ପୃଷ୍ଠା:Arkakshetra konark.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୪୨ ଠାରୁ ୧୬ ବର୍ଷ ୧୨୫୮ ଖ୍ରୀଷ୍ଟାବ୍ଦ
୧୨୪୨ ଠାରୁ ୧୭ ବର୍ଷ ୧୨୫୯ ଖ୍ରୀଷ୍ଟାବ୍ଦ
୧୨୪୨ ଠାରୁ ୧୮ ବର୍ଷ ୧୨୬୦ ଖ୍ରୀଷ୍ଟାବ୍ଦ
ଶକ ବଂଶରୁ ପରିବର୍ତ୍ତଜନିତ ଭଗ୍ନାଂଶ ବିଚାରକୁ ନେଇ ଆଉ ଗୋଟିଏ ବର୍ଷ ଧରାଯାଉ ୧୨୬୦ ଖ୍ରୀଷ୍ଟାବ୍ଦ

ଉପରୋକ୍ତ ବର୍ଷଗୁଡ଼ିକ ମଧ୍ୟରୁ ସହଜ ବୁଦ୍ଧିରେ କେତେଗୁଡ଼ିଏ କାଟି ଦିଆଯାଇ ପାରେ । ରଣକ୍ଲାନ୍ତ ଯୁବରାଜ ନରସିଂହଦେବ ସଦ୍ୟ ସିଂହାସନ ଆରୋହଣ କରିଛନ୍ତି । ପୂର୍ବ ପ୍ରସ୍ତୁତି ବିନା କୋଣାର୍କ ଭଳି ଗୋଟିଏ ବିଶାଳ ଯୋଜନାର ଭିତ୍ତି ସ୍ଥାପନ ସମ୍ଭବ ନୁହେଁ । ପଦ୍ମତୋଳା ଗଣ୍ଡ ପୋତିବା ଆହୁରି ବାକି । ମାତୃ ଆଦେଶରେ ବରଂ ସୂର୍ଯ୍ୟ ଦେଉଳ ତୋଳିବାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଥିବା ସ୍ୱାଭାବିକ । ଖାଲି ୧୨୩୮ ପ୍ରଥମ ବର୍ଷ କାହିଁକି ଏକା କାରଣରୁ ୧୨୪୧ ଯାଏ କାଟ୍‍ ଖାଇବା ଯୁକ୍ତିଯୁକ୍ତ ମନେହୁଏ । ତେଣୁ କାଟ୍ ଖାଉଛନ୍ତି ୧୨୫୦ ଠାରୁ ୧୨୫୩ ।

ପୂର୍ବେ ବର୍ଣ୍ଣିତ ନରସିଂହଦେବଙ୍କର ଯୁଦ୍ଧଯାତ୍ରା ଦକ୍ଷିଣରେ ବିଭିନ୍ନ ନରପତିଙ୍କ ସହ ଓ ଉତ୍ତରରେ ବଙ୍ଗଦେଶର ମୁସଲମାନ ଶାସକମାନଙ୍କ ସହିତ ୧୨୪୨ ଠାରୁ ୧୨୫୭ ପର୍ଯ୍ୟନ୍ତ ତାଙ୍କୁ ଅତ୍ୟନ୍ତ ବ୍ୟସ୍ତ ରଖିଥିଲା । ଶାନ୍ତି ମିଳିଲା ୧୨୫୭ ପରେ । ଯଦିଓ ମଝିରେ ମଝିରେ ଦେଶକୁ ଫେରିଛନ୍ତି ଏବଂ କୋଣାର୍କ ଯୋଜନାରେ ବହୁ ସମୟ ବ୍ୟୟ କରିଛନ୍ତି । ୧୨୫୭ ପୂର୍ବରୁ ମନ୍ଦିରର ପ୍ରତିଷ୍ଠା ଉତ୍ସବ କରିବାକୁ ସମୟ ଦେବା କଷ୍ଟକର ଥିଲା । ମନ୍ଦିର ନିର୍ମାଣ ଶେଷ ହେବାରେ ବିଳମ୍ବ, ଅନ୍ୟ ବିଷୟ । ଏସବୁ ଦୃଷ୍ଟିରୁ ମାଦଳାପାଞ୍ଜି ବର୍ଣ୍ଣିତ ୧୨୫୮ ଖ୍ରୀଷ୍ଟାବ୍ଦକୁ ଯୁକ୍ତିଯୁକ୍ତ ମନେ ହେଉଛି ।

କେବଳ ବଳିଷ୍ଠ ଯୁକ୍ତି ଦ୍ୱାରା ଏଭଳି ଏକ ଗମ୍ଭୀର ବିଷୟରେ ଶେଷ ନିଷ୍ପତ୍ତି ନେବା ଠିକ୍‍ ହେବ ନାହିଁ । ତେଣୁ ଗୋଟିଏ ଅପ୍ରଚଳିତ ଅନ୍ୱେଷଣ ପନ୍ଥା ଚିନ୍ତା କରାଗଲା, ଯାହା ପରବର୍ତ୍ତୀ ଅନୁଚ୍ଛେଦମାନଙ୍କରେ ଉପସ୍ଥାପିତ ହୋଇଛି ।

କୌଣସି ଏକ ଶୁକ୍ଲପକ୍ଷ ମାଘ ସପ୍ତମୀ ଦିନ ସୂର୍ଯ୍ୟୋଦୟ ସହିତ ଚନ୍ଦ୍ରଭାଗାରେ ବୁଡ଼ ପରେ ସୂର୍ଯ୍ୟ ବିଗ୍ରହ ପ୍ରତିଷ୍ଠା କଥା ଖାଲି ମାଦଳାପାଞ୍ଜି କହୁନାହିଁ ଅନ୍ୟତ୍ର ମଧ୍ୟ ଲିପିବଦ୍ଧ ହୋଇଛି । ଏ ବିଷୟରେ କୃପାସିନ୍ଧୁ, ବିଶନ୍‍ ସ୍ୱରୂପଙ୍କ ମତ ଉଲ୍ଲେଖ କରି ତାହା ଖଣ୍ଡ କରିଛନ୍ତି ।(୪୬) ବିଶନ୍‍ ସ୍ୱରୂପ ଯଦିଓ ଶୁକ୍ଲ ପକ୍ଷ ମାଘ ସପ୍ତମୀ ଦି ସୂର୍ଯ୍ୟୋଦୟ ସମୟରେ ବୁଡ଼ ଦେବାର ବର୍ଣ୍ଣନା କରିଛନ୍ତି । ଏପରିକି Equinoxes ଅର୍ଥାତ୍‍ ସୂର୍ଯ୍ୟଙ୍କ ପଟ୍ଟପରିବର୍ତ୍ତନ କଥା କହିଛନ୍ତି । ସେ ନିର୍ଦ୍ଦିଷ୍ଟ ଅଗ୍ନି କୋଣରୁ ସୂର୍ଯ୍ୟୋଦୟ କଥା କହି ନାହାନ୍ତି ।(୪୭) ମନେହୁଏ, ଇତିହାସର ଗତିପଥରେ କୌଣସି ସମୟରେ ଇଶାନ କୋଣରୁ ସୂର୍ଯ୍ୟୋଦୟର ସିଦ୍ଧାନ୍ତ ଗୁଡ଼େଇ ହୋଇଯାଇଛି । କୃପାସିନ୍ଧୁ ଏ ବିଷୟରେ ତାଙ୍କର ଭକ୍ତିଭାଜନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟଙ୍କର ମତ ଆହ୍ୱାନ କରିଥିଲେ । ଅଧ୍ୟାପକ ଯୋଗେଶ ଚନ୍ଦ୍ରଙ୍କ ଉତ୍ତର, ଯାହାର ଉଦ୍ଧାର କୃପାସିନ୍ଧୁଙ୍କ ପୁସ୍ତକରେ ହୋଇଛି, ତାହାର ପୁନରୁଦ୍ଧାର କରାଗଲା ।(୪୬)

"A little consideration will show that such (Sun rising in Agnikonia, i.e. 450 to South from the East) could never have been the case. No one could ever see the Sunrise due S-E from any place in India, not to speak of Orissa. Therefore, either it was not true Agnikona as it was not any place in India. If Mr. Swarup has based his calculation entirely on this Agnikona theory, It is wrong.

If It is not true Agnikona which I think was not meant, then the only possible explanation is that the Sun had to be seen to rise on the day when he had reached the southern limit of his course, i.e. the end of his Dakshinayana and beginining of his sUttarayana. We know that this happened on the 7th day of the bright half of Magha long long ago."

ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ଜଣେ ଖ୍ୟାତିମାନ୍‍ ଜ୍ୟୋର୍ତିବିଦ୍‍ ରୂପେ ଏବେ ମଧ୍ୟ ସ୍ୱୀକୃତ । କିନ୍ତୁ ମାମଲା ତୁଟୁ ନାହିଁ । ମାଘ ଶୁକ୍ଲ ପକ୍ଷ ସପ୍ତମୀ ତ ସବୁବର୍ଷ ହେବ, ସାରଣୀ ୩ରେ ପ୍ରଦତ୍ତ ଶେଷ ସାତ ବର୍ଷର କେଉଁ ବର୍ଷ ଘଟଣାଟି ଘଟିଥିଲା ? ମୋ ବିଚାରରେ ବିଗ୍ରହ ସୂର୍ଯ୍ୟ କିରଣ ସ୍ନାତ ହେବା ଗୋଟିଏ ନିର୍ଣ୍ଣାୟକ ଘଟଣା, କିନ୍ତୁ ସନ୍ଦେହ ଥିଲା ଜଗମୋହନ ପୂର୍ବ ଦ୍ୱାରଠାରୁ ପ୍ରାୟ ୧୬୦ ଫୁଟ୍‍

ଦୂରରେ ଗର୍ଭଗୃହ ମଧ୍ୟରେ ସୂର୍ଯ୍ୟକିରଣ ଆଦୌ ପ୍ରବିଷ୍ଟ ହେବ କି ନାହିଁ ? ବିଶ୍ୱାସଟି ଖାଲି କୋଣାର୍କରେ ନୁହେଁ ଗୁଜରାଟ ମୋଧେରା ସୂର୍ଯ୍ୟ ମନ୍ଦିରରେ ମଧ୍ୟ ପ୍ରଚଳିତ । ଲେଖକ ଏ ବିଷୟରେ ଭାରତର ତିନିଟି ତାରାଘର (ପ୍ଲାନେଟୋରିୟମ୍‍) ସହିତ ଯୋଗାଯୋଗ କରିଥିଲେ; ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟୋରିୟମ୍‍, କୋଲକାତାର ବିଡଲା ଓ ଚେନ୍ନାଇର ବିଡ଼ଲା ପ୍ଲାନେଟୋରିୟମ୍‍ । ଡେରିରେ

ଅର୍କକ୍ଷେତ୍ର କୋଣାର୍କ . ୨୭