ତବ୍କ୍ୱିତ୍-ଇ-ନସିରୀର ଲେଖକ ମିନାତ୍-ଇ-ସିରାଜ୍ ନିଜେ ତୁଘନ୍ ଖାନ୍ଙ୍କ ସଙ୍ଗରେ ଥିଲେ । ତାଙ୍କ ବିବରଣୀ War-Reporter ସୁଲଭ ଚଟକ୍ଦାର ହୋଇଥାଇପାରେ କିନ୍ତୁ ମିତ୍ରପକ୍ଷର ଉଲ୍ଲାସର କାରଣ ହେଲା ନାହିଁ । ସେ ଲେଖିଛନ୍ତି, ଆଗଉଥିବା ମୁସଲମାନ ବାହିନୀ ସମ୍ମୁଖରୁ କଳିଙ୍ଗ ବାହିନୀ ଏତେ ବେଗରେ ପଳାୟନ କରିଲେ ଯେ ଲୁଟ୍ କରିବାକୁ ଏକମାତ୍ର ହାତୀ ଗୋବର ଛଡ଼ା ମୁସଲମାନ ବାହିନୀ କିଛି ପାଇଲେ ନାହିଁ । ଶ୍ରାନ୍ତ ମୁସଲମାନ ସୈନ୍ୟ ଯେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ ଛାଉଣିକୁ ଫେରୁଛନ୍ତି, ବାଉଁଶ ବଣ ଭିତରୁ କଳିଙ୍ଗ ଯୋଦ୍ଧା ହଠାତ୍ ଚାରିପଟୁ ବାହାରି ଆସି ଏପରି ପ୍ରହାର କଲେ ଯେ ତୁଘନ ଖାନ୍ ବହୁ ଯୋଦ୍ଧା ହରେଇ ଫେରିଗଲେ ଲକ୍ଷ୍ମଣାବତୀକୁ । ପ୍ରବଳ ପ୍ରତିପକ୍ଷ ବିରୋଧରେ ଏହା ଥିଲା ନରସିଂହଦେବଙ୍କର ଅବ୍ୟର୍ଥ ରଣକୌଶଳ, ଯାହା ଆଜି ମଧ୍ୟ ଆଧୁିନିକ ଯୁଦ୍ଧରେ ସମୟେ ସମୟେ ବ୍ୟବହୃତ ହୋଇଥାଏ ।
ଏହା ପରବର୍ଷ ନରସିଂହଦେବ ପୁଣି ହଠାତ୍ ଆକ୍ରମଣ କରି ମୁସଲମାନ ସୈନ୍ୟମାନଙ୍କୁ ଲକ୍ଷ୍ମଣାବତୀ ଦୁର୍ଗଯାଏ ତଡ଼ି ନେଲେ । ବାଟରେ ଲଖନୋରର ମୌଜାର ଶାସକ ଫକର-ଉଲ୍-ମୁଲକ୍-କରିମ୍-ଉଦ୍-ଦି୍ ଲଘାରୀ ପରାଜିତ ହେଲେ । ଏହା ଥିଲା ୧୪ ମାର୍ଚ୍ଚ ୧୨୪୫ ଏବଂ ଏ ଆକ୍ରମଣର ସେନାନାୟକ ଥିଲେ ନରସିଂହଦେବଙ୍କ ଜାମାତା କୌଣସି ଏକ ସାମନ୍ତରାୟ । ସାମନ୍ତରାୟ ନରସିଂହ ଦେବଙ୍କ ଜାମାତା ହେବା ସମ୍ଭବ ମନେ ହେଉ ନାହିଁ । କାରଣ ପାଣ୍ଡ୍ୟା ରାଜକନ୍ୟାଙ୍କୁ ବିବାହ କରି ପାରି ଥାଆନ୍ତି ଯୁଦ୍ଧରୁ ଫେରି ୧୨୩୭ ଖ୍ରୀଷ୍ଟାବ୍ଦରେ । ୧୨୪୫ ବେଳକୁ ତାଙ୍କ ସନ୍ତାନର ବୟସ ୭ ବର୍ଷ ମାତ୍ର, ଜାମାତାଙ୍କ ବୟସ କେତେ ଏବଂ ସେଇ ବାଳକ ବୟସରେ ସେନାନାୟକ ହେବା ସମ୍ଭବ କି ? ଅଥଚ କରୁଣାସାଗର ସାମନ୍ତରାୟଙ୍କ ପରିଚୟ ଦେବାକୁ ଯାଇ ଲେଖିଛନ୍ତି, Who is styled the 'Son-in-law of the Rae"(Konark-Vol-I,P-21) ଅବଶ୍ୟ କୌତୁକରେ ରାଜାଙ୍କ ଅତିପ୍ରିୟ ସେନାନାୟକଙ୍କୁ ଏପରି ସମ୍ବୋଧନ କରାଯାଇ ଥାଇପାରେ ।
ତୁଘନ୍ ଖାନ୍ ବାହାରି ଆସିଲେ । ଯୁଦ୍ଧ କରିବାକୁ କିନ୍ତୁ ତିଷ୍ଠି ନପାରି ଦୁର୍ଗ ମଧ୍ୟକୁ ପଳାୟନ କଲେ । ଦୁର୍ଗ ରହିଲା ଅବରୋଧରେ । ଦ୍ୱିତୀୟ ଦିନ ଯେତେବେଳେ ଖବର ଆସିଲା ଦୋଆବ୍ ଓ ଅଉଧରୁ ସାହାଯ୍ୟ ଆସୁଛି ତୁଘନ୍ ଖାନ୍ଙ୍କ ନିକଟକୁ, କଳିଙ୍ଗ ବାହିନୀ ପୁଣି ପଛେଇଗଲେ ନିଜ ସୀମା ମଧ୍ୟକୁ । ସାହାଯ୍ୟକାରୀ ବାହିନୀର ସେନାପତି ତୁମର ଖାନ୍ ଲକ୍ଷ୍ମଣାବତୀ ପହଞ୍ଚି ତୁଘନ୍ ଖାନ୍ଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନିଜେ ଗଡ଼ ଦଖଲ କରିଗଲେ । ଏ ଗଣ୍ଡଗୋଳର ସୁଯୋଗ ନେଇ କଳିଙ୍ଗ ବାହିନୀ ବେଶ୍ କିଛି ମୁସଲିମ୍ ଅଞ୍ଚଳ ଲୁଣ୍ଠନ କଲେ ଏବଂ କିଛି ଅଂଶ ଦଖଲ କରିଗଲେ । ମିଜାଜ୍-ଇ-ସିରାଜ୍ ଏ ବିବରଣୀ ତାଙ୍କ ଅନବଦ୍ୟ ଭାଷାରେ ଲିପିବଦ୍ଧ କରିଲେ ତବ୍କ୍ୱିତ୍-ଇ-ନସରୀରେ । ଏହା ମାଦଳା ପାଞ୍ଜିରେ ପଞ୍ଜୀକୃତ ହେଲା ଏବଂ ସ୍ୱର୍ଣ୍ଣାକ୍ଷରରେ ଲେଖାହେଲା ନରସିଂହ ପରବର୍ତ୍ତୀ ନୃପତିମାନଙ୍କ ତମ୍ବାପଟାରେ ।
ବେଶ୍ କିଛି ବର୍ଷ ଶାନ୍ତି କାଏମ୍ ରହିଲା । ବଙ୍ଗ ଶାସକ ନରସିଂହଦେବଙ୍କୁ ଉତ୍ତ୍ୟକ୍ତ କରିବାକୁ ଚାହିଁଲେ ନାହିଁ, କିନ୍ତୁ ୧୨୪୯ ଖ୍ରୀଷ୍ଟାବ୍ଦରେ ଲକ୍ଷ୍ମଣାବତୀ ଶାସକ ଇଖତିୟାର୍-ଉଦ୍-ଦି୍-ଉଜ୍ବୁକ୍-ଇ-ତୁଘ୍ରିଲ୍ ଖାନ୍ ଚେଷ୍ଟା କରିଲେ ଉଦ୍ଧାର କରିବାକୁ ସେଇସବୁ ଅଞ୍ଚଳ, ଯାହା ୧୨୪୫ ଯୁଦ୍ଧରେ ସେନାପତି ସାମନ୍ତରାୟ ଦଖଲ କରି ରଖିଥିଲେ । ପ୍ରଥମ ଆକ୍ରମଣରେ ସାମନ୍ତରାୟ ହାରିଲେ । ଦ୍ୱିତୀୟ ଯୁଦ୍ଧରେ ମଧ୍ୟ ସାମନ୍ତରାୟ ପୁଣି ହାରିଲେ । କିନ୍ତୁ ତୃତୀୟ ଯୁଦ୍ଧରେ ହାରି ଯାଇ ମାଲିକ୍ ଉଜ୍ବୁକ୍ ପଳାୟନ କରିଲେ । (ତବ୍କି୍ୱତ୍-ଇ-ନସିରୀ ପୃ ୭୬୩) । ପରବର୍ଷ ମାଲିକ ଉଜ୍ବୁକ୍ ଦିଲ୍ଲୀରୁ ସାହାଯ୍ୟ ଆଣି କଳିଙ୍ଗ ସେନାଙ୍କୁ ଠେଲି ନେଇଗଲେ ଉମୁର୍ଦାନ୍ ଯାଏ (ଆଜିକାର ଅମର୍ଦ୍ଦାରୋଡ଼ ହୋଇପାରେ) । ପ୍ରଫେସର ହବିବୁଲ୍ଲାଙ୍କ ମତରେ ସ୍ଥାନଟି ହୁଗୁଲି-ମେଦିାପୁର ସୀମାନ୍ତର ଗଡ଼-ମନ୍ଦାରଣା ।(୩୨)
ଏହାପରେ ଆଉ ନ ଆଗେଇ ମାଲିକ୍ ଉଜ୍ବୁକ୍ ନଦୀୟା ଦିଗକୁ ଆଗେଇଲେ ଏବଂ କାମରୂପ ଜୟକରିବାକୁ ଯିବା ବାଟରେ ମୃତ୍ୟୁବରଣ କଲେ ୧୨୫୭ ସାଲରେ । ତ୍ରୟୋଦଶ ଶତାବ୍ଦୀର ବାକି ସମୟ ଓଡ଼ିଶାରେ ଶାନ୍ତି ବିରାଜମାନ ହୋଇଥିଲା ।
ଓଡ଼ିଶାର ଗୋଟିଏ ସମୟର ଇତିହାସ ଏତେ ବିସ୍ତୃତ ଭାବେ ଉପସ୍ଥାପିତ କରାଗଲା ଏହା ପ୍ରମାଣ କରିବାକୁ, ଗୋଟିଏ କି ଯୋଡ଼ିଏ ଛାଡ଼ିଦେଲେ ବାକି ସବୁ ବର୍ଷ ଓ ଘଟଣା ଘଟିଛି ୧୨୩୮ଠାରୁ ୧୨୬୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏବଂ ନରସିଂହ ଦେବଙ୍କୁ ସଂପୃକ୍ତ କରି । ଏତେ ଗୁଡ଼ିଏ ଇତିହାସ, ଶିଳାଲିପି, ତାମ୍ରପଟ୍ଟା, ଅନୁଶାସନ ଓ ଏତେଗୁଡ଼ିକ ଐତିହାସିକ ନାମ କଳ୍ପିତ କାହାଣୀ ହୋଇ ପାରେନା । ଏହାହିଁ ଶେଷ ଓ ସର୍ବୋତ୍କୃଷ୍ଟ ପ୍ରମାଣ, ଲାଙ୍ଗୁଳା ନରସିଂହଦେବଙ୍କ ଶାସନକାଳ ୧୨୩୮ଠାରୁ ୧୨୬୪ ଖ୍ରୀଷ୍ଟାବ୍ଦ ।
କୋଣାର୍କ ମନ୍ଦିର ତୋଳାହେବାର କାଳ :
ବର୍ତ୍ତମାନ ଦେଖାଯାଉ କୋଣାର୍କ ମନ୍ଦିର କେବେ ନିର୍ମାଣ ହେଲା ଏବଂ ତାହା ପ୍ରଥମ ନରସିଂହ ଦେବଙ୍କ ଅମଳରେ ଅଥବା ନୁହେଁ । ମାଦଳାପାଞ୍ଜିର ଗୋଟିଏ ଶ୍ଳୋକ ଯାହାର ଉଦ୍ଧୃତି ଅଧିକାଂଶ ଐତିହାସିକ ଦେଇଥାଆନ୍ତି, ତାହା ନିମ୍ନରେ ପ୍ରଦତ୍ତ ହେଲା ।
"ସପୁଚ୍ଛ ନରସିଂହେନ କ୍ଷ୍ମେଶ୍ୱରଣାଂଶୁମାଳିଃ ।
ପ୍ରାସାଦଃ କାରିତୋ ରାଜ୍ଞା ଶକେ ଦ୍ୱାଦଶକେ ଶତେ ।"
ଅର୍କକ୍ଷେତ୍ର କୋଣାର୍କ . ୨୧