ପୃଷ୍ଠା:Arkakshetra konark.pdf/୧୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭ।ସ୍କର୍ଯ୍ୟ ଚର୍ଚ୍ଚ। :

They built like Titans and finished like jewellers.

ଫର୍ଗୁସନ ଲିଙ୍ଗରାଜ ମନ୍ଦିର ଦର୍ଶ କରି ଲେଖିଛନ୍ତି, "ଏ ମନ୍ଦିର ଗଢ଼ିବାକୁ ଯେବେ ଲକ୍ଷେ ଟଙ୍କା ବ୍ୟୟ ହୋଇଥିବ ତେବେ, ଏହାର ଅଳଂକରଣରେ ନିଶ୍ଚୟ ତିି ଲକ୍ଷ ବ୍ୟୟ ହୋଇଥିବ(୨୩୪) । ଏ ଉକ୍ତି ଓଡ଼ିଶାର ସମସ୍ତ ମନ୍ଦିର ପ୍ରତି ପ୍ରଯୁଜ୍ୟ ଏବଂ କୋଣାର୍କ କ୍ଷେତ୍ରରେ ଅଳଂକରଣରେ ବ୍ୟୟ ତିିଗୁଣ ନ ହୋଇ ଚାରି କି ଛଅ ଗୁଣ ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଦେଉଳ ଶବ୍ଦଟିର ମୂଳ "ଦେବାଳୟ'- ଦେବତାଙ୍କ ଆଳୟ । ଧର୍ମପ୍ରାଣ ଓଡ଼ିଶାବାସୀଙ୍କ ନିକଟରେ ସେ ଆଳୟ ସଜ୍ଜାରେ କୌଣସି ବ୍ୟୟ ଅତିରିକ୍ତ ନଥିଲା । ଓଡ଼ିଆ ଜୀବନର ପ୍ରତି ପଦକ୍ଷେପ ଥିଲା ଦେବତାଙ୍କୁ ସମର୍ପିତ । ମନମୋହନ ଗାଙ୍ଗୁଲୀଙ୍କ ମତ, ଗ୍ରୀକ୍‍ମାନଙ୍କର ଭାସ୍କର୍ଯ୍ୟରେ ଆତ୍ମଗରିମାର ପ୍ରକାଶ ଓତପ୍ରୋତ ଜଡିତ, କିନ୍ତୁ ହିନ୍ଦୁ ନିକଟରେ ଏହା ଅହଂଶୂ୍ୟ ନିବେଦନ ।(୨୩୫) ଗାଙ୍ଗୁଲୀଙ୍କ ସମୟ (୧୮୮୨-୧୯୨୫ ଖ୍ରୀ.ଅ.)ରେ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମଧ୍ୟରେ ପ୍ରଚଳିତ ମତ ଥିଲା, ଭାରତୀୟ କଳା ଭାସ୍କର୍ଯ୍ୟ ଇତ୍ୟାଦି ଆଲେକ୍‍ଜାଣ୍ଡାରଙ୍କ ଭାରତ ଅଭିଯାନ ପରେ ଗ୍ରୀକ୍‍ କଳା ଭାସ୍କର୍ଯ୍ୟ ଦ୍ୱାରା ପ୍ରଭାବିତ । ଏହା ଅସତ୍ୟ ପ୍ରମାଣ କରିବାକୁ ମନମୋହନ ଗାଙ୍ଗୁଲୀ 'ଘତ୍ତଷଜ୍ଞଜ୍ଞବ ବଚ୍ଚଯ ଏରତ୍ତ ଛରଲବଷଚ୍ଚଜ୍ଞ' ଗ୍ରନ୍ଥର ବହୁ ପୃଷ୍ଠା ବ୍ୟୟ କରିଛନ୍ତି ଯାହା ଆଲୋଚିତ ହୋଇଛି ୯୦-୯୧ ପୃଷ୍ଠାରେ । ଦୁଇଟି ଶିଳ୍ପଧାରାର ମୂଳ ତତ୍ତ୍ୱର ଫରକ୍‍ ଦେଖାଇବାକୁ ଯାଇ ସେ ଉପରୋକ୍ତ ମନ୍ତବ୍ୟଟି ଦେଇଛନ୍ତି ।

ମନ୍ଦିରରେ ରାଜା ନରସିଂହ ଦେବଙ୍କର କୀର୍ତ୍ତି ସବୁ ଏତେ ବିପୁଳ ଭାବେ ଉତ୍‍କୀର୍ଣ୍ଣ ହୋଇଛି ଯେ, ବହୁ ଐତିହାସିକ କହନ୍ତି ନରସିଂହଦେବ ଏ ମନ୍ଦିର ନିର୍ମାଣ କରିଥିଲେ ଆତ୍ମଗରିମା ପ୍ରଚାର କରିବାକୁ । ଏ ଟିପ୍ପଣୀରେ କିଛି ଅତିଶୟୋକ୍ତି ଅଛି, କିନ୍ତୁ ଲାଙ୍ଗୁଳା ନରସିଂହଦେବଙ୍କ ଜୀବନ ପର୍ଯ୍ୟାଲୋଚନାରୁ ଜଣାପଡୁଛି, ସେ ଖାଲି ଗଙ୍ଗ ବଂଶର ନୁହଁନ୍ତି, ସମସ୍ତ ହିନ୍ଦୁ ନରପତିମାନଙ୍କ ମଧ୍ୟରେ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତିଷ୍କ । ଯେଉଁ ସମୟ ଯୁଦ୍ଧ କ୍ଷେତ୍ରରେ ରହୁ ନଥିଲେ, ତାଙ୍କର ସମସ୍ତ ଧ୍ୟାନ ଧାରଣା କେନ୍ଦ୍ରୀଭୂତ ଥିଲା କୋଣାର୍କ ଦେଉଳ ନିର୍ମାଣରେ । ସ୍ୱୀୟ ଛାପ ରହିବା ସ୍ୱାଭାବିକ ।

ଗାଙ୍ଗୁଲୀଙ୍କ ମନ୍ତବ୍ୟରେ କିନ୍ତୁ ଗୋଟିଏ ମୂଳ ସତ୍ୟ ନିହିତ ଅଛି । କୋଣାର୍କ ନିର୍ମାଣରେ ବାର ଶହ ଅଥବା ଅଧିକ ଶିଳ୍ପୀ ନିୟୋଜିତ ହୋଇଥିଲେ, ତାହା ବିତର୍କିତ ହୋଇପାରେ କିନ୍ତୁ ଏହା ଧ୍ରୁବ ସତ୍ୟ, ଯେଉଁମାନେ ଏହାକୁ ଗଢ଼ିଥିଲେ ସେମାନେ ଥିଲେ ସମ୍ପୂର୍ଣ୍ଣ ଆତ୍ମ-ମଗ୍ନ ସମର୍ପିତ ପ୍ରାଣ । ଏ ସୃଷ୍ଟି, ଚାବୁକ୍‍ ପ୍ରହାରରେ କ୍ରୀତଦାସଙ୍କ ଦ୍ୱାରା ଗଢ଼ା ଯାଇନାହିଁ । କରୁଣାସାଗର ଗୋଟିଏ ସୁନ୍ଦର କିମ୍ବଦନ୍ତୀ ଉପସ୍ଥାପନ କରିଛନ୍ତି ।(୨୩୬) ନରସିଂହଦେବ ମଝିରେ ମଝିରେ ନିଜେ ବୁଲି ବୁଲି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ଦିନେ ସେ ଗୋଟିଏ ଆତ୍ମମଗ୍ନ ଶିଳ୍ପୀ ଓ ତା' ହାତରେ ଫୁଟି ଉଠିଥିବା ଶିଳ୍ପ ଦେଖù ରହିଗଲେ । ଶିଳ୍ପୀ ଏତେ ମଗ୍ନ ଥିଲେ, ମହାରାଜାଙ୍କ ଉପସ୍ଥିତି ମଧ୍ୟ ଜାଣିପାରିଲେ ନାହିଁ । ମହାରାଜ ଶିଳ୍ପୀକୁ ପାନ ଖଣ୍ଡେ ବଢେ଼ଇ ଦେଲେ । ଶିଳ୍ପୀ ତାହା ଗ୍ରହଣ କଲେ, କିନ୍ତୁ ନଜର ଉଠେଇ ଦେଖùଲେ ମଧ୍ୟ ନାହିଁ, ଦାତା କିଏ ? ହୁଏତ ଏହା କିମ୍ବଦନ୍ତୀ ମାତ୍ର, କିନ୍ତୁ ସେ କିମ୍ବଦନ୍ତୀର ମୂଳ ମଧ୍ୟ ଫୁଟି ଉଠୁଛି ନୈସର୍ଗିକ କୋଣାର୍କ ଶିଳ୍ପର ଛତ୍ରେ ଛତ୍ରେ; ଯାହା ଏକମାତ୍ର ସମ୍ଭବ ସମ୍ପୂର୍ଣ୍ଣ ସମର୍ପିତ ଶିଳ୍ପୀର ନିହଣ ମୁନରୁ ।

ଏକଥା ସତ୍ୟ, ପ୍ରକୃତ ଶିଳ୍ପୀ ପ୍ରଚାର ଖୋଜେ ନାହିଁ ଏବଂ ସମୟେ ସମୟେ ପ୍ରଚାରଠାରୁ ଦୂରେଇ ରହେ କାରଣ ତାହା ଅହଂଭାବ ଜାଗ୍ରତ

କରି କାର୍ଯ୍ୟରେ ବ୍ୟାଘାତ ଘଟାଇଥାଏ । ବିଶେଷକରି ଯେଉଁ ଶିଳ୍ପୀ ଦେବ-ସମର୍ପିତ ପ୍ରାଣ, ସେ କେବେହେଲେ ଚାହିଁବ ନାହିଁ ଆତ୍ମପ୍ରଚାର ।

ଅର୍କକ୍ଷେତ୍ର କୋଣାର୍କ . ୧୨୯