ପୃଷ୍ଠା:Arkakshetra konark.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗବେଷକ ଉଲ୍ଲେଖ କରି ନାହାନ୍ତି । ଏହା କିନ୍ତୁ ଖୁବ୍‍ ନିର୍ଭରଯୋଗ୍ୟ ପ୍ରମାଣ ମନେ ହେଉନାହିଁ । ତୁଣ୍ଡବାଇଦ ସହସ୍ର କୋଶ । ଯେଉଁ ସମୟର କଥା ହେଉଛି, ସେ ସମୟରେ ଦୁଇ ଦଶନ୍ଧି ମଧ୍ୟରେ କୋଣାର୍କର ପ୍ରସିଦ୍ଧି ବହୁଦୂର ବ୍ୟାପିବା ଅସମ୍ଭବ ନୁହେଁ । ଏହାପରେ କରୁଣାସାଗର ବହୁ ତଥ୍ୟ ଏବଂ ବିଭି୍ନ ଗବେଷକଙ୍କ ମତ ଉପସ୍ଥାପନ କରିଛନ୍ତି, ଯାହା ନିଶ୍ଚିତ ରୂପେ ପ୍ରମାଣ କରୁଛି, ନରସିଂହଦେବଙ୍କ ସୂର୍ଯ୍ୟ ମନ୍ଦିର ନିର୍ମିତ ହେବାର ବହୁ ପୂର୍ବରୁ ସ୍ଥାନଟିର ଖ୍ୟାତି ସୌରପୂଜା ପାଇଁ ଥିଲା । ସଂକ୍ଷେପରେ ସେଗୁଡ଼ିକ ଉଲ୍ଲେଖ କରାଯାଇପାରେ ।

ବିଜ୍ଞାନେଶ୍ୱରର (Vijnanesvara) ମିତାକ୍ଷର (୧୦୮୦-୧୧୯୯ଖ୍ରୀ.ଅ.) - ଭାସ୍କର୍ଯ୍ୟ କ୍ଷେତ୍ରରେ ତର୍ପଣ ମୁଣ୍ଡ ଇତ୍ୟାଦି କରାଯିବା କଥା ଲିିଖିତ ଅଛି । P. V. Kane 'ତୀର୍ଥସାର' ନାମକ ଗ୍ରନ୍ଥକୁ ନିର୍ଭର କରି ଭାସ୍କରକ୍ଷେତ୍ର ଓ କୋଣାର୍କ ଏକାସ୍ଥାନ କହିଛନ୍ତି ।

ବ୍ରହ୍ମପୁରାଣରେ ଏହି ସ୍ଥାନକୁ ସୂର୍ଯ୍ୟକ୍ଷେତ୍ର, ରବିକ୍ଷେତ୍ର, ସବିତା କ୍ଷେତ୍ର ଓ ଭାସ୍କରକ୍ଷେତ୍ର କୁହାଯାଇଛି । ୯୮୮ ଖ୍ରୀଷ୍ଟାବ୍ଦରେ ଆରବ ଭୌଗୋଳିକ ଅବୁଲ୍‍ ଫରଜ ଦକ୍ଷିଣ ଭାରତର ସୂର୍ଯ୍ୟପୂଜାର ଯେଉଁ ବିବରଣୀ ଦେଇଛନ୍ତି ତାହା Dr. Nainaz ଙ୍କ ମତରେ କୋଣାର୍କ ସୂର୍ଯ୍ୟମନ୍ଦିର କଥା ହୋଇପାରେ ।

ଆରବ ପରିବ୍ରାଜକ ଗର୍ଦିଜୀଙ୍କ ବିବରଣୀ- ୧୦୪୯-୫୩ ଖ୍ରୀ.ଅ. ଓ ଆଲବେରୁଣି-୧୦୩୦ ଖ୍ରୀ.ଅ.- ପ୍ରୟାଗ ଠାରୁ ଦୂରତ୍ୱ ଭୁଲ୍‍ କହିଲେ ମଧ୍ୟ "ଅର୍କକ୍ଷେତ୍ର' ଏବଂ "ଉରଡ଼ବିଶାହୁ' କଥା ଉଲ୍ଲେଖ କରିଛନ୍ତି ଯାହାର ଅର୍ଥ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି "କୋଣାର୍କ' ଏବଂ "ଓଡ୍ର ବିଷୟକ' ।

ରସିଉଦ୍ଦି୍‍ଙ୍କ ଜମିଉତ୍‍-ତାଓ୍ୱାରିଖ୍‍ (୭୧୦-୧୨୧୦ ଖ୍ରୀ.ପୂ.) 'ଭରିହର' ଓ 'ଉର୍ଦବିଶାକ୍‍' ରାଜ୍ୟର ସମୁଦ୍ରତୀରେ ଅର୍କତୀର୍ଥ କଥା ଉଲ୍ଲେଖ କରିଛନ୍ତି ।

ପୁରାତନ ସୂର୍ଯ୍ୟ ମନ୍ଦିର :

ମାଦଳା ପାଞ୍ଜି ମତେ କେଶରୀ ବଂଶର ପୁରନ୍ଦର କେଶରୀ ଏଠାରେ ଗୋଟିଏ ମନ୍ଦିର ନିର୍ମାଣ କରିଥିଲେ ଏବଂ ସେ ମନ୍ଦିର ଆଗକୁ ନରସିଂହଦେବ ବଡ଼ ଦେଉଳ ଗଢ଼ି ପୁରାତନ ମନ୍ଦିରର ବିଗ୍ରହ ନୂଆ ମନ୍ଦିରକୁ ସ୍ଥାନାନ୍ତରିତ କରିଥିଲେ । ସେ ଦେଉଳ କୁଆଡେ଼ ଗଲା ?

ଗାଙ୍ଗୁଲୀ ଓ କୃପାସିନ୍ଧୁଙ୍କ ମତରେ ଏହା ରାମଚଣ୍ଡୀ ମନ୍ଦିର (୮୯) । ଉତ୍କଳ ଗୌରବ ମଧୁସୂଦନ ଦାସ କୃପାସିନ୍ଧୁଙ୍କ ପୁସ୍ତକର ମୁଖବନ୍ଧ ଲେଖିବାକୁ ଯାଇ କହିଛନ୍ତି, ଏହା ରାମଚଣ୍ଡୀ ମନ୍ଦିର ନୁହେଁ, ଏହା ସୂର୍ଯ୍ୟପତ୍ନୀ ଛାୟାଦେବୀଙ୍କ ମନ୍ଦିର ।(୯୦) ଡଚ୍ଛରର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଥମେ ରାମଚଣ୍ଡୀ କହି ପରେ ଛାୟାଦେବୀ ସପକ୍ଷରେ ମତ ପରିବର୍ତ୍ତ କରିଛନ୍ତି ।(୯୧) ବିଶନ୍‍ ସ୍ୱରୂପ ଏହାକୁ ବୁଦ୍ଧଦେବଙ୍କ ମାତା ମାୟାଦେବୀ ମନ୍ଦିର କହିଛନ୍ତି ।(୯୨) ବାୟାଚକଡ଼ାମତେ ଏହା ମହାଗାୟତ୍ରୀ ମନ୍ଦିର ।(୯୩) କରୁଣାସାଗର ଏହାକୁ ସର୍ତ୍ତମୂଳକ ଭାବେ ସୂର୍ଯ୍ୟମନ୍ଦିର କହିଛନ୍ତି ।(୯୪) ଦେବଳା ମିତ୍ର ପ୍ରଥମେ ଏହାକୁ ମାୟାଦେବୀ ମନ୍ଦିର କହି ମଧ୍ୟ ନାନା ପ୍ରମାଣ ଆଲୋଚନା ପରେ ସୂର୍ଯ୍ୟମନ୍ଦିର କହିଛନ୍ତି ।(୯୫)

ବିଶନ୍‍ ସ୍ୱରୂପ କାମଳ ରୋଗୀଙ୍କ ଭଳି କୋଣାର୍କର ଗୋଡି ମାଟିରେ ବୁଦ୍ଧ ସ୍ଥାପତ୍ୟ ଦେଖିଛନ୍ତି । ଇଂଜିନିୟର ବିଶନ୍‍ ସ୍ୱରୂପ ୧୯୦୨ ଠାରୁ ୧୯୧୦ ମଧ୍ୟରେ କୋଣାର୍କ ଦେଉଳର ସଂରକ୍ଷଣ କାର୍ଯ୍ୟ ସହିତ ସଂଯୁକ୍ତ ଥିବାରୁ ତାହାଙ୍କ ନିକଟରୁ ଏ ମନ୍ଦିରର ବୈଷୟିକ ଦିଗ ଉପରେ ବିଶେଷ ଆଲୋକପାତ ଆଶା କରାଯାଇଥିଲା । ୧୦୪ ପୃଷ୍ଠାର ବହିରେ ଯେପରି କିଛି ମିଳିଲା ନାହିଁ, ତେବେ ପୁସ୍ତକର ଅର୍ଦ୍ଧାଧିକ ବ୍ୟୟ କରିଛନ୍ତି ତାଙ୍କର ମନଗଢ଼ା ଯୁକ୍ତି ସବୁ 'ପ୍ରମାଣ' କରିବାକୁ । ପଣ୍ଡିତ କୃପାସିନ୍ଧୁ ମିଶ୍ର ମଧ୍ୟ ତାଙ୍କ ପୁସ୍ତକର ବହୁ ପୃଷ୍ଠା ବ୍ୟୟ କରିଛନ୍ତି ବିଶନ୍‍ ସ୍ୱରୂପଙ୍କ ତଥ୍ୟର ଅସାରତା ପ୍ରମାଣ କରିବାକୁ । କରୁଣାସାଗର ମଧ୍ୟ ବିଭିନ୍ନ ସମୟରେ ବିଶନ୍‍ ସ୍ୱରୂପଙ୍କ ମତାମତର ଯୁକ୍ତିପୂର୍ଣ୍ଣ ଆଲୋଚନା କରି ନାକଚ କରି ଦେଇଛନ୍ତି ।

ରାମଚଣ୍ଡୀ- ଏ ମତର ଦୃଢ଼ ଦାବିଦାର କୃପାସିନ୍ଧୁ । ଗାଙ୍ଗୁଲୀ ସପକ୍ଷରେ କି ବିପକ୍ଷରେ କିଛି କହି ।ହାଁନ୍ତି । କୃପାସିନ୍ଧୁଙ୍କ ରଚନାକାଳ ୧୯୧୯ ଏବଂ ଗାଙ୍ଗୁଲୀ ତାହାର ୭ବର୍ଷ ପୂର୍ବରୁୁ ୧୯୧୨ । ମନେହୁଏ ସେ ସମୟରେ ରାମଚଣ୍ଡୀ ନାମ ପ୍ରଚଳିତ ଥିଲା । କୃପାସିନ୍ଧୁ ତାଙ୍କ ଯୁକ୍ତି ସପକ୍ଷରେ ପ୍ରଚଳିତ ରାମଚଣ୍ଡୀ ଢଗ ଏବଂ ସ୍ଥାନୀୟ କେତେକ ପ୍ରବୀଣ ଲୋକମାନଙ୍କ ମତାମତକୁ ଗ୍ରହଣ କରିଛନ୍ତି । ତାଙ୍କ ଭାଷାରେ ପ୍ରବୀଣ ଲୋକମାନେ "ଛାୟାଦେବୀ' ନାମ ସୁଦ୍ଧା ଶୁଣି ନାହାନ୍ତି । କିମ୍ବଦନ୍ତୀ ପ୍ରମାଣ ନୁହେଁ ଏବଂ ପ୍ରବୀଣ ଲୋକମାନଙ୍କର ସ୍ମୃତି କେତେ ପଛକୁ ଯାଇ ପାରିବ ? ଏପରିକି ସମସାମୟିକ କାଳରେ ଅନ୍ୟନାମ କେହି ଶୁଣି ନାହାନ୍ତି କହିବା ମଧ୍ୟ ଠିକ୍‍ ନୁହେଁ । ASI ର D.G. ଦେବଳା ମିତ୍ର ଲେଖିଛନ୍ତି, "Since the reclamation of the temple from sand in the 1st decade of the present century, it has assumed the present name as the temple of Mayadevi who is popularly believed to be one of the wives of Surya."(୯୫)

ଅର୍କକ୍ଷେତ୍ର କୋଣାର୍କ . ୪୩