ପୃଷ୍ଠା:Arkakshetra konark.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=45]]
ଫଟୋ-୩: ସୂର୍ଯ୍ୟଙ୍କ ପାଦତଳେ ନରସିଂହଦେବ

'କୁଟୀରକ' ଶବ୍ଦଟିର ନିହିତାର୍ଥ ନେଇ ବିବାଦ ଉଠାଇଛନ୍ତି ବିଶନ ସ୍ୱରୂପ । ସେ ମାନିବାକୁ ନାରାଜ ଶ୍ଳୋକଟି ରଚିତ ହୋଇଥିଲା କୋଣାର୍କର ବଡ଼ ଦେଉଳ ବୁଝେଇବାକୁ । ତାଙ୍କ ମତ ବଡ଼ ଦେଉଳଟି ବହୁ ପୂର୍ବେ ପୁରନ୍ଦର କେଶରୀ ଗଢ଼ିଥିଲେ, ନରସିଂହ ଦେବ କେବଳ ତୁଳନାମୂଳକ ଭାବେ କୁଟୀର ସଦୃଶ ନାଟମଣ୍ଡପଟି ତାହା ସମ୍ମୁଖରେ ଗଢ଼ିଦେଲେ । ବିଶନ୍‍ ସ୍ୱରୂପ ଆଦୌ ବେଢ଼ାର ଦକ୍ଷିଣ ପଶ୍ଚିମରେ ଥିବା ଛୋଟ ମନ୍ଦିର କଥା ବିଚାରକୁ ନେବା ପାଇଁ ମଧ୍ୟ ଭାବି ନାହାନ୍ତି; କାରଣ ତାଙ୍କର ଦୃଢ଼ ବିଶ୍ୱାସ ଥିଲା, ସେ ମନ୍ଦିରଟି ବୁଦ୍ଧଦେବଙ୍କ ମାତା ମାୟାଦେବୀଙ୍କ ମନ୍ଦିର । (ବିଷୟଟି ପୂର୍ବରୁ ଆଲୋଚିତ ହୋଇଛି) ।

ପଣ୍ଡିତ କୃପାସିନ୍ଧୁ ଏ ଅଜବ ବ୍ୟାଖ୍ୟା କାଟିବାକୁ ଛଅ ପୃଷ୍ଠା ବ୍ୟୟ କରିଛନ୍ତି ।(୧୦୫) କରୁଣାସାଗର କହିଛନ୍ତି, ମାଦଳା ପାଞ୍ଜିରେ ବର୍ଣ୍ଣିିତ କେଶରୀ ବଂଶ ତାଲିକାରେ କୌଣସି ପୁରନ୍ଦର କେଶରୀ ନାହାନ୍ତି ।(୧୦୬)

ଆଖିରୁ ପାଣ୍ଡିତ୍ୟର ଚଷମା କାଢ଼ି ବିବାଦୀୟ ଶ୍ଳୋକଟିର ସିଧା ସଳଖ ଅର୍ଥ କରିଲେ ବୁଝିବାର ଅସୁବିଧା ନାହିଁ, ସୂର୍ଯ୍ୟଦେବଙ୍କ ପ୍ରତି ଅପାର ଭକ୍ତିରୁ ବିୟର ସହିତ ବିଶାଳ ମନ୍ଦିରଟିକୁ କୁଟୀର କୁହାଯାଇଛି । ନଚେତ୍‍ ଲାଙ୍ଗୁଡ଼ା ନରସିଂହଦେବଙ୍କ ଭଳି ଜଣେ ଅସାମାନ୍ୟ ନରପତି ତାଙ୍କର ଅତିଭକ୍ତିଭାଜନ ସୂର୍ଯ୍ୟଦେବଙ୍କ ପାଇଁ ନଗଣ୍ୟ ମନ୍ଦିରଟିଏ ଗଢ଼ିଦେବେ, ଏହା ଅବିଶ୍ୱାସ୍ୟ । ଏହାଛଡ଼ା ନାଟମଣ୍ଡପ ନୃତ୍ୟଗୀତର ଆସର ପାଇଁ ଗଢ଼ା ହୋଇଥାଏ, ଦେବତା ଅଥବା ସନ୍ଥମାନଙ୍କ ସହିତ ବିଶ୍ରମାଳାପ ପାଇଁ ନୁହେଁ, ଯାହା ବିଶନ୍‍ ସ୍ୱରୂପ ନିଜ ବ୍ୟାଖାରେ କହିଛନ୍ତି । ଶେଷ କଥା, ଦ୍ୱିତୀୟ ନରସିଂହଦେବ ତାଙ୍କର ବିଖ୍ୟାତ ପୂର୍ବଜଙ୍କୁ ହୀନ କରିବା ପାଇଁ ତାମ୍ର ଅନୁଶାସନ କେବେହେଲେ ତିଆରି କରି ନଥିବେ ।

ବିଶନ୍‍ ସ୍ୱରୂପଙ୍କୁ ନାକଚ୍‍ କରିଦେବା ପରେ କରୁଣାସାଗର ପୁଣି କହିଛନ୍ତି, ପୁରନ୍ଦ୍ର କେଶରୀଙ୍କ ଐତିହାସିକତା ପ୍ରମାଣ ହୋଇ ପାରିବ ଯେବେ ତାହାଙ୍କୁ ସୋମବଂଶୀ ରାଜା ପୁରଞ୍ଜୟ ଅଥବା ଇନ୍ଦ୍ରରଥ ବୋଲି ଧରାଯିବ । ତେବେ ଯାଇ ବିବାଦଟିର ସମାଧାନ ହୋଇପାରିବ । କାରଣ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳୁଛି, ପୂର୍ବରୁ ଗୋଟିଏ ସୂର୍ଯ୍ୟ ମନ୍ଦିର ଥିଲା, ଯାହା ସମ୍ମୁଖରେ ନରସିଂହଦେବ ଆଉ ଗୋଟିଏ ବିଶାଳ ମନ୍ଦିର ଗଢ଼ିଲେ ଏବଂ ଗଠନ ଶୈଳୀରୁ ଜଣାପଡୁଛି ତଥାକଥିତ ଛାୟାଦେବୀ ମନ୍ଦିର ବଡ଼ଦେଉଳଠାରୁ ପୁରାତନ ।(୧୦୭) କରୁଣାସାଗର କିନ୍ତୁ କହି ନାହାନ୍ତି, ପୁରଞ୍ଜୟ କେଉଁ ସମୟରେ ରାଜତ୍ୱ କରୁଥିଲେ କିମ୍ବା ଏ ଦିଗରେ ଆଉ ଆଗେଇ ନାହାନ୍ତି ।

ଅର୍କକ୍ଷେତ୍ର କୋଣାର୍କ . ୪୫