Jump to content

ପୃଷ୍ଠା:Arkakshetra konark.pdf/୧୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରୀତିର ଲଜ୍ଜାରେ ଲଜ୍ଜିତ ସେମାନେ, କିନ୍ତୁ କୋଣାର୍କରେ ମନେ ହେବ, ନାୟକ ନାୟିକାମାନେ ଜୀବନର ଆଉ ପାଞ୍ଚଟା କାର୍ଯ୍ୟ ଭଳି କାମକଳାର ଚର୍ଚ୍ଚା ମଧ୍ୟ ସହଜ ଛନ୍ଦରେ କରି ଯାଉଛନ୍ତି । ଏଠାରେ ବହୁ ସ୍ଥାନରେ ମନେ ହେବ, ନାରୀ ତାହାର ସ୍ୱାଭାବିକ ପ୍ରାପ୍ତି ଆଗଭର ହୋଇ ଆହରଣ କରୁଛି, କୌଣସି ତ୍ରସ୍ତ ଗୋପନୀୟତା ନାହିଁ କିମ୍ବା ସମ୍ପୂର୍ଣ୍ଣ ଭୋଗରେ ବିରାଗ ନାହିଁ ।

"ତଦ୍ୱା ଅସୈ୍ୟତତ୍‍ ଅତିଛନ୍ଦାଃ ଅପହତପାପ୍ମାଭୟଂ ରୂପମ୍‍ । ତଦ୍‍ ଯଥା
ପ୍ରିୟୟା ସ୍ତ୍ରିୟା ସଂପରିଷ୍ୱକ୍ତୋ ନ ବାହ୍ୟ କିଞ୍ଚନ ବେଦ ନାନ୍ତରମ୍‍,
ଏବମେବାୟଂ ପୁରୁଷଃ ପ୍ରାଜ୍ଞେନାତ୍ମା ସଂପରିଷ୍ୱକ୍ତୋ ନ ବାହ୍ୟଂ
କିଞ୍ଚନ ବେଦ ନାନ୍ତରମ୍‍ ; ତଦ୍‍ବା ଅସୈ୍ୟତଦାପ୍ତକାମମାତ୍ମକାମମକାମଂ
ରୂପଂ ଶୋକାନ୍ତରମ୍‍ ।"
- ବୃହଦାରଣ୍ୟକ ଉପନିଷଦ-୪

ଆତ୍ମାର ଏଇ ରୂପଟି ଅତିଚ୍ଛନ୍ଦା, ଅର୍ଥାତ୍‍ କାମନା ରହିତ, ପାପରହିତ । ଏହା ଅନ୍ତରଙ୍ଗ ଅଭୟରୂପା, ଯେପରି ପ୍ରେମିକ ପ୍ରେମିକା ଦ୍ୱାରା ଆଲିଙ୍ଗନାବଦ୍ଧ ହେଲେ ବାହ୍ୟ ଓ ଅନ୍ତରଜ୍ଞାନ ଶୂନ୍ୟ ହୋଇଯାଏ । ଏହା ହିଁ ଆତ୍ମାର ଆପ୍ତକାମ, ଅକାମ ଓ ଶୋକାତୀତ ରୂପ ।

କୋଣାର୍କର ମିଥୁଗୁଡ଼ିକୁ ସେ ଯୁଗର ପ୍ରଚକ୍ଷୁ ଲଗେଇ ଲାଳସାମୁକ୍ତ ମନ ନେଇ ନିରୀକ୍ଷଣ କଲେ, ଉପରୋକ୍ତ ଶ୍ଲୋକଟି ଆପଣାଛାଏଁ ମନକୁ ଆସିଯିବ ।

ଶିଳ୍ପ ପରିକ୍ରମା :

କୋଣାର୍କ ବେଢ଼ା ଭିତରେ ଚାରିଟି ମନ୍ଦିର ଐତିହାସିକ ତଥା ଦର୍ଶାର୍ଥୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । (୮ନଂ. ରେଖାଚିତ୍ର ଦେଖନ୍ତୁ) ।

୧ । ନରସିଂହ ଦେବଙ୍କର ସୂର୍ଯ୍ୟ ମନ୍ଦିର

୨ । ପୁରାତନ ସୂର୍ଯ୍ୟ ମନ୍ଦିର

୩ । ଇଟା ତିଆରି ବିଷ୍ଣୁ ମନ୍ଦିର

୪ । ନାଟ ମଣ୍ଡପ

ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଭି୍ନ ଭି୍ନ ବିଷୟ ହେଲେ ମଧ୍ୟ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ମନ୍ଦିରର ଯେଉଁ ଅଂଶଗୁଡ଼ିକ 'ଶିଳ୍ପ ପରିକ୍ରମା' ପର୍ଯ୍ୟାୟଭୁକ୍ତ, ସେଗୁଡ଼ିକ ପୂର୍ବ ପୃଷ୍ଠାମାନଙ୍କରେ ବହୁଳ ଆଲୋଚିତ । ପୁଃପୌନିକତାର ଦୋଷରେ ଲେଖକ ଅଭିଯୁକ୍ତ ହୋଇପାରେ । କିନ୍ତୁ ପୂର୍ବେ ଯାହା ଆଲୋଚିତ ହୋଇଛି ତାହା ହୋଇ ନଥିଲେ ଆଗକୁ ଯାହା ଆଲୋଚିତ ହେବାକୁ ଯାଉଛି, ତାହା ବୁଝିବା ସହଜ ହୁଅନ୍ତା ନାହିଁ । ଚେଷ୍ଟା କରାଯିବ, ପୁଃପୌନିକତା ଯେତେଦୂର ସମ୍ଭବ କମ୍‍ ରଖି ଭାସ୍କର୍ଯ୍ୟ ଆଲୋଚନା କରିବାକୁ ।

ବଡ଼ ମନ୍ଦିରର ପ୍ରଥମ ପୃଷ୍ଠ ସ୍ୱତନ୍ତ୍ର ଆଲୋଚନାର ଦାବି ରଖେ କାରଣ ସେପରି ସୃଷ୍ଟି ଖାଲି ଓଡ଼ିଶାରେ କାହିଁକି, ଭାରତବର୍ଷର କୌଣସି ହିନ୍ଦୁ ମନ୍ଦିରରେ ହୋଇ ନାହିଁ, ଯଦିଓ ତାହାର ବୈଷୟିକ ଉପବିଭାଗଗୁଡ଼ିକ ଆଉ ପାଞ୍ଚଟା ମନ୍ଦିର ସହିତ ସମାନ । ପରିକ୍ରମା ତାହା ଚାରିପଟୁ ଆରମ୍ଭ ହେବ ।

୧. ନରସିଂହଦେବଙ୍କର ସୂର୍ଯ୍ୟ ମନ୍ଦିର :

ପୂର୍ବରୁ ଆଲୋଚିତ ହୋଇଛି, ବିମାନ ଓ ଜଗମୋହନ ଗୋଟିଏ ଉଚ୍ଚପୀଠ ଉପରେ ନିର୍ମିତ ହୋଇଥିଲା । ବିମାନ ଧ୍ୱଂସ ହେବା ପରେ ଏବଂ ବହୁ ମୂର୍ତ୍ତିି ଲୁଣ୍ଠିତ ହୋଇଯିବା ପରେ ମନେ ହୁଏ, ମନ୍ଦିର ଗାତ୍ରରେ ଯେତେ ଶିଳ୍ପ କର୍ମ ବର୍ତ୍ତମାନ ଅଛି, ପୀଠ ବାଡ଼ ଉପରେ ତାହାଠାରୁ ଅଧିକ ଥିବ ।

କେତେକ ଶିଳ୍ପ - ସମାଲୋଚକ ମନେ କରନ୍ତି, ମନ୍ଦିର ଗାତ୍ରର ଶିଳ୍ପକର୍ମ ତୁଳନାରେ ପୀଠ ଓ ନାଟମଣ୍ଡପର ଶିଳ୍ପକର୍ମ ନିମ୍ନ ଶ୍ରେଣୀର ।

କାରଣସ୍ୱରୂପ ସେମାନେ କହି ଥାଆନ୍ତି, ୧୨୦୦ ଶିଳ୍ପୀ କେବେହେଲେ ଏକ ସ୍ତରର ହୋଇ ନଥିବେ । ଏହା କହିବା କିନ୍ତୁ ଠିକ୍‍ ହେବ ନାହିଁ, ପୀଠ

ଅର୍କକ୍ଷେତ୍ର କୋଣାର୍କ . ୧୫୧