ପୃଷ୍ଠା:Arkakshetra konark.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଙ୍ଗବଂଶର ଲାଙ୍ଗୁଳା ନରସିଂହଦେବ

ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ଦେଉଳ ତୋଳିଲେ । ଏହା ସର୍ବଜନବିଦିତ । ଏ ମନ୍ଦିରର ଗଠନକାଳ ଓ ନରସିଂହଦେବଙ୍କ ଶାସନକାଳ ନେଇ ମତଦ୍ୱୈଧ ଅଛିା ଏପରିକି ଏ ମନ୍ଦିର ନରସିଂହ ଦେବ ଗଢ଼ି ନଥିଲେ- ଏହା ମଧ୍ୟ ଜଣେ ଗବେଷକ କହିଛନ୍ତି । ଏ ସମସ୍ତ ବିଭ୍ରାନ୍ତି ମୂଳରେ ଅଛନ୍ତି ପ୍ରସିଦ୍ଧ ଆଇନ-ଇ-ଆକ୍‍ବରୀ ପ୍ରଣେତା ଆବୁଲ୍‍ ଫଜଲ, ଯାହା ଯଥା ସ୍ଥାନରେ ଆଲୋଚିତ ହେବ ।

ବୌଦ୍ଧ ଯୁଗ ପୂର୍ବରୁ ପ୍ରମାଣସିଦ୍ଧ ଧାରାବାହିକ ଇତିହାସ ଲେଖିବାର ପ୍ରଥା ପ୍ରଚଳିତ ନଥିଲା । (୧) ଖ୍ରୀଷ୍ଟପୂର୍ବ ୨୬୨ରେ ଧଉଳିଗିରିରେ ଲିଖିତ ଅଶୋକଙ୍କ ଶିଳାଲିପି ଅଥବା ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ହାତୀଗୁମ୍ଫାରେ ଲିଖିତ ଖାରବେଳଙ୍କ ଶିଳାଲିପି ଭଳି ଏତେ ବିସ୍ତୃତ ଭାବେ ସେ ସମୟର ପରିଚୟ, ଏ ଦୁଇଟି ଶିଳାଲିପି ପୂର୍ବରୁ ଅଥବା ପରେ, ଓଡ଼ିଶାରେ ହୋଇନାହିଁ । ଇତିହାସର ଅନ୍ଧଗଳିରେ ବାଟ ଖୋଜୁଥିବା ଗବେଷକମାନେ ସାଧାରଣତଃ ତିନୋଟି ପନ୍ଥା ଅନୁସରଣ କରିଥା'ନ୍ତି ।
୧. ଲିଖିତ ତଥ୍ୟ; ପ୍ରସ୍ତର ଲିପି, ତାଳପତ୍ର, ତାମ୍ରପଟ୍ଟା ଏବଂ ଏ ଯୁଗରେ ଛାପା ଅକ୍ଷରରେ ପ୍ରକାଶିତ ପୁସ୍ତକ, ପ୍ରବନ୍ଧ ଇତ୍ୟାଦି ।
୨. ଶାସ୍ତ୍ର ଓ ପୁରାଣ ।
୩. କିମ୍ବଦନ୍ତୀ

ଏହା ମଧ୍ୟରୁ କିମ୍ବଦନ୍ତୀ ସବୁଠାରୁ ଅଳ୍ପ ନିର୍ଭରଯୋଗ୍ୟ ବିବେଚିତ ହୋଇଥାଏ । କିନ୍ତୁ ଗବେଷକ ଯେତେବେଳେ ଅନ୍ୟ ବାଟ କିଛି ନ ପାଏ, କିମ୍ବଦନ୍ତୀର ଖିଅ ଧରି ଆଗେଇ ଥାଏ । କିଛି ସତ୍ୟର ମେରୁଦଣ୍ଡ ନଥାଇ କିମ୍ବଦନ୍ତୀ ହୁଏନା; ହୁଏତ ପଲ୍ଲବାୟିତ ଗଳ୍ପ ପଛରେ ସତ୍ୟ ଲୁଚି ଯାଇଥାଏ ।

ଦ୍ୱିତୀୟ ପନ୍ଥା ମଧ୍ୟ ଏ ଅଭିଯୋଗ ବାହାରେ ନୁହେଁ । ଅନେକେ ଶାସ୍ତ୍ର ପୁରାଣକୁ ଗାଲୁ ଗଳ୍ପ ବୋଲି ଭାବି ଶିଳାଲିପି, ତାମ୍ରପଟ୍ଟା ଅଥବା ତାଳପତ୍ର ଏକମାତ୍ର ବିଶ୍ୱାସଯୋଗ୍ୟ ପ୍ରମାଣ (epigraphic evidence)ବୋଲି ଭାବନ୍ତି । ଏହା ମଧ୍ୟ ସଂପୂର୍ଣ୍ଣ ସତ୍ୟ ନୁହେଁ । ଲିପିକାର ଅନେକ ସମୟରେ ନିଜସ୍ୱ ବିଶ୍ୱାସ, ଚିନ୍ତାଧାରା, ଏପରିକି ଉପରିସ୍ଥ କର୍ତ୍ତାଙ୍କ ଇଙ୍ଗିତରେ ନିହାଣ ଅଥବା କରଣୀ ଚଳାଇଥାଏ । ଅନେକ ଐତିହାସିକ ଖୋଦିତ ଲିପିର ପ୍ରମାଣ (epigraphic evidence) ବାହାରେ କିଛି ମାନିବାକୁ ନାରାଜ । ଡକ୍ଟର କେ.ସି.ପାଣିଗ୍ରାହୀ ଏବଂ ଚାର୍ଲସ୍‍ ଲୁଇସ୍‍ ଫ୍ୟାବ୍ରି ଦୁହିଁଙ୍କ ମତ, ଏ ପ୍ରମାଣ ମଧ୍ୟ ଅଭ୍ରାନ୍ତ ନୁହେଁ । ଗୋଟିଏ ମନ୍ଦିର ତାହାର ଦୀର୍ଘ ଜୀବନକାଳର ବିଭିନ୍ନ ସମୟରେ ବିଭିନ୍ନ ଶିଳାଲେଖା ସାଇତି ରଖିଥାଇପାର । (୨) ସମସ୍ତ ବସ୍ତୁ ନାନା ଦିଗରୁ ତଉଲ କରି ସିଦ୍ଧାନ୍ତରେ ଉପନୀତ ହେବା ନିର୍ବିକାର ଗବେଷକର କାର୍ଯ୍ୟ । ଫାବ୍ରି କହିଛନ୍ତି, "No learning of any kind can get on together without hypothesis and conjuncture" (୩)

ଷ୍ଟର୍ଲିଂଙ୍କଠାରୁ (୧୮୨୫) ଆରମ୍ଭ କରି ଆଜିକାର କରୁଣାସାଗରଙ୍କ ପର୍ଯ୍ୟନ୍ତ ଅଧିକାଂଶ ଗବେଷକ ମତ ଦେଇ ଥାଆନ୍ତି, ପ୍ରଥମ ନରସିଂହଦେବଙ୍କ ଶାସନକାଳ ୧୨୩୮-୧୨୬୪ ଖ୍ରୀଷ୍ଟାବ୍ଦ । ଭିନ୍ନ ଭିନ୍ନ ମତ ଆସୁଛି ଆବୁଲ୍‍ ଫଜଲ, ଫର୍ଗୁସନ୍‍ ଓ ବିଶନ୍‍ ସ୍ୱରୂପଙ୍କଠାରୁ । ଆବୁଲ୍‍ ଫଜଲ, ନରସିଂହଦେବଙ୍କ ଶାସନକାଳ, ଆହୁରି ୭୩୦ ବର୍ଷ ପଛେଇ ଦେଇଛନ୍ତି । (୪)ଆବୁଲ୍‍ ଫଜଲ୍‍, ଆଇନ-ଇ-ଆକବରୀ ଲେଖିଥିଲେ ୧୫୮୦ ଖ୍ରୀଷ୍ଟାବ୍ଦରେ । ତେବେ ତାଙ୍କ ମତ ନରସିଂହଦେବ ୮୫୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ରାଜା ଥିଲେ । ଆବୁଲ୍‍ ଫଜଲ୍‍ କିନ୍ତୁ ନିଜେ କୋଣାର୍କ ଦେଖି ନଥିଲେ, ଯଦିଓ ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ସେ ଓଡ଼ିଶା ଆସିଥିବା କଥା କୃପାସିନ୍ଧୁ କହିଛନ୍ତି । (୫)ଆବୁଲ୍‍ ଫଜଲ୍‍ଙ୍କ ବୟାନର ଇଂରାଜୀ ତର୍ଜମା ନିମ୍ନରେ ଦିଆଗଲା । କୃପାସିନ୍ଧୁ ଗ୍ଲାଡ଼୍‍ଉଇନ୍‍ଙ୍କ ଅନୁବାଦ ଅନୁସରଣ କରିଛନ୍ତି । ଯାହା Colonel Jarrettଙ୍କ ଅନୁବାଦ ସହିତ ମିଳୁଛି ।

"It is said that some what 730 years ago, Raja Narasingh Deo completed the stupendus fabric and left this mighty memorial to posterity." (Translation by Colonel Jarrett, Bibl Ind.vol-II, P.128)(୬)