Jump to content

ପୃଷ୍ଠା:Arkakshetra konark.pdf/୨୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜମ୍ବୁ-ବାଳା, ପୁଣି ନରସିଂହ ରାଣ
ରହିଲେ ସେଦି ସିନ୍ଦୁକ-ପାଶେ
ଅରୁଣ ସରବେ ଦେଖିଲେ ସେ'ପୁରେ
ନଦୀ-ଧାରେ ଖାଲି ସିନ୍ଦୁକ ଭାସେ । (ପୃ-୪୦୪)
× × ×
ଶିବେଇ ସାମଂତ୍ରା ହକରା ଲଭିଲେ,
କୁଶଳ ସ୍ଥପତି ଆସିଲେ ଖରେ;
ମାୟାଦେବୀ-ପୁରେ ମୂଳ କରି ଶୁଭ,
ତୋଳିଲେ କୋଣାର୍କ ତଟିୀ ଜଳେ । (ପୃ-୪୦୪)

କାବ୍ୟଟିରେ କୌଣସିଠାରେ ଦୁଇଜଣ ରାଣୀଙ୍କ ପ୍ରକୃତ ନାମର ଉଲ୍ଲେଖ ନାହିଁ । ପୃଷ୍ଠା ୩୫୯ର ପାଦଟୀକାରେ କୁହାଯାଇଛି, "ନରସିଂହଦେବ ବଣରେ ଯାହାଙ୍କ ପ୍ରୀତିରେ ପଡ଼ିଥିଲେ, ତାହାଙ୍କୁ ଅନଙ୍ଗଭୀମଦେବ କଥା ଛଳରେ 'ମାୟାଦେବୀ" ବୋଲି କହି ପକାଇଲେ । (ନୀଳକଣ୍ଠ ଗ୍ରନ୍ଥାବଳୀମା ୟାଦେବୀ- ପୃ. ୩୩୩-୪୦୭)

ଏ ଗଳ୍ପର ଅନ୍ୟ ମୋଡ଼ ଦେଇ ଗୋଦାବରୀଶ ମହାପାତ୍ର, 'ନିଆଁଖୁଣ୍ଟା'ର ୧୯୬୫ ସେପ୍ଟେମ୍ବର ସଂଖ୍ୟାରେ ଲେଖିଲେ :

"ପୁଣ୍ୟଭୂମି ଭାରତରେ କାଶ୍ମୀର ଏ ଭୂସ୍ୱର୍ଗ ଭୂଷଣ
ଉତ୍‍କଳର ମହାରାଣୀ 'ମାୟାଦେବୀ' ପୁଣ୍ୟ ଜନ୍ମସ୍ଥାନ
ଯା ପୁଣ୍ୟ ସ୍ମୃତିରେ ରାଜେ ଏ ରାଇଜେ କୋଣାର୍କ ମହିମା
'ଲାଦାଖ୍‍' ସେପାଖୁ କୁମାରିକା ଭାରତର ସୀମା ।" ଇତ୍ୟାଦି ।
(ଗୋଦାବରୀଶ ରଚନାବଳୀ- ୫ମ ଖଣ୍ଡ-୨୬୦ ପୃଷ୍ଠା)

ପାଦଟୀକାରେ ଗୋଦାବରୀଶ ମହାପାତ୍ର ଲେଖିଛନ୍ତି, ଏ ବିବାହର କଥାବାର୍ତ୍ତା କରିବା ପାଇଁ 'ସାହିତ୍ୟ ଦର୍ପଣ'ର ବିଶ୍ୱାଥ କବିରାଜ କାଶ୍ମୀର ଯାଇଥିଲେ । ଗୋଦାବରୀଶଙ୍କ କାବ୍ୟ ଅନୁସାରେ ମାୟାଦେବୀ କାଶ୍ମୀର କନ୍ୟା, କିନ୍ତୁ ନୀଳକଣ୍ଠଙ୍କ ଅନୁସାରେ ଶିଶୁପାଳଗଡ଼ କନ୍ୟା, କାଶ୍ମୀର କନ୍ୟା ଅନ୍ୟ ଜଣେ । ସେଥିରୁ ଚାରି ରାଣୀ କଥା ଉଠୁଛି ।

କରୁଣାସାଗର କିନ୍ତୁ ଉପାଖ୍ୟାନଟି ସମ୍ପୂର୍ଣ୍ଣ ନାକଚ୍‍ କରି ଦେଇଛନ୍ତି । ତାଙ୍କ ମତ, ବିଶ୍ୱନାଥ କବିରାଜ ଆଦୌ ନରସିଂହଙ୍କ ପିତା ଅନଙ୍ଗଭୀମଙ୍କର ସମସାମୟିକ ନୁହନ୍ତି । ତାଙ୍କ ମତରେ ମାଲଓ୍ୱା ରାଜକନ୍ୟା ସୀତାଦେବୀ ଏକମାତ୍ର epigraphic ପ୍ରମାଣସିଦ୍ଧ ନରସିଂହ ରାଣୀ(୨୯୪) ଏବଂ ବାୟାଚକଡ଼ାର ବିଶ୍ୱସନୀୟତା ସନ୍ଦେହର ଊର୍ଦ୍ଧ୍ୱରେ ନୁହେଁ ।

ଇତିହାସ ଯାହା କହୁ ପଛେ, ତାଜମହଲ ଗଢ଼ାହେବାର ବହୁ ପୂର୍ବେ ପଣ୍ଡିତ ନୀଳକଣ୍ଠ ଏବଂ ଗୋଦାବରୀଶ ମହାପାତ୍ର ଗଢ଼ିଥିଲେ 'ପ୍ରେମର କୋଣାର୍କ', ଯେଉଁଥିରେ ବାଧା ଦେଇଛନ୍ତି ରସହୀନ ଐତିହାସିକ କରୁଣାସାଗର ! କରୁଣାସାଗରଙ୍କ କଥା ଛାଡ଼ିଦେଲେ ମଧ୍ୟ ସୂର୍ଯ୍ୟ ମନ୍ଦିରକୁ ସମାଧିର ମାନ୍ୟତା ଦେବା କାବ୍ୟିକ ଛନ୍ଦପତନ ।

ଜାଉଖିଆ ଗଳ୍ପ :

କୋଣାର୍କ ମନ୍ଦିରର ମୂଳ ପୀଠ ଗଢ଼ିବାରେ ଅସମର୍ଥ ଶିବେଇ ସାମନ୍ତରା, ଗଭୀର ଚିନ୍ତାମଗ୍ନ ହୋଇ କୌଣସି ଏକ ବୃଦ୍ଧାର କୁଟୀର ଦ୍ୱାରରେ ବସିଥିଲେ । ସେ ଥିଲେ କ୍ଷୁଧାର୍ତ୍ତ । ବୃଦ୍ଧା ତାଙ୍କୁ ଡାକି ନେଇ ଜାଉ ପରଷିଥିଲେ । ଅନ୍ୟମନସ୍କ ସ୍ଥପତି ଗରମ ଜାଉ ମଝିରେ ହାତ ପୂରେଇ କଷ୍ଟ ପାଇଲେ ଏବଂ ବୁଢ଼ୀଟି ହସି ହସି କହିଲେ, "ପୁଅ, ତୁ ତ ଶିବେଇ ସାଁତରା ଗଣ୍ଡ ପୋତିଲା ଭଳି ଜାଉ ଖାଉଛୁ ।" ସମାଧାନଟି ବିଦ୍ୟୁତ୍‍ ଭଳି ମନକୁ

ଛୁଇଁଗଲା ସ୍ଥପତିଙ୍କ । ସେ ଏହା ପରେ ଗଣ୍ଡ ମଝିରେ ପଥର ନ ପକାଇ କୂଳରୁ ପଥର ପକେଇ ପକେଇ ଗଲେ ଓ ସମସ୍ୟାର ସମାଧାନ ହୋଇଗଲା ।

ଅର୍କକ୍ଷେତ୍ର କୋଣାର୍କ . ୨୩୧