ପୃଷ୍ଠା:Arkakshetra konark.pdf/୨୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କୋଣାର୍କ ବି ତୁମ ପରି

ଅର୍ଦ୍ଧେକ ସେ ନିବୁଜ ମୁଖଶାଳା

ଅର୍ଦ୍ଧେକ କଳ୍ପନା ।

ଅଶ୍ୱିୀ କୁମାର ଘୋଷଙ୍କର 'କୋଣାର୍କ' ନାଟକ ପ୍ରକାଶ ପାଏ ୧୯୫୦ ସାଲରେ । ପ୍ରାୟ ସେଇ ସମୟରେ କୋଣାର୍କ ଉପରେ ଗୋଟିଏ ହିନ୍ଦୀ ନାଟକ ଲେଖନ୍ତି ଜଗଦୀଶ ଚନ୍ଦ୍ର ମାଥୁର । 'କୋଣାର୍କ ଦେଉଳ' ନାମକ ବଙ୍ଗଳା ନାଟକ ଗୋଟିଏ ଲେଖିଥିଲେ ଚିତ୍ତରଞ୍ଜନ ମାଇତି, ଶେଷୋକ୍ତ ନାଟକ ଦୁଇଟି ମଞ୍ଚସ୍ଥ ହୋଇଥିଲା ଅଥବା ନାହିଁ ଜଣା ନାହିଁ କିନ୍ତୁ ଅଶ୍ୱିୀ ଘୋଷଙ୍କ ନାଟକ, ଅନ୍ନପୂର୍ଣ୍ଣା ଏ-ଗ୍ରୁପ୍‍ ଦ୍ୱାରା ମଞ୍ଚସ୍ଥ ହୋଇ ଚାଲେ ଦୀର୍ଘ ଦୁଇ ବର୍ଷ । ଅଶ୍ୱିୀ କୁମାର "କଳାପାହାଡ଼' ନାମକ ଆହୁରି ଗୋଟିଏ ନାଟକ ରଚନା କରିଥିଲେ । ତାହା ମଞ୍ଚସ୍ଥ ହୋଇଥିଲା ଅଥବା ନାହିଁ ତାହା ଜଣା ନାହିଁ ।

'ସୂର୍ଯ୍ୟ ପ୍ରାଙ୍ଗଣ' ନାମକ ଗୋଟିଏ ଉପନ୍ୟାସ, ମୂଳ ବଙ୍ଗଳାରେ ଲେଖିଥିଲେ ବିଶ୍ୱନାଥ ରାୟ, ତାହାର ଓଡ଼ିଆ ଅନୁବାଦ କରନ୍ତି କେହି ଜଣେ ଶ୍ରୀବାସ କର ୧୯୮୮ରେ । ଗଳ୍ପଟିର ସାର ନିମ୍ନରେ ରଖାଗଲା ।

ରାଜା ନରସିଂହଦେବ, ବଙ୍ଗବିଜୟ ସମୟରେ ସେଠାକାର କୌଣସି ଏକ ମନ୍ଦିରରୁ ସୂର୍ଯ୍ୟପୂଜା ଆମଦାନି କରି ନିଜ ରଥ ଅନୁକରଣରେ ମନ୍ଦିରଟିଏ ଗଢ଼ିଲେ । ଏ ଗପରେ ମଧ୍ୟ 'ଚୂଳିମରା' ଗପ ଅଛି, ତେବେ ଏଠାରେ ସେ ବାଳକର ବୟସ ୭ (ହୁଏତ ଆଉ କେହି ପୁଣି ଏ ଗଳ୍ପ ଲେଖିଲେ ସେ ବାଳକ ଭୂମିଷ୍ଠ ହେବା ସାଥେ ସାଥ ଯାଇ ଚୂଳି ମାରିଦେବ !) । ଏଠାରେ ସେ ବାଳକର ନାମ ବିଶ୍ୱନାଥ, ଧର୍ମପଦ ନୁହେଁ । ଏଠାରେ କୌଣସି ଏକ ବଙ୍ଗୀୟ ନୃତ୍ୟଶିଳ୍ପୀ ନବୀନାକ୍ଷ, କୋଣାର୍କର ପ୍ରଧାନ ଶିଳ୍ପୀ ଥିଲେ । କୋଣାର୍କ ତାଉଆରେ ରାୟ ମହାଶୟଙ୍କର ସ୍ୱଦେଶପ୍ରୀତିର ରୋଟି ସେକି ନେବା, କ୍ଷମା କରାଯାଇପାରେ; ଏହା ପରେ ସେ ଯେଉଁ କର୍ମଟି କରିଲେ, ସେଥିପାଇଁ । ନବୀନାକ୍ଷ ମନ୍ଦିର ନର୍ତ୍ତକୀ ସହିତ ନିଷିଦ୍ଧ ପ୍ରେମରେ ଆବଦ୍ଧ ହୁଅନ୍ତି । ଫଳାଫଳ ଭୟାନକ ହେବ ଜାଣି ସୁଦ୍ଧା ପ୍ରେମ ବାଧା ମାନେନା । ଶେଷ ଦୃଶ୍ୟ : କୁହୁଡିଘେରା ଜହ୍ନ ରାତିରେ ଶିଳ୍ପୀ ଗୋଟିଏ ମୂର୍ତ୍ତିି ଗଢ଼ିବାରେ ମଗ୍ନ, ଝାଉଁ ବନ ମଧ୍ୟରୁ ଧୀର ପାଦରେ ବାହାରି ଆସିଲେ ନର୍ତ୍ତକୀ । ଶିଳ୍ପୀଙ୍କର ନୀରବ ଇଙ୍ଗିତରେ ନର୍ତ୍ତକୀ ଗୋଟିଏ ଗୋଟିଏ କରି ବସନ ତ୍ୟାଗ କରୁଛନ୍ତି ଓ ଶିଳ୍ପୀର ନିହଣର ବେଗ ବଢ଼ି ବଢ଼ି ଯାଉଛି । ମୂର୍ତ୍ତିି ଗଢ଼ା ଶେଷ ପ୍ରାୟ । ନର୍ତ୍ତକୀ ଚିରଦି ପାଇଁ ହଜିଗଲେ ଝାଉଁବନ ମଧ୍ୟରେ, ହୁଏତ ସାଗର ଜଳରେ ।

ଲେଖକ ଓ ଅନୁବାଦକ କେହି ଖ୍ୟାତିମାନ୍‍ ଲେଖକ ନୁହଁନ୍ତି । କିନ୍ତୁ ସେମାନେ ଗୋଟିଏ ବଡ଼ କାମ କରିଛନ୍ତି । କୋଣାର୍କ ସାହିତ୍ୟକୁ 'ଧରମା, ରାମଚଣ୍ଡୀ, କଳାପାହାଡ଼' କିମ୍ବଦନ୍ତୀ ମୁକ୍ତ କରି ଗୋଟିଏ ନୂଆଚିତ୍ର ଆଙ୍କିଛନ୍ତି ।

ବ୍ରିଟିଶ୍‍ ଅମଳରୁ ସଂରକ୍ଷଣ କାର୍ଯ୍ୟର ଶତବର୍ଷ ପୂର୍ତ୍ତିି ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ, "Poems at Konark" ନାମକ ଗୋଟିଏ କବିତା ସଂକଳନ ପ୍ରକାଶ କରିଛନ୍ତି ୨୦୦୧ ସାଲରେ । ସେ ପୁସ୍ତକର ଉତ୍ସର୍ଗପତ୍ରରେ ଲେଖା ହେଲା :

"Dedicated to the glowing memory of Dharma for whom tears trickle down the cheeks af all mothers."

ମନେହେବା ସ୍ୱାଭାବିକ, ସଂକଳକମାନେ କେଉଁ ବିଶେଷ ଦିଗକୁ ଏ ଉପଲକ୍ଷେ ସ୍ମରଣ କରିବାକୁ ଚାହୁଁଛନ୍ତି । କିନ୍ତୁ ସେପରି କିଛି ହେଲା ନାହିଁ । ଚଉଦଟି ଭାଷାରେ ରଚିତ ୩୭ଟି କବିତାର ସଂଗ୍ରହ ଏ ପୁସ୍ତକ । ବହୁ କବିତା ଏଥିରେ ସ୍ଥାନ ପାଇଛି, ଯାହା ପୂର୍ବେ ପ୍ରକାଶିତ; ଏ ବିଶେଷ ଉପଲକ୍ଷେ ରଚିତ ନୁହେଁ; ଏପରିକି ଅନେକ କବିତା କୋଣାର୍କ ଅଥବା ତାହା ସହିତ ଯୁକ୍ତ କିମ୍ବଦନ୍ତୀ ନିର୍ଭର ନୁହେଁ । ତଥାପି ଏ ସଂକଳନ ସ୍ମରଣୀୟ ଏଇଥିପାଇଁ; ଭାରତର ବିଭିନ୍ନ ଭାଷାଭାଷୀ, ଓଡ଼ିଶା ତଥା ବିଶ୍ୱର ବିସ୍ମୟ ଏ ଦେଉଳକୁ କିଭାବେ ଦେଖିଛନ୍ତି, ତାହା ସହିତ ଆମମାନଙ୍କ ପରିଚୟ କରାଇଦେବାରେ ।