ପୃଷ୍ଠା:Arkakshetra konark.pdf/୧୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶାର୍ଦ୍ଦୂଳ :

ହିନ୍ଦୁ ମନ୍ଦିରରେ, ଶାର୍ଦ୍ଦୂଳ ଗୋଟିଏ ଅପୂର୍ବ ସୃଷ୍ଟି । ଏହାର ବିଭିନ୍ନ ଉପସ୍ଥାପନା ମଧ୍ୟରେ ଗଜସିଂହ ପରିକଳ୍ପନାଟି ବିଶେଷ ରୂପେ ଆଦୃତ ଏବଂ ବେଶ୍‍ କିଛି ଐତିହାସିକ ତଥା ମାର୍ମିକ ବିତର୍କର ମୂଳ । ଏ ଭାସ୍କର୍ଯ୍ୟରେ ବିରାଟ ସିଂହ ଗୋଟିଏ ତତୋଽଧିକ ବିରାଟ ହାତୀକୁ ତଳେ ଚାପି ଧରିଛି । ସାଧାରଣତଃ ସମ୍ମୁଖର ଗୋଟିଏ ପାଦ ଉତ୍ତୋଳିତ ଥାଏ । ଗଜ ସିଂହ କିନ୍ତୁ ଖାଲି କୋଣାର୍କ ଅଥବା ଓଡ଼ିଶାର ନିଜସ୍ୱ ନୁହେଁ, ଭାରତବର୍ଷର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହା ଦେଖିବାକୁ ମିଳେ । କୋଣାର୍କ ଶିଳ୍ପୀର ବିଶେଷତ୍ୱ, ସେ ଏ କର୍ମରେ ମଧ୍ୟ ନିଜସ୍ୱ ଛାପ ରଖିଯାଇଛି, ଯାହା ଓଡ଼ିଶାର ଅନ୍ୟାନ୍ୟ ମନ୍ଦିରରେ ସହଜଲଭ୍ୟ ନୁହେଁ । ଏ ମୂର୍ତ୍ତିିର ବିଭିନ୍ନ ବ୍ୟାଖ୍ୟା ଉପସ୍ଥାପନ କରିଛନ୍ତି କରୁଣାସାଗର ।(୨୪୬) ମନ୍ତବ୍ୟଗୁଡ଼ିକ ଲେଖକର ନିଜସ୍ୱ ।

[[ଫାଇଲ:|423px|page=138]]
ଫଟୋ-୨୬ : ଗଜସିଂହ

୧. ସାଂସାରିକ ଶକ୍ତି ଉପରେ ଆଧ୍ୟାତ୍ମିକ ଶକ୍ତିର ବିଜୟ । କେଉଁ କାରଣରୁ ହସ୍ତୀ ସାଂସାରିକ ଶକ୍ତି ଓ ସିଂହ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ତାହା ବୋଧଗମ୍ୟ ନୁହେଁ ।

୨. ଅଜ୍ଞତା ଉପରେ ଜ୍ଞାନର ବିଜୟ । ଏଠାରେ ପୁଣି ଏକା ପ୍ରଶ୍ନ ଉଠୁଛି । ଧୀ-ଶକ୍ତିରେ (intellectually) ହାତୀ ସିଂହ ଠାରୁ ହୀନ, ଏହାର କୌଣସି ପ୍ରମାଣ ନାହିଁ ।

୩. ବେଞ୍ଜାମି୍‍ ରୋଲାଣ୍ଡଙ୍କ ମତରେ ସୂର୍ଯ୍ୟ ସିଂହର ପ୍ରତୀକ ଏବଂ ହସ୍ତୀ ବୃଷ୍ଟିର ପ୍ରତୀକ । ଏହା ବୃଷ୍ଟି ଉପରେ ସୂର୍ଯ୍ୟଙ୍କ ବିଜୟ । ଅତ୍ୟନ୍ତ କଷ୍ଟକଳ୍ପିତ ।

୪. ବୌଦ୍ଧ ଚିନ୍ତାଧାରା ଉପରେ ହିନ୍ଦୁ ଚିନ୍ତାଧାରାର ବିଜୟ । ଧର୍ମ କାର୍ଯ୍ୟରେ ହିନ୍ଦୁ କେବେହେଲେ ଯୁଦ୍ଧକୁ ଯାଇନାହିଁ ବରଂ ସର୍ବଧର୍ମର ସମନ୍ୱୟ କରିଛି ହିନ୍ଦୁ । ବୁଦ୍ଧ ହିନ୍ଦୁଙ୍କ ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ।

୫. କେଶରୀ ବଂଶର ଗଜପତି ରାଜାମାନଙ୍କ ଉପରେ ବିଜୟ । ଏହା ସମ୍ପୂର୍ଣ୍ଣ ଅସମ୍ଭବ କାରଣ ସୋମବଂଶୀ କେଶରୀମାନଙ୍କ ରାଜତ୍ୱ ୯୩୧ ଖ୍ରୀଷ୍ଟାବ୍ଦରୁ ୧୧୧୦ ଖ୍ରୀଷ୍ଟାବ୍ଦ ଏବଂ ଗଜପତି ଶାସନକାଳ ୧୪୩୫ ଠାରୁ ୧୫୪୧ ଖ୍ରୀଷ୍ଟାବ୍ଦ ।

୬. ହାତୀ ମସ୍ତକରେ ଥିବା ମୁକ୍ତା ପାଇଁ ସିଂହର ଆକ୍ରମଣ । ଏହା ସମ୍ପୂର୍ଣ୍ଣ ମନଗଢ଼ା କାହାଣୀ । ହାତୀ ମୁଣ୍ଡରେ ମୁକ୍ତା ନଥାଏ ଏବଂ ସିଂହ ମଧ୍ୟ ମୁକ୍ତାର ସମଝ୍‍ଦାର ନୁହେଁ ।

ଗୋଟିଏ ବ୍ୟାଖ୍ୟା କିଛିଟା ବୋଧଗମ୍ୟ । ଜଙ୍ଗଲ ମଧ୍ୟରେ ହାତୀ ଓ ସିଂହ ଦୁହେଁ ଶକ୍ତିଶାଳୀ ଏବଂ ଚିରନ୍ତ ଶତ୍ରୁ - ଏହା ପ୍ରମାଣିତ ସତ୍ୟ । ତେବେ ସିଂହ ସବୁଦି ବିଜୟ ଲାଭ କରିବ - ଏହା ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ, ବିଶେଷ କରି ଯୂଥବଦ୍ଧ ହସ୍ତୀର ଭୟାବହତା ଯେତେବେଳେ ସୁବିଦିତ । ତେବେ ଏହା କାହାର ପ୍ରତୀକ ?

ଖଜୁରାହୋ ମନ୍ଦିରମାଳାରେ ଗୋଟିଏ ସିଂହ ମୂର୍ତ୍ତିି ବହୁ ସ୍ଥାନରେ ଖୋଦିତ ହୋଇଛି । ସେ ସିଂହ କିନ୍ତୁ କୌଣସି ଗଜ ଉପରେ ଅଧିକାର ସାବ୍ୟସ୍ତ କରୁ ନାହିଁ । ସେ ସିଂହ ଗୋଟିଏ ଗୋଡ଼ ଗୋଟିଏ ନାରୀ ମସ୍ତକରେ ରଖିଛି ଏବଂ ନାରୀଟି ଉପରକୁ ମୁହଁ କରି ସିଂହର ଜନନେନ୍ଦ୍ରିୟ ଲେହନ କରୁଛି । ଆଉ ଗୋଟିଏ କ୍ଷୁଦ୍ରକାୟା ନାରୀ ସିଂହର ପଶ୍ଚାତ୍‍ ଭାଗରେ ବସି ପଶ୍ଚାତ୍‍ମୁଖୀ ସିଂହର ମୁଖ ଲେହନ କରୁଛି । ଏ ମୂର୍ତ୍ତିି ହୁଏତ ପାଶବିକତା ଉପରେ ନାରୀ ଶକ୍ତିର ବିଜୟ ସୂଚିତ କରୁଛି ।

ଗଜସିଂହର କେତେଗୁଡ଼ିଏ ପରିକଳ୍ପା ଓ ତାହାର ଓଡ଼ିଆ ନାମ ଗାଙ୍ଗୁଲୀ ଉପସ୍ଥାପନ କରିଛନ୍ତି ।(୨୪୭)

୧. ଉଡ଼ା ସିଂହ, ୨. ଝମ୍ପା ସିଂହ, ୩. ଖେପା ସିଂହ ।

ଏହାଛଡ଼ା ଅଛି "ଦିପିଚା ସିଂହ' ଯାହା ଘଡ଼ଚକଡ ଓ ଅମଳକୀ ଶିଳା ମଧ୍ୟରେ ଦେଖିବାକୁ ମିଳେ - ଏହି ଦିପିଚା ସିଂହର ମୁଖ ଗୋଟିଏ

ହୋଇଥିଲେ ମଧ୍ୟ ପଶ୍ଚାତ୍‍ ଭାଗ ଦ୍ୱିଧା ବିଭକ୍ତ ।

୧୩୮ . ଅର୍କକ୍ଷେତ୍ର କୋଣାର୍କ