ପୃଷ୍ଠା:Arkakshetra konark.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଇନ୍‍-ଇ-ଆକ୍‍ବରୀରେ ଆବୁଲ୍‍ ଫଜଲ କହିଛନ୍ତି, ""୭୩୦ ବର୍ଷ ପୂର୍ବେ, ଅର୍ଥାତ୍‍ ୮୫୦ ଖ୍ରୀଷ୍ଟାବ୍ଦରେ (୧୫୮୦ ଖ୍ରୀଷ୍ଟାବ୍ଦରେ ଆବୁଲ୍‍ ଫଜଲ୍‍ଙ୍କ ଓଡ଼ିଶା ଆଗମନର ୭୩୦ ବର୍ଷ ପୂର୍ବରୁ ) ନରସିଂହ ଦେବ ଏ ବିଶାଳ କୋଣାର୍କ ଦେଉଳ ତୋଳିଥିଲେ । ୮୫୦ ବେଳକୁ ଓଡ଼ିଶାରେ ଗଙ୍ଗବଂଶର ଆବିର୍ଭାବ ମଧ୍ୟ ହୋଇ ନଥିଲା । ଆବୁଲ୍‍ ଫଜଲ୍‍ ଶୁଣାକଥାରେ ଇତିହାସ ରଚନା କରିଥିବାରୁ କେତୋଟି ବିଷୟ ଗୋଳେଇ ମିଶେଇ ପକେଇଛନ୍ତି । ଆବୁଲ୍‍ ଫଜଲ କିନ୍ତୁ ପରିଷ୍କାର କହିଛନ୍ତି, ମନ୍ଦିର ନରସିଂହଦେବ ଗଢ଼ିଥିଲେ ।

ବିଶନ୍‍ ସ୍ୱରୂପ ଆବୁଲ୍‍ ଫଜଲଙ୍କୁ ପ୍ରମାଣ ରୂପେ ଧରିଛନ୍ତି କିନ୍ତୁ ନରସିଂହଦେବ କୋଣାର୍କର ସ୍ରଷ୍ଟା, ମାନୁ ନାହାନ୍ତି । ଏହା ଦୃଶ୍ୟତଃ କୁ-ଯୁକ୍ତି । ବିଷୟଟି ଆଗକୁ ଆହୁରି ଆଲୋଚିତ ହେବ ।

ମନମୋହନ ଗାଙ୍ଗୁଲୀ ଗୋଟିଏ ବିଦଗ୍ଧ ଆଲୋଚନାର ସୂତ୍ରପାତ କରିଛନ୍ତି । ଗଙ୍ଗବଂଶର ଗୋଟିଏ ତମ୍ବାପଟାରେ ଲିଖିତ ବଂଶାବଳୀ ମତେ ନରସିଂହଦେବଙ୍କ ସିଂହାସନାରୋହଣ ୧୨୫୮ ଖ୍ରୀଷ୍ଟାବ୍ଦ ।(୧୧) ଗାଙ୍ଗୁଲୀ ପୁଣି ଗବେଷକ ବାବୁ ମନମୋହନ ଚକ୍ରବର୍ତ୍ତୀଙ୍କ ତଥ୍ୟ ଉପସ୍ଥାପନ କରି କହିଛନ୍ତି, ଚକ୍ରବର୍ତ୍ତୀଙ୍କ ମତାନୁସାରେ ନରସିଂହ ଦେବଙ୍କ ରାଜତ୍ୱ ୧୨୩୮ ଖ୍ରୀଷ୍ଟାବ୍ଦ ଠାରୁ ୧୨୬୪ । ଗବେଷଣାଟି Asiatic Society of Bengal-Vol-XXII (P-୧୨୦ )ରେ ପ୍ରକାଶିତ ହୋଇଥିଲା ।(୧୨) ପଣ୍ଡିତ କୃପାସିନ୍ଧୁ ମିଶ୍ର ମଧ୍ୟ ଏ ସନ୍ଦର୍ଭଟିର ଉଲ୍ଲେଖ କରିଛନ୍ତି ଓ ତାହା ଉପରେ ନିର୍ଭର କରିଛନ୍ତି ।(୧୩) ଏଠାରେ ଉଲ୍ଲେଖଯୋଗ୍ୟ, ଗାଙ୍ଗୁଲୀ ଶକାବ୍ଦ ସହିତ ୭୮ ଯୋଡ଼ି ଇଂରାଜୀ ବର୍ଷ କରିଛନ୍ତି । କରୁଣାସାଗର ୭୬ ବର୍ଷ ଯୋଡ଼ିଛନ୍ତି । (Konark-Vol-I page-୩୧ )

ଗାଙ୍ଗୁଲୀଙ୍କ କଥିତ ତମ୍ବାପଟ୍ଟା ଅନୁସାରେ, କୋଣାର୍କ ମନ୍ଦିର ନରସିଂହଦେବଙ୍କ ରାଜତ୍ୱ କାଳର ଅଷ୍ଟାଦଶ ବର୍ଷରେ ମନ୍ଦିର ନିର୍ମାଣ ସଂପୂର୍ଣ୍ଣହେଲା । ତମ୍ବାପଟ୍ଟାରେ ନରସିଂହଦେବଙ୍କ ସିଂହାସନ ଆରୋହଣ ୧୨୫୮ ଖ୍ରୀଷ୍ଟାବ୍ଦ । ୧୨୫୮ ସହିତ ୧୮ବର୍ଷ ମିଶାଇଲେ ୧୨୭୬ ଖ୍ରୀଷ୍ଟାବ୍ଦହେବ । ମାଦଳା ପାଞ୍ଜିର ଆଉ ଗୋଟିଏ ଶ୍ଳୋକ ମତେ ମନ୍ଦିର ପ୍ରତିଷ୍ଠା ହୋଇଥିଲା ୧୨୭୮ ଖ୍ରୀଷ୍ଟାବ୍ଦରେ (ଗାଙ୍ଗୁଲୀ,Page-୪୭୯) । ଫରକଟି ସାମାନ୍ୟ ।(୧୪) କିନ୍ତୁ ମୂଳ ଗୋଳମାଳ ଅନ୍ୟତ୍ର । ଚକ୍ରବର୍ତ୍ତୀଙ୍କ ଗବେଷଣାକୁ ନିର୍ଭର କଲେ ନରସିଂହଙ୍କ ସିଂହାସନ ଆରୋହଣ ୧୨୩୮,ତମ୍ବାପଟ୍ଟା ବଂଶାବଳୀ ଅନୁଯାୟୀ ୧୨୫୮ ଖ୍ରୀଷ୍ଟାବ୍ଦ । ଗାଙ୍ଗୁଲୀ ଏ ବିଭ୍ରାନ୍ତି ସମାଧାନର ଚେଷ୍ଟା କରି ନାହାନ୍ତି ।

କୃପାସିନ୍ଧୁ କହିଛନ୍ତି, ମାଦଳା ପାଞ୍ଜି ଅଭ୍ରାନ୍ତ ଓ ପାଞ୍ଜି ଅନୁସାରେ ନରସିଂହଦେବ ସିଂହାସନ ଆରୋହଣ କରିଥିଲେ ୧୨୩୭ ଖ୍ରୀଷ୍ଟାବ୍ଦରେ ।(୧୫)ଷ୍ଟାର୍ଲିଂ ମାଦଳାପାଞ୍ଜିର "ରାଜ ଚରିତ୍ର' ଓ "ବଂଶାବଳୀ' ନାମକ ଦୁଇଟି ଗ୍ରନ୍ଥ ଉପରେ ନିର୍ଭର କରି ଏ ତଥ୍ୟ ଉପସ୍ଥାପନ କରିଛନ୍ତି ।(୧୬) ଏହା ଫଳରେ ବିଭ୍ରାନ୍ତି ଆହୁରି ବଢ଼ୁଛି । ମାଦଳାପାଞ୍ଜି ଯେବେ ଅଭ୍ରାନ୍ତ ତେବେ ମନ୍ଦିର ପ୍ରତିଷ୍ଠା ୧୨୭୮ ଖ୍ରୀଷ୍ଟାବ୍ଦରେ ହୋଇଥିବା ମାନିବାକୁ ପଡ଼ିବ । ମନ୍ଦିର ଗଠନକାଳ ଯେବେ ନରସିଂହଦେବଙ୍କ ସିଂହାସନ ଆରୋହଣଠାରୁ ୧୮ ବର୍ଷ ହୋଇଥାଏ - ପାଞ୍ଜିର ଅନ୍ୟ ଗୋଟିଏ ଅନୁଶାସନ ଅନୁଯାୟୀ ୧୨ ବର୍ଷ - ତେବେ ନରସିଂହଦେବ ସିଂହାସନ ଆରୋହଣ କରିଥିଲେ ୧୨୬୦ ଅଥବା ୧୨୬୬ ଖ୍ରୀଷ୍ଟାବ୍ଦରେ, ଯାହା ସେଇ ମାଦଳାପାଞ୍ଜିବର୍ଣ୍ଣିିତ ୧୨୩୭ ଖ୍ରୀଷ୍ଟାବ୍ଦ ପାଖାପାଖି ମଧ୍ୟ ନୁହେଁ ।

ଉପରୋକ୍ତ ଦୁଇଟି ଗ୍ରନ୍ଥରେ ଲେଖାଅଛି ଚୋଡ଼ଗଙ୍ଗଦେବ ଓଡ଼ିଶାର ରାଜା ହୋଇଥିଲେ ୧୦୫୪ ଶକାବ୍ଦ ଆଶ୍ୱିନ ୧୩ ରେ,ଅର୍ଥାତ୍‍ ୧୧୩୨ ଖ୍ରୀଷ୍ଟାବ୍ଦରେ । ସେଥିରୁ ହିସାବ କରି କୃପାସିନ୍ଧୁ କହିଛନ୍ତି, ନରସିଂହ ଦେବଙ୍କ ସିଂହାସନ ଆରୋହଣ ୧୨୩୭ ଖ୍ରୀଷ୍ଟାବ୍ଦ । କିନ୍ତୁ ଏହା ଗାଙ୍ଗୁଲୀ ପ୍ରଦତ୍ତ ବଂଶାବଳୀର ୧୨୫୮ ଖ୍ରୀଷ୍ଟାବ୍ଦ ସହିତ ମିଶୁ ନାହିଁ । ଚୋଡ଼ଗଙ୍ଗଦେବଙ୍କ ସିଂହାସନ ଆରୋହଣ ବର୍ଷରେ ମଧ୍ୟ ପ୍ରାୟ ଶହେ ବର୍ଷ ଫରକ୍‍ ।

କଟକ ଜିଲ୍ଲା କେନ୍ଦୁପାଟଣା ଗ୍ରାମର ଜମିଦାରଙ୍କ ଘରୁ ଦ୍ୱିତୀୟ ନରସିଂହଦେବଙ୍କ ଅମଳର ଦୁଇଟି ତମ୍ବାପଟ୍ଟା ଉଦ୍ଧାର କରି ଗବେଷକ ନଗେନ୍ଦ୍ରାଥ ବସୁ Asiatic Society of Bengalରେ ଗୋଟିଏ ସନ୍ଦର୍ଭ ଲେଖନ୍ତି । ଏହା, ପରେ ଓଡ଼ିଆ ପତି୍ରକା "ମୁକୁର'ରେ ପ୍ରକାଶିତ ହୋଇ ହଲଚଲ ସୃଷ୍ଟି କରେ ।(୧୭) ଯଦିଓ କୃପାସିନ୍ଧୁ ଏ ତମ୍ବାପଟ୍ଟା ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ଏଥିରୁ କେତେକ ଶ୍ଳୋକ ଅନୁବାଦ କରି ଆଠଜଣ ରାଜାଙ୍କ ଶାସନକାଳ ଉପସ୍ଥାପିତ କରିଛନ୍ତି (କୃପାସିନ୍ଧୁ-କୋଣାର୍କ-ପୃ୧୪୧) । ଏହା ଗାଙ୍ଗୁଲୀ ପ୍ରଦତ୍ତ ତଥ୍ୟରୁ ଫରକ ହେଉଛି । ତେବେ କ'ଣ ଦୁହେଁ ଦୁଇଟି ଭିନ୍ନ ଭିନ୍ନ ତମ୍ବାପଟାର ବୟାନ ଉପସ୍ଥାପନ କରିଛନ୍ତି ? ଯେହେତୁ ଗାଙ୍ଗୁଲୀ ପ୍ରଦତ୍ତ ତାଲିକାଟି(୧୮) ଏହାପରେ

କାର୍ଯ୍ୟରେ ଲାଗିବ, କିଛି ଉପପାଦିତ ତଥ୍ୟ ଏବଂ କୃପାସିନ୍ଧୁ ପ୍ରଦତ୍ତ ହିସାବ ଯୋଡ଼ି ତାଲିକାଟି ନିମ୍ନରେ ପ୍ରଦତ୍ତ ହେଲା । ଏହାପରେ ତାଲିକାଟି ବଂଶାବଳୀ ନାମରେ ଆଲୋଚିତ ହେବ ।

ଅର୍କକ୍ଷେତ୍ର କୋଣାର୍କ . ୧୫