ପୃଷ୍ଠା:Arkakshetra konark.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୂମିକା

କୋଣାର୍କ ଉପରେ ବହୁ ମୂଲ୍ୟବାନ ପୁସ୍ତକ ଲେଖା ସରିଛି; ପୁଣି କାହିଁକି ଏ ପ୍ରୟାସ ? ଭାରତୀୟ-ଆର୍ଯ୍ୟ ସ୍ଥାପତ୍ୟର ଶେଷ ଅବିମିଶ୍ରିତ ନିଦର୍ଶନ, ବିଶ୍ୱର ବିସ୍ମୟ କୋଣାର୍କ, ମୂଳତଃ ଓଡ଼ିଶା ଦେଶର କୀର୍ତ୍ତିି; କିନ୍ତୁ ଏ ସଂପର୍କରେ ମାତୃଭାଷାରେ ଲିଖିତ ପୁସ୍ତକର ଘୋର ଅଭାବ । ଅଧିକାଂଶ ପୁସ୍ତକ ରଚିତ ହୋଇଛି ଇଂରାଜୀ ଭାଷାରେ; ଏପରିକି ତିିନି ଚାରି ଖଣ୍ଡ ବଙ୍ଗଳା ଭାଷାରେ ରଚିତ ପୁସ୍ତକ ବି ଅଛି, କିନ୍ତୁ ଖଣ୍ଡିଏକୁ ଛାଡ଼ିଦେଲେ, ଓଡ଼ିଆ ଭାଷାରେ ଲିଖିତ ପୂର୍ଣ୍ଣାଙ୍ଗ ପୁସ୍ତକ ନାହିଁ । ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର "କୋଣାର୍କ' ପ୍ରକାଶ ପାଏ ୧୯୧୯ ସାଲରେ । ତାଙ୍କ ପରେ ଅତିକ୍ରାନ୍ତ ପ୍ରାୟ ଶହେ ବର୍ଷ ମଧ୍ୟରେ ବହୁ ନୂତନ ତଥ୍ୟ ଉଦ୍‍ଘାଟିତ ହେଲାଣି, କିନ୍ତୁ କୃପାସିନ୍ଧୁଙ୍କ କୋଣାର୍କ ରହିଯାଇଛି ଓଡ଼ିଆ ପାଠକ ନିକଟରେ ଆଦରଣୀୟ ହୋଇ । ଗ୍ରନ୍ଥଟିର ଚତୁର୍ଥ ମୁଦ୍ରଣ ସରିଲାଣି ୧୯୯୯ ସାଲରୁ । ଏହାର କାରଣ, ପୁସ୍ତକଟି ସରଳ ଓଡ଼ିଆ ଭାଷାରେ ଲିଖିତ ଏବଂ ଓଡ଼ିଆ ପାଠକ ଏବେ ମଧ୍ୟ କୋଣାର୍କ ପାଇଁ ଆଗ୍ରହୀ । ନୂତନ ସଂଯୋଜନ ଛଡ଼ା କୋଣାର୍କର ବୈଷୟିକ ଦିଗଟି ବିଶେଷ ଆଲୋଚନାର ଦାବି ରଖେ । ଏଇସବୁ କାରଣରୁ ଓଡ଼ିଆ ଭାଷାରେ ଏ ମହାନ କୀର୍ତ୍ତିର ପୁନଃ ପରିଚିତି ଜରୁରି । ଏଣୁ, ଏହି ନମ୍ର ପ୍ରୟାସ ।

ମୋର ବିଶ୍ୱାସ, ଉପସ୍ଥାପିତ ନିର୍ଣ୍ଣୟଗୁଡ଼ିକ ସହିତ କିଛି ବିଦଗ୍ଧ ପାଠକ ସହମତ ହେବେ ନାହିଁ । ଏହା ସ୍ୱାଭାବିକ । କାରଣ କୋଣାର୍କ ପ୍ରସ୍ତରରେ ରଚିତ ମହାକାବ୍ୟ ଏବଂ ଯୁଗଯୁଗ ଧରି ଏପିକ୍‍ର ବ୍ୟାଖ୍ୟା ହୋଇ ଚାଲିଥିବ । ତଥ୍ୟଗତ ପାର୍ଥକ୍ୟ ମଧ୍ୟ ଥାଇପାରେ । କୋଣାର୍କର ଇତିହାସ କୁହେଳିକା-ଆଚ୍ଛନ୍ନ; ତଥ୍ୟ ଏବଂ କିମ୍ବଦନ୍ତୀ ଏପରି ଛନ୍ଦି ହୋଇଯାଇଛି ଯେ ସତ୍ୟଦର୍ଶନ ସହଜ ନୁହେଁ । ତଥାପି ବିଜ୍ଞାନର ଆଲୋକରେ କେତେକ ଜନଶ୍ରୁତିର ମୂଲ୍ୟାୟନ ନିମନ୍ତେ ଚେଷ୍ଟା କରିଛି । ସମାଧାନ ସବୁବେଳେ ଜନପ୍ରିୟ ହୋଇ ପାରିନାହିଁ । ଆଶା କରିବି, ଅଭିଜ୍ଞ ଗବେଷକମାନେ ଆଗକୁ ଏ ନୂତନ, ବିଜ୍ଞାନଭିତ୍ତିକ ଅନୁସନ୍ଧାନ ଚାଲୁ ରଖିବେ ।

ଏ ଗ୍ରନ୍ଥଟି ଆଦୌ ଲେଖା ହୋଇନଥାନ୍ତା, ଯଦି ସାହାଯ୍ୟର ହାତ ପ୍ରସାରିତ ହୋଇନଥାନ୍ତା "ଆମ ଓଡ଼ିଶା'ର ପ୍ରକାଶନ ସଂପାଦକ ଅସିତ ମହାନ୍ତିଙ୍କଠାରୁ । ଦୁଇ ବର୍ଷ ପୂର୍ବେ ସମ୍ବାଦରେ ପ୍ରକାଶିତ ମୋର ଗୋଟିଏ ଛୋଟ ଲେଖାର ଖିଅ ଧରି ଅସିତବାବୁ ପ୍ରଥମେ ମୋତେ ଲେଖାନ୍ତି "ପୌରୁଷ', ଜାନୁଆରି ୨୦୧୦ ସଂଖ୍ୟାର ପ୍ରଚ୍ଛଦ ପ୍ରସଙ୍ଗ ଏବଂ ତା'ପରେ କୋଣାର୍କ ଉପରେ ଗୋଟିଏ ପୂର୍ଣ୍ଣାଙ୍ଗ ଗ୍ରନ୍ଥ ଲେଖିବାକୁ ଏକରକମ ବାଧ୍ୟ କରନ୍ତି । ଏହାପରେ ବହୁ ରାତି ଉଜାଗର ଓ ବହୁ ଦିସ୍ତା କାଗଜ ଲେଖା, ଚିରା ପରେ ଶେଷ ହୁଏ "ଅର୍କକ୍ଷେତ୍ର କୋଣାର୍କ' । ଏ ପୁସ୍ତକର ଭଲମନ୍ଦ ପାଠକ ବିଚାର କରିବେ । କିନ୍ତୁ ବହୁ ବର୍ଷ ପରେ, କୋଣାର୍କ ଉପରେ ଓଡ଼ିଆ ଭାଷାରେ ଲିଖିତ, ତଥ୍ୟ ସମୃଦ୍ଧ ପୂର୍ଣ୍ଣାଙ୍ଗ ପୁସ୍ତକଟିଏ ପାଠକଙ୍କୁ ଉପହାର ଦେବାର କୃତିତ୍ୱ, "ଆମ ଓଡ଼ିଶା' ଓ ବିଶେଷ ରୂପେ ଅସିତବାବୁଙ୍କର ।

ମୁଁ ପେସାଦାର ଐତିହାସିକ ନୁହେଁ । କୋଣାର୍କ ଉପରେ ଲେଖିବାର ଏକମାତ୍ର ଅଧିକାର, ଆଦ୍ୟ ଯୌବନରୁ ଆରମ୍ଭ କରି ପରବର୍ତ୍ତୀ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଏହି ମହାନ କୀର୍ତ୍ତିି, ତା'ର ଚୁମ୍ବକୀୟ ଆକର୍ଷଣରେ ବାରମ୍ବାର ମୋତେ ନିଜ ପାଖକୁ ଟାଣିଛି ଏବଂ ସେଇ ସୂତ୍ରରେ ମୁଁ