିତର ଦେଇ । ଦୂରତ୍ୱ କମ୍ ନୁହେଁ । ନାଟମଣ୍ଡପ ପାର ହେବା ପରେ ସୂର୍ଯ୍ୟ କିରଣକୁ ଗତି କରିବାକୁ ପଡ଼ିବ ଅନୂ୍ୟନ ୨୮୪ ଫୁଟ । ସେ ଲାଇନ୍ରେ ପୁଣି ଅରୁଣସ୍ତମ୍ଭ ଥିଲା । ସେ ପରିସ୍ଥିତିରେ ନାଟମଣ୍ଡପ ଥିବା ଅବସ୍ଥାରେ ସୂର୍ଯ୍ୟକିରଣ ବିଗ୍ରହ ଉପରେ ପଡ଼ିବା ସହଜ ନୁହେଁ, ଏହା ଚିନ୍ତା କରିବା ଜଣେ ସ୍ଥପତିପାଇଁ ସ୍ୱାଭାବିକ । ଏହା ମଧ୍ୟ ଗୋଟିଏ କାରଣ, ଯାହା ସୂଚିତ କରୁଛି, ନାଟମଣ୍ଡପ ମୂଳ ମନ୍ଦିର ସହିତ ନିର୍ମିତ ହୋଇ ନଥିଲା ।
ନାଟମଣ୍ଡପର ପୀଢ଼ ଅନେକ ଦିରୁ ଧ୍ୱଂସ ପାଇଛି, ବାଡ଼ ତୁଳନାରେ ପୀଠର ପ୍ରାଧାନ୍ୟ ଦିଶୁଛି ବର୍ତ୍ତମାନା ନାଟମଣ୍ଡପର ପୀଠ ପାର୍ଶ୍ୱଚିତ୍ର ଉପସ୍ଥାପିତ ହୋଇଛି ୧୭ନମ୍ବର ରେଖାଚିତ୍ରରେ (ପୃଷ୍ଠା-୨୧୨ ଦେଖନ୍ତୁ) । ଏଠାରେ ଉପସ୍ଥାପିତ ହେଲା ଫଟୋ ୨୧(କ) ଏବଂ ୧୨୩ ପୃଷ୍ଠାରେ ୨୧-ଖ । ମୂଳ ମନ୍ଦିରରେ ଦୁଇଟି ପୀଠ (ତଳପୃଷ୍ଠ ଓ ଖୁରପୃଷ୍ଠ) ଥିବା ବେଳେ ଏଠାରେ ତିନୋଟି ପୃଷ୍ଠ ଅଛି । କିନ୍ତୁ ତିି ପୃଷ୍ଠର ପ୍ରଥମ ପୃଷ୍ଠ ପାଇଁ କୌଣସି ଶାସ୍ତ୍ରୀୟ ନାମ ନାହିଁ । ମୂଳ ମନ୍ଦିରର ତଳ ପୃଷ୍ଠ ଚକ ତଳେ ଅବଶ୍ୟ ଗୋଟିଏ ଉପନ ଅଛି, କିନ୍ତୁ ସେଥିରେ ବାଡ଼ର ଚରିତ୍ର ନାହିଁ- ଖାଲି ପଟି ଗୋଟିଏ । ଏଠାରେ ପ୍ରଥମ ପୃଷ୍ଠରେ ତିିକାମ- ଖୁର, ନୋଳି ଓ ବସନ୍ତ, ଉଚ୍ଚତା ୨'-୧ । ପ୍ରଥମ ପୃଷ୍ଠ ଉପରେ ଫୁଟେ ଭିତରକୁ ଆରମ୍ଭ ହୋଇଛି ୯'-୭ ଉଚ୍ଚ ଦ୍ୱିତୀୟ ପୃଷ୍ଠ । ଏହାର ବାଡ଼ରେ ପ୍ରଥମତଃ ପାଞ୍ଚ ଭାଗ - ପାଭାଗ, ତଳଜଙ୍ଘା, ବନ୍ଧନ, ଉପର ଜଙ୍ଘା ଓ ବାରଣ୍ଡି । ବିଭାଗଗୁଡ଼ିକର ଉପବିଭାଗଗୁଡ଼ିକ ଚିତ୍ରରେ ବର୍ଣ୍ଣିିତ ହୋଇଛି । କୋଣ ସ୍ତମ୍ଭ ଏବଂ ବାଡ଼ ଅନ୍ତର୍ଗତ ମଧ୍ୟବର୍ତ୍ତୀ ସ୍ତମ୍ଭଗୁଡ଼ିକୁ ଛାଡ଼ିଦେଲେ, ପାଭାଗର ଅସ୍ତିତ୍ୱ ଲୋପ
ଅର୍କକ୍ଷେତ୍ର କୋଣାର୍କ . ୧୨୩