ପୃଷ୍ଠା:Arkakshetra konark.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବଂଶାବଳୀ ୧୦୭୫ ଖ୍ରୀଷ୍ଟାବ୍ଦ
ଷ୍ଟାର୍ଲିିଂ-ମାଦଳାପାଞ୍ଜି ୧୧୩୨ ଖ୍ରୀଷ୍ଟାବ୍ଦ/୧୦୫୪ ଶକାବ୍ଦ (କୃପାସିନ୍ଧୁ, ପୃ-୧୪୦)
କରୁଣାସାଗର ୧୧୧୨ ଖ୍ରୀଷ୍ଟାବ୍ଦ(୧୯)

ବଂଶାବଳୀ ଅନୁଯାୟୀ ଚୋଡ଼ଗଙ୍ଗଦେବଙ୍କଠାରୁ ନରସିଂହଦେବଙ୍କ ସିଂହାସନ ଆରୋହଣ ୧୮୩ବର୍ଷ । ଯେବେ ନରସିଂହଦେବଙ୍କ ସିଂହାସନ ଆରୋହଣ ୧୨୩୮ ଖ୍ରୀଷ୍ଟାବ୍ଦ ହୁଏ ଚୋଡ଼ଗଙ୍ଗଦେବ ରାଜା ହୋଇଥିବେ ୧୦୫୫ ଖ୍ରୀଷ୍ଟାବ୍ଦରେ, ୧୦୭୫ରେ ନୁହେଁ । ଏହା ହିସାବ ମାତ୍ର, ନିର୍ଣ୍ଣୟ ନୁହେଁ ।

ଚୋଡ଼ଗଙ୍ଗଦେବଙ୍କୁ ଗଙ୍ଗବଂଶର ସୃଷ୍ଟିକର୍ତ୍ତା ଏବଂ ଓଡ଼ିଶା ସେ ସମୟରେ ଗୋଟିଏ ସ୍ୱତନ୍ତ୍ର ଦେଶ ଭାବିନେଲାରୁ ଏପରି ବିଭ୍ରାନ୍ତି ସୃଷ୍ଟି ହୋଇଛି । ଚୋଡ଼ଗଙ୍ଗଦେବଙ୍କ ପୂର୍ବେ ମଧ୍ୟ ଗଙ୍ଗବଂଶ ଥିଲା । ଆଗକୁ ଯାଇ ଦେଖାଯାଉ ଯୁକ୍ତିଯୁକ୍ତ ଭାବେ ଏ ଜଟ ଛଡ଼ାଯିବ କିପରି ? ବହୁ ବର୍ଷ ପୂର୍ବେ ଗଙ୍ଗବଂଶର ଦୁଇଟି ଧାରା ପ୍ରବାହିତ ହେଉଥିଲା: ପଶ୍ଚିମ-ଗଙ୍ଗବଂଶ ଓ ପୂର୍ବ-ଗଙ୍ଗବଂଶ । ପଶ୍ଚିମ-ଗଙ୍ଗବଂଶ ମୂଳତଃ କର୍ଣ୍ଣାଟକରେ ରାଜତ୍ୱ କରୁଥିଲେ ଏବଂ ପୂର୍ବ-ଗଙ୍ଗବଂଶର ରାଜତ୍ୱ ଥିଲା ଗୋଦାବରୀର ଉତ୍ତର ପଟେ । ଦୁଇଟି ଧାରା ମଧ୍ୟରେ କୌଣସି ଯୋଗସୂତ୍ର ଥିଲା କି ନାହିଁ ଜଣାନାହିଁ । ତେବେ ପଶ୍ଚିମ-ଗଙ୍ଗବଂଶ ଥିଲା ଅଧିକ ପୁରାତନ - ତୃତୀୟ ଶତାବ୍ଦୀରୁ ଦଶମ ଶତାବ୍ଦୀ । ପୂର୍ବ-ଗଙ୍ଗବଂଶର ଶାସନକାଳ ଏକାଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀଯାଏ ବିସ୍ତୃତ ଥିଲା ।(୨୦)

ଯେଉଁ ସମୟର କଥା କୁହାଯାଉଛି ସେ ସମୟରେ କୌଣସି ରାଜ୍ୟର କୌଣସି ନିର୍ଦ୍ଦିଷ୍ଟ ସୀମା ନଥିଲା । ଗଙ୍ଗବଂଶ ଛଡ଼ା ଦକ୍ଷିଣରେ ପଲ୍ଲଭ, ଚାଲୁକ୍ୟ, କଦମ୍ବ ଏବଂ ଉତ୍ତରରେ କେଶରୀ ବଂଶ ଛଡ଼ା ଛୋଟ ବଡ଼ ବହୁ ନରପତି ରାଜୁତି କରୁଥିଲେ । ଏମାନେ ସର୍ବଦା ସଚେଷ୍ଟ ଥିଲେ, ଯୁଦ୍ଧ ଦ୍ୱାରା ଅଥବା ବୈବାହିକ ସଂପର୍କ ସ୍ଥାପନ କରି ନିଜ ନିଜ ରାଜ୍ୟର ସୀମା ବୃଦ୍ଧି କରିବାକୁ ।

ଆଜିକାର ଓଡ଼ିଶାର ରୂପ ସେ ଯୁଗରେ ନ ଥିଲା । କଳିଙ୍ଗ ନାମକ ଗୋଟିଏ ଉନ୍ନତ ଦେଶ କଥା ମହାଭାରତରେ ଉଲ୍ଲେଖ ଅଛି । ବାଳିଙ୍କ ସ୍ତ୍ରୀ ସୁଦେଷ୍ଣା, ମୁନି ଦୀର୍ଘାତ୍ମାଙ୍କ ଦ୍ୱାରା ପାଞ୍ଚଟି ପୁତ୍ର ଉତ୍ପାଦନ କଲେ - ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସମହ । ଏମାନଙ୍କ ରାଜ୍ୟଗୁଡ଼ିକ ଏମାନଙ୍କ ନାମ ବହନ କଲା । କ୍ରମେ କଳିଙ୍ଗ ଓ ବଙ୍ଗ ଛଡ଼ା ଅନ୍ୟ ରାଜ୍ୟଗୁଡ଼ିକ ହଜିଗଲା । ବ୍ରହ୍ମପୁରାଣ ଅନୁଯାୟୀ ଦୀର୍ଘାତ୍ମା ଉତଥ୍ୟଙ୍କ ପୁତ୍ର, ଯେଉଁ ଉତଥ୍ୟଙ୍କ ନାମ ଋଗବେଦରେ ମିଳୁଛି । ମନେହୁଏ, କଳିଙ୍ଗର ଖ୍ୟାତି ବୈଦିକ ଯୁଗ ଯାଏ ଲମ୍ବିଥିଲା । ମହାଭାରତରେ ଆହୁରି ମିଳୁଛି, ଦୁର୍ଯ୍ୟୋଧନ କଳିଙ୍ଗରାଜ ଚିତ୍ରାଙ୍ଗଦଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ମହାଭାରତ ସମୟରେ କଳିଙ୍ଗର ସୀମାରେଖା ଥିଲା; ଉତ୍ତରରେ ବୈତରଣୀ, ଦକ୍ଷିଣରେ ଗୋଦାବରୀ, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଛୋଟ ଛୋଟ ରାଜ୍ୟସମୂହ । ଉତ୍କଳର ସୀମାରେଖା ସେସମୟରେ ଦକ୍ଷିଣରେ ବୈତରଣୀ ଓ ଉତ୍ତରରେ ତାମ୍ରଲିପ୍ତ ଅଥବା ଆଜିକାର ତମଲୁକ୍‍ ଯାଏ ବିସ୍ତୃତ ଥିଲା । କଳିଙ୍ଗ ଓ ଉତ୍କଳ ନାମରେ ଦୁଇଟି ଭୂଖଣ୍ଡର ଆଂଶିକ ମିଳନ-ବିଚ୍ଛେଦ (ଜୟ-ପରାଜୟ) ଲାଗି ରହିଥିଲା । ରାଜନୈତିକ ଭଙ୍ଗାଗଢ଼ା ଛଡ଼ା ନଦୀମାତୃକ ଦେଶଟିରେ ଭୌଗୋଳିକ ଭଙ୍ଗାଗଢ଼ା ମଧ୍ୟ ଲାଗି ରହିଥିଲା । ସମୁଦ୍ରାଭିମୁଖୀ ଶତ ଶତ ନଦୀନାଳର ନିୟତ ମିଳନ-ବିଚ୍ଛେଦ ଫଳରେ ଭୂମିର ନକ୍ସା ଘନଘନ ବଦଳି ଯାଉଥିଲା । କଳିଙ୍ଗର ସୀମାରେଖା ଦକ୍ଷିଣରେ ଗୋଦାବରୀଠାରୁ ଉତ୍ତରରେ ଉତ୍କଳର ସୀମାରେଖା ଯାଏ ବିସ୍ତୃତ ଥିଲା ।(୨୧) କ୍ରମେ କଳିଙ୍ଗ ଉତ୍କଳକୁ ଆତ୍ମସାତ୍‍ କରିନେଲା । ନରସିଂହଦେବଙ୍କ ସମୟରେ ରାଜ୍ୟସୀମା ଗୋଦାବରୀଠାରୁ ଗୌଡ଼ ବଙ୍ଗଯାଏ ବିସ୍ତାର ଲାଭ କରିଥିଲା ।

ଓଡ଼ିଶା ଗଙ୍ଗବଂଶର ଇତିହାସ(୨୨)

ଚୋଡ଼ଗଙ୍ଗଦେବଙ୍କ ଉତ୍‍ଥାନ ପୂର୍ବରୁ ଗଙ୍ଗ ବଂଶର ରାଜଧାନୀ ଥିଲା କଳିଙ୍ଗ ନଗର, ଯାହା ବଂଶଧାରା ନଦୀ ତୀରରେ ଅବସ୍ଥିତ ଓ ଆଜି ଆନ୍ଧ୍ରର ଶ୍ରୀକାକୁଲମ୍‍ ଜିଲ୍ଲାରେ ନଗରୀ-କଟକ ନାମରେ ପରିଚିତ । ଗଙ୍ଗବଂଶର ରାଜାମାନେ କଳିଙ୍ଗନଗର ରାଜଧାନୀଠାରେ ପ୍ରାୟ ୪୦୦ ବର୍ଷ ରାଜତ୍ୱ କରିଥିଲେ । କ୍ରମେ ରାଜ୍ୟସୀମା ଦକ୍ଷିଣରେ ସୀମାଚଳ ପର୍ବତ ଶ୍ରେଣୀ ଓ ଉତ୍ତରରେ ଋଷିକୁଲ୍ୟା ନଦୀ ଯାଏ ସଂକୁଚିତ ହୋଇ ଯାଇଥିଲା । ଚାରିଶହ ବର୍ଷ ମଧ୍ୟରେ କିଏ କିଏ ରାଜତ୍ୱ କରୁଥିଲେ ଜଣାପଡ଼ୁ ନାହିଁ । ତେବେ ଦଶମ ଶତାବ୍ଦୀରେ ରାଜା ମଧୁକାମାର୍ଣ୍ଣବଦେବ ଏବଂ ତାଙ୍କ ପୁତ୍ର ବଜ୍ରହସ୍ତଦେବଙ୍କ ନାମ ଆସିଯାଉଛି । ମଧୁକାମାର୍ଣ୍ଣବ ମଧୁକେଶ୍ୱର ଶିବ ମନ୍ଦିର ଗଢ଼ିଥିଲେ ଏବଂ ରାଜାମାନେ ଶୈବ ଥିଲେ ଯଦିଓ ଶ୍ରୀକୂର୍ମପାତକଠାରେ ବୈଷ୍ଣବ ଧର୍ମଚର୍ଚ୍ଚା ମଧ୍ୟ ଥିଲା । ନୃତ୍ୟ କଳା, ସଂସ୍କୃତ ଭାଷା ଚର୍ଚ୍ଚା, ଦର୍ଶନ ଚର୍ଚ୍ଚା ଏବଂ ବିଶେଷକରି ବୈଷ୍ଣବ ଧର୍ମଚର୍ଚ୍ଚାର କେନ୍ଦ୍ର ରୂପେ କଳିଙ୍ଗନଗରଠାରୁ ୧୯ କିଲୋମିଟର ଦୂରରେ ଶ୍ରୀକୂର୍ମପାତକ ନାମକ ଗୋଟିଏ କେନ୍ଦ୍ର ବଜ୍ରହସ୍ତଦେବ ଗଢ଼ି ତୋଳିଥିଲୋ ପରବର୍ତ୍ତୀ ଯୁଗରେ ଏଠାରୁ ଓଡ଼ିଶା ସହ ସାଂସ୍କୃତିକ ଆଦାନ ପ୍ରଦାନର ଇତିହାସ ମିଳୁଛି ।

ଅର୍କକ୍ଷେତ୍ର କୋଣାର୍କ . ୧୭