ପୃଷ୍ଠା:Arkakshetra konark.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଥାତ୍‍ ଶୁଣା କଥାରେ ଇତିହାସ ଲେଖିଗଲେ ଆବୁଲ୍‍ ଫଜଲ୍‍ । କର୍ଣ୍ଣେଲ୍‍ ଜାରେଟ୍‍ଙ୍କ ଇଂରାଜୀ ଅନୁବାଦର ଗୋଟିଏ ଅଂଶ କରୁଣାସାଗର ଉପସ୍ଥାପନ କରିଛନ୍ତି (୭), ଯେଉଁଥିରେ ଏ ମନ୍ଦିରର ଉଚ୍ଛ୍ୱସିତ ପ୍ରଶଂସା ଲିପିବଦ୍ଧ ହୋଇଛି । କେତେକ ମନ୍ତବ୍ୟ ବିଭ୍ରାନ୍ତିକର, ଯାହା କରୁଣାସାଗର ମଧ୍ୟ ଲକ୍ଷ୍ୟ କରିଛନ୍ତି (reference-୫୯, page-୧୪୯) । ଆବୁଲ୍‍ ଫଜଲ୍‍ ଲେଖିଛନ୍ତି, ଦେବାଲ (wall)ର ଉଚ୍ଚତା ୧୫୦ ହାତ ଏବଂ ବେଧ ୧୯ ହାତ ଅର୍ଥାତ୍‍ ୨୨୫ ଫୁଟ୍‍ ଉଚ୍ଚ ଏବଂ ୨୮.୫ ଫୁଟ୍‍ ମୋଟା । ଏହା ଯେବେ ବେଢ଼ାର ଦେବାଲ୍‍କୁ ଲକ୍ଷ୍ୟକରି ଲେଖାହୋଇଥାଏ, ତେବେ ତାହା ସଂପୂର୍ଣ୍ଣ ଅବାସ୍ତବ । ମନମୋହନ ଗାଙ୍ଗୁଲୀ ନେଇଥିବା ମାପ: ବେଧ-୫ଫୁଟ ଓ ଉଚ୍ଚତା ୧୪ ଫୁଟ୍‍ (ପୃଷ୍ଠା ୪୪୧-O & HR.) । ତେବେ ଆବୁଲ୍‍ ଫଜଲ ଯଦି ରେଖଦେଉଳର ଉଚ୍ଚତା କଥା କହୁଥାଆନ୍ତି ତେବେ ତାହା ଅଧିକାଂଶ ସତ ହୋଇପାରେ । ନାନା ବୈଜ୍ଞାନିକ ପନ୍ଥାରେ ଆକଳିତ ବିମାନର ଉଚ୍ଚତା ୨୨୮ଫୁଟ୍‍ ଏବଂ ରହପାଗଠାରେ ବେଧ ୨୪ଫୁଟ୍‍୬ଇଞ୍ଚ୍‍ । (ବିସ୍ତୃତ ଆଲୋଚନା ତୃତୀୟ ପରିଚ୍ଛେଦରେ ଦେଖନ୍ତୁ ।) କିନ୍ତୁ ରେଖ ଦେଉଳର କ୍ରମ ବକ୍ର ଗମ୍ବୁଜକୁ ଦେବାଲ୍‍ ରୂପେ ବର୍ଣ୍ଣନା କରିବାର କୌଣସି କାରଣ ନାହିଁ । ଏକମାତ୍ର କାରଣ, ଆବୁଲ୍‍ ଫଜଲ ଦେଖିଛନ୍ତି କିଛି, ଶୁଣିଛନ୍ତି କିଛି ଏବଂ ଗୋଳେଇ ମିଶେଇ ପକେଇଛନ୍ତି ସବୁକିଛି । ସେହିପରି ମନ୍ଦିର ସମ୍ମୁଖର "octagonal column" ଯାହା ବୋଧହୁଏ ଅରୁଣସ୍ତମ୍ଭକୁ ବୁଝାଉଛି, କୌଣସି ପ୍ରକାରେ ୫୦ ଗଜ ଅର୍ଥାତ୍‍ ୧୫୦ ଫୁଟ୍‍ ହୋଇପାର । ଅରୁଣସ୍ତମ୍ଭ ବର୍ତ୍ତମାନ ପୁରୀ ମନ୍ଦିର ସମ୍ମୁଖରେ ଅଛି ଏବଂ ତାହାର ଉଚ୍ଚତା ୩୪ ଫୁଟ୍‍ ।

ଶୁଣା କଥାରେ ହେଲେ ମଧ୍ୟ ଆବୁଲ୍‍ ଫଜଲଙ୍କ ଇତିହାସ ଏତିକି ସୂଚିତ କରୁଛି ଯେ, ବହୁବର୍ଷ ପୂର୍ବେ ଏଠାରେ ଗୋଟିଏ ସୂର୍ଯ୍ୟ ମନ୍ଦିର ଥିଲା, ଯାହା ଲୋକମୁଖରେ ପ୍ରଚାର ଲଭିଥିଲା । ବିଷୟଟି ଗୁରୁତ୍ୱପୂର୍ଣ୍ଣ । ଏହା, ପରେ ଆସିବ । ଫର୍ଗୁସନ ବିଶ୍ୱାସ କରିବାକୁ ଅକ୍ଷମ, ୧୧୭୪ ଖ୍ରୀଷ୍ଟାବ୍ଦରେ ଗଠିତ ପୁରୀ ଜଗନ୍ନାଥ ମନ୍ଦିରରେ ଶିଳ୍ପକଳାର ଘୋର ଅବନତି ପରେ କୋଣାର୍କ ଭଳି ଏତେ ଉଚ୍ଚମାନର ଶିଳ୍ପ ସୃଷ୍ଟି ହୋଇପାରେ !(୮) ବିଶନ୍‍ ସ୍ୱରୂପ ମଧ୍ୟ ଏ ମତର ବଡ଼ ସମର୍ଥକ । ସେ ମାଦଳାପାଞ୍ଜିର ଆଉ ଗୋଟିଏ ଶ୍ଳୋକର କଦର୍ଥ କରି ଆଉ ପାଦେ ଆଗେଇ ଯାଇ କହିଛନ୍ତି, କୋଣାର୍କ ପୁରନ୍ଦର କେଶରୀଙ୍କ ସୃଷ୍ଟି ଏବଂ ନରସିଂହ ଦେବ ନାଟ ମନ୍ଦିରଟି ମାତ୍ର ଗଢ଼ିଥିଲେ । (୯)

[[ଫାଇଲ:|423px|page=14]]
ଫଟୋ ୧: ଜଗନ୍ନାଥଙ୍କ ପୂଜା

ଉଚ୍ଚମାନ ଓ ନିମ୍ନମାନର ଶିଳ୍ପ ବିଚାରରେ ମନ୍ଦିର ଗଠନର ସମୟ ସ୍ଥିର କରିବା ଅବାସ୍ତବ । ଆଜି ମଧ୍ୟ ଦୁର୍ଗାପୂଜା ଓ ଅନ୍ୟାନ୍ୟ ପର୍ବପର୍ବାଣିରେ ଗଢ଼ା ଯାଉଥିବା ମୂର୍ତ୍ତିି ସବୁର ଶିଳ୍ପମାନ ସାହି ସାହି ଭିତରେ ଭିନ୍ନ ଭିନ୍ନ ହୋଇଥାଏ । କାରଣଟି ମୂଳତଃ ଅର୍ଥନୈତିକ । ସଦ୍ୟ ଦେଶ ଜୟ କରିଥିବା ଚୋଡ଼ଗଙ୍ଗଦେବ ପୁରୀ ମନ୍ଦିର ପୁନର୍ଗଠନ କ୍ଷେତ୍ରରେ କିପରି ଅର୍ଥ ବରାଦ କରି ପାରିଥିଲେ ଏବଂ କାର୍ଯ୍ୟଟିରେ କି ପ୍ରକାର ପ୍ରାଥମିକତା ଦେଇଥିଲେ; ନରସିଂହ ଦେବ କୋଣାର୍କ ଦେଉଳ କ୍ଷେତ୍ରରେ ଅର୍ଥ ଓ କାର୍ଯ୍ୟରେ କି ପ୍ରକାର ପ୍ରାଥମିକତା ଦେଇଥିଲେ, ତାହାର ପ୍ରତିଫଳନ ସ୍ୱାଭାବିକ । ମନେ ରଖିବାକୁ ହେବ, କୋଣାର୍କପାଇଁ ଓଡ଼ିଶାର ୧୨ ବର୍ଷର ରାଜସ୍ୱ ବ୍ୟୟ ହୋଇଥିଲା । ଅନ୍ୟ ଗୋଟିଏ ମତାନୁସାରେ ଅର୍ଥ ଆସିଥିଲା ଦାକ୍ଷିଣାତ୍ୟ ଯୁଦ୍ଧରୁ । ସେ ଯାହାହେଉ, ଏ ମନ୍ଦିର ପାଇଁ ଦୃଶ୍ୟତଃ ବ୍ୟୟ ହୋଇଥିବ ବିପୁଳ ଅର୍ଥ । ଫର୍ଗୁସନ୍‍ଙ୍କ ମତ ଗ୍ରହଣଯୋଗ୍ୟ ହେଉନାହିଁ । କୋଣାର୍କ ପୁରୀ ମନ୍ଦିର ପୂର୍ବରୁ ନିର୍ମାଣ ହୋଇ ନଥିଲା । ଏହାର ଆଉ ଗୋଟିଏ ପ୍ରମାଣ ଉପସ୍ଥାପନ କରାଯାଇପାର । ବ୍ରିଟିଶ୍‍ ଅମଳରେ କୋଣାର୍କର ଭଗ୍ନସ୍ତୂପ ଅପସାରଣ କରିବା ଅବସରରେ (୧୯୦୨-୦୫) ଖଣ୍ଡିଏ ପ୍ରସ୍ତର ପଟା ମିଳିଥିଲା, ଯେଉଁଥିରେ ଖୋଦିତ ହୋଇଥିଲା

ମହିଷମର୍ଦ୍ଦିନୀ, ଜଗନ୍ନାଥ, ଶିବଲିଙ୍ଗ ଏବଂ ଯୋଡ଼ହସ୍ତରେ ଦଣ୍ଡାୟମାନ ରାଜାଙ୍କ ମୂର୍ତ୍ତିି ।(୧୦) ଜଗନ୍ନାଥ ମନ୍ଦିର ଗଢ଼ାହେବାର ବହୁ ପୂର୍ବରୁ କୋଣାର୍କ ଗଢ଼ା ହୋଇଥିଲେ ଏହା ସମ୍ଭବ ହୁଅନ୍ତା ନାହିଁ । ଏବେ ମଧ୍ୟ ପ୍ରଥମପୃଷ୍ଠ ଗାତ୍ରରେ ଜଗନ୍ନାଥ ପୂଜାର ଗୋଟିଏ ଖୋଦେଇ କାର୍ଯ୍ୟ ମିଳିବ ଯାହାର ଫଟୋଚିତ୍ର ଦିଆଗଲା । (ଫଟୋ-୧)

୧୪ . ଅର୍କକ୍ଷେତ୍ର କୋଣାର୍କ