ଚଣ୍ଡୀ ଦେବୀଙ୍କ ନାନା ସ୍ଥାନୀୟ ନାମ ଥାଏ ଯଥା, ଗଡ଼ଚଣ୍ଡୀ, କଟକଚଣ୍ଡୀ ଇତ୍ୟାଦି । ରାମଚଣ୍ଡୀ ରାମଚନ୍ଦ୍ରଙ୍କ ସ୍ମୃତି ବହନ କରୁଛି । ରାବଣବଧ କରିବାକୁ ଯିବା ପୂର୍ବେ ରାମଚନ୍ଦ୍ର ଦେବୀଙ୍କର ଅକାଳବୋଧନ କରିଥିଲେ ଏହା ସର୍ବଜ୍ଞାତ । ତେବେ ସେ କାର୍ଯ୍ୟ ହୋଇଥିବା ସ୍ୱାଭାବିକ ରାମେଶ୍ୱରମ୍ ସେତୁବନ୍ଧ ନିକଟରେ, ସେ ଦେବୀ ଏଠାକୁ କିପରି ଆସିଲେ ? ମନେହୁଏ କୌଣସି ଏକ ଚଣ୍ଡୀ ଭକ୍ତ କୋଣାର୍କରେ ସେ ନାମର ପ୍ରଚଳନ କରିଥିଲେ । ଏହା ଇତିହାସ ରୂପେ ଗଣାଯାଇ ପାରିବ ନାହିଁ ।
କେତେକଙ୍କ ମତରେ ଏ ମନ୍ଦିର ସୂର୍ଯ୍ୟ ପତ୍ନୀଙ୍କ ମନ୍ଦିର । ସୂର୍ଯ୍ୟଦେବଙ୍କ ଅନେକଗୁଡ଼ିଏ ପତ୍ନୀଙ୍କ ନାମ ମିଳୁଛି । ମଧୁସୂଦନ ଦାସ କହୁଛନ୍ତି ସଂଜ୍ଞା ଓ ଛାୟା, ଦେବଳା ମିତ୍ର କହୁଛନ୍ତି ମାୟାଦେବୀ ନାମ ପ୍ରଚଳିତ ଥିଲା ମନ୍ଦିର ଖନନ ସମୟରେ । ଷ୍ଟେଲା କର୍ମରୀଶ୍ କହୁଛନ୍ତି ସୂର୍ଯ୍ୟଦେବଙ୍କ ଚାରିଜଣ ପତ୍ନୀଙ୍କ ନାମ, ରଜନୀ, ନିକୁମ୍ଭ, ଛାୟା ଓ ଶୁଭ୍ରାକାଶ ।(୯୬) ବାୟାଚକଡ଼ାମତେ ଏ ମନ୍ଦିର ମହାଗାୟତ୍ରୀ ଦେବୀଙ୍କ ମନ୍ଦିର ।(୯୭) ପ୍ରଥମ କଥା, ସୂର୍ଯ୍ୟଦେବଙ୍କର କୌଣସି ଜଣେ ପତ୍ନୀଙ୍କ ପ୍ରତି ପକ୍ଷପାତିତା ଥିଲା- ଏହା କେଉଁଠାରେ ମିଳୁ ।ହିଁ । ଦ୍ୱିତୀୟତଃ ଯେଉଁମାନେ ମୂଳଦେବତାଙ୍କ ଶକ୍ତିଙ୍କ ପାଇଁ ସ୍ୱତନ୍ତ୍ର ମନ୍ଦିର ସପକ୍ଷରେ ମତ ଦେଉଛନ୍ତି, ସେମାନେ ପୁରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କଥା କହୁଛନ୍ତି ।(୯୮) ଏ ଦୁଇଟି ଛଡ଼ା ଅନ୍ୟ କୌଣସି ଠାରେ ସ୍ୱତନ୍ତ୍ର ମନ୍ଦିର ନାହିଁ । ଏ ମନ୍ଦିର ଦ୍ୱୟରେ ମଧ୍ୟ ଅଧିଷ୍ଠାତ୍ରୀ ଦେବୀମାନଙ୍କର ପାର୍ଶ୍ୱଦେବତା ତାଙ୍କର ପତି ନୁହନ୍ତି । କେଉଁ ଦେବତାଙ୍କ କିଏ ପାର୍ଶ୍ୱଦେବତା ହେବେ ତାହା ଶାସ୍ତ୍ରରେ ଲେଖାଅଛି ।(୯୯) ମୂଳ ଦେବତାଙ୍କର ଅବତାର ଅଥବା ସହଯୋଗୀ ଦେବତା ପାର୍ଶ୍ୱଦେବ ହୁଅନ୍ତି । ଦେବୀ ମନ୍ଦିରମାନଙ୍କରେ ମଧ୍ୟ ସେଇ ରୀତି ପ୍ରଚଳିତ । ସୂର୍ଯ୍ୟ ପତ୍ନୀଙ୍କ ଦେଉଳ ତିନି ପଟେ ତାଙ୍କ ପତି ପାର୍ଶ୍ୱଦେବତା ହୋଇଥିବା ଯୁକ୍ତିସମ୍ମତ ନୁହେଁ । ଏ ମନ୍ଦିରର ଦକ୍ଷିଣ ଓ ଉତ୍ତର ପାର୍ଶ୍ୱରେ ବଡ଼ ଦେଉଳ ଅନୁରୂପ ଦୁଇଟି ସୂର୍ଯ୍ୟ ମୂର୍ତ୍ତିି ଅଛି, ପଶ୍ଚିମ ପାର୍ଶ୍ୱଦେବତା ଅପସାରିତ ଏବଂ ବର୍ତ୍ତମାନ ଦିଲ୍ଲୀ ଜାତୀୟ ସଂଗ୍ରହାଳୟ (National Museum)ରେ ଅଛି ।
ଏ ମନ୍ଦିରର ସ୍ଥାପତ୍ୟ ବିଚାର କରାଯାଇଛି ତୃତୀୟ ପରିଚ୍ଛେଦରେ । ସେଥିରୁ ନିଶ୍ଚିତ ରୂପେ ଜଣାପଡୁଛି, ଏ ମନ୍ଦିର ବଡ଼ ମନ୍ଦିର ନିର୍ମାଣ ହେବାର ବହୁ ପୂର୍ବରୁ ନିର୍ମିତ । ମୂଳଦେବତାଙ୍କ ମନ୍ଦିର ନିର୍ମାଣ ହେବାର ବହୁ ପୂର୍ବରୁ ତାଙ୍କ ପତ୍ନୀଙ୍କ ମନ୍ଦିର ନିର୍ମିତ ହେଲା- ଏହା ବିଶ୍ୱାସଯୋଗ୍ୟ ନୁହେଁ ।
ବିବାଦ ଘେରରେ ନାଟମଣ୍ଡପ :
ଜଗମୋହନର କିଛି ଆଗକୁ ଗୋଟିଏ ଛାତଶୂ୍ୟ ମଣ୍ଡପ ଅଛି, ଯାହା ଅକାରଣରେ ବିବାଦାତ୍ମକ ହୋଇଉଠିଛି । ପ୍ରଥମେ ବିଶନ୍ ସ୍ୱରୂପ କହିଲେ, ଏହା ନରସିଂହଦେବଙ୍କର ଦେବତାମାନଙ୍କ ସହିତ ବସା ଉଠା କରିବାର ବୈଠକଖାନା (କୋଣାର୍କ- ପୃ.୭୧) । ପର ପୃଷ୍ଠାରେ କହିଲେ, ପୁରନ୍ଦ୍ର କେଶରୀ ବଡ଼ ମନ୍ଦିରଟି ଗଢ଼ିଥିଲେ, ନରସିଂହଦେବ ଏ ନାଟମଣ୍ଡପଟି ମାତ୍ର ଗଢ଼ିଥିଲେ । (ନାଟମଣ୍ଡପ କ'ଣ ଦେବତାଙ୍କ ବୈଠକଖାନା !) ଗାଙ୍ଗୁଲୀ ଏହାକୁ ଭୋଗମଣ୍ଡପ କହିଛନ୍ତି ।(୧୦୦) ଏହାପରେ କୃପାସିନ୍ଧୁ ଏହାକୁ ନାଟମଣ୍ଡପ କହିଛନ୍ତି ।(୧୦୧) ଏହାପରେ ଦେବଳା ମିତ୍ର ଏହାକୁ ଭୋଗମଣ୍ଡପ କହିଛନ୍ତି ।(୧୦୨) କରୁଣାସାଗର ଏହାକୁ ନାଟମଣ୍ଡପ କହିଛନ୍ତି (୧୦୩) । ଷ୍ଟେଲା କର୍ମରୀଶ୍ ଏହାକୁ ନାଟମଣ୍ଡପ ହିଁ କହିଛନ୍ତି ।(୧୦୪) ଏମାନଙ୍କ ଯୁକ୍ତି ପର୍ଯ୍ୟାୟକ୍ରମେ ଆଲୋଚିତ ହେବ ।
ଗଙ୍ଗବଂଶର ଦ୍ୱିତୀୟ ନରସିଂହଦେବ ତାଙ୍କର ପିତୃବ୍ୟ ପ୍ରଥମ ନରସିଂହଦେବଙ୍କ ଗୁଣଗାନ କରି ଗୋଟିଏ ତାମ୍ର ଅନୁଶାସନ ଚଳେଇ ଥିଲେ । ଅନୁଶାସନଟି ପଣ୍ଡିତମାନଙ୍କ ମଧ୍ୟରେ ବହୁଚର୍ଚ୍ଚିତ(୧୦୫) । ସେଥିରୁ ଗୋଟିଏ ଶ୍ଲୋକ :
"କୁର୍ବ୍ ପ୍ରକାଶମ୍ ଅନିଶମ୍ ଦ୍ୱିଜସାଚ୍ଚ କୃତ୍ୱା,
ମେରୁ ତୁଳାପୁରୁଷ ମୁଖ୍ୟ ମହାର୍ଥ-ଦାନୈଃ ।
ସ୍ଥାତୁଂ ସୁରୈଃ ସହ ମହତ୍ କଳୟଂଶ୍ଚକୋଣାକୋଣେ
କୁଟୀରକମଚୀକରଦୁଷ୍ଣରଶ୍ମେଃ ।"
ଶ୍ଳୋକଟିର ପ୍ରଥମ ଭାଗର ଅର୍ଥ, ପୁରୁଷ ମୁଖ୍ୟ ନରସିଂହଦେବ ମେରୁ ସମାନ ଦାନ କରିଥିଲେ ଏବଂ ଦ୍ୱିତୀୟ ଭାଗର ଅର୍ଥ ଉଷ୍ମରଶ୍ମି ସୂର୍ଯ୍ୟଦେବଙ୍କ ପାଇଁ କୁଟୀର ଗୋଟିଏ ନିର୍ମାଣ କରିଦେଲେ ।
୪୪ . ଅର୍କକ୍ଷେତ୍ର କୋଣାର୍କ