ପୃଷ୍ଠା:Arkakshetra konark.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛି ପଠନ ଓ ଅନୁଶୀଳନ କରିଛି । କିନ୍ତୁ ଲେଖିବାକୁ ବସି ଦେଖିଲି, ସ୍ମୃତି ଯଥେଷ୍ଟ ନୁହେଁ । ପ୍ରୟୋଜନ ବହୁ ପୁସ୍ତକର । ଏ ବହିର ଶେଷରେ ଯେଉଁ ଗ୍ରନ୍ଥସୂଚୀ ଦିଆଯାଇଛି, ସେଥିରେ ସ୍ଥାନିତ ଅଧିକାଂଶ ପୁସ୍ତକ କଟକ ସହରର ପାଠାଗାରମାନଙ୍କରେ ନାହିଁ । ବୟସର ଆଧିକ୍ୟ ଓ ଆର୍ଥିକ ସାହାଯ୍ୟର ଅଭାବ (ସେ ଦିଗରେ ଚେଷ୍ଟା ସୁଦ୍ଧା କରିନାହିଁ) ଦୃଷ୍ଟିରୁ ଏପରି ଗୋଟିଏ ଗବେଷଣା ପାଇଁ ଭୁବନେଶ୍ୱର, କଲିକତା, ଦିଲ୍ଲୀସ୍ଥିତ ଲାଇବ୍ରେରୀ ତଥା ମ୍ୟୁଜିୟମ୍‍ ଖୋଜି ବୁଲିବାରେ ବାଧା ଥିଲା । କିନ୍ତୁ ଅଯାଚିତ ସାହାଯ୍ୟର ହସ୍ତ ପ୍ରସାରିତ ହୋଇଛି କେତେକ ବନ୍ଧୁଙ୍କ ନିକଟରୁ । ନିଜସ୍ୱ ସଞ୍ଚୟରୁ ହେଉ, ବଜାରରୁ ଖୋଜି ଆଣି ହେଉ ଅଥବା ଦୁଷ୍ପ୍ରାପ୍ୟ ଗ୍ରନ୍ଥର ଜେରକ୍ସ କପି ହେଉ, ଅଧିକାଂଶ ପୁସ୍ତକ ସେହିମାନେ ହିଁ ଯୋଗାଇଦେଇଛନ୍ତି । କେତେଖଣ୍ଡ ଦୁଷ୍ପ୍ରାପ୍ୟ ଗ୍ରନ୍ଥ ଅବଶ୍ୟ ମୋର ନିଜସ୍ୱ ସଞ୍ଚୟରେ ଥିଲା । ଏ ଦିଗରେ ସକୃତଜ୍ଞ ସୀକୃତିରେ ଆଗେ ଆସିବେ ଶ୍ରୀ ନାରାୟଣ ପ୍ରସାଦ ନନ୍ଦ ଏବଂ ପରକୁ ପର ଶ୍ରୀ ଅସିତ ମହାନ୍ତି, ଶ୍ରୀ ରମାକାନ୍ତ ଜେନା, ଶ୍ରୀ ଜ୍ଞାନାଶିଷ ଜେନା, ଶ୍ରୀମତୀ ନମିତା ପଟ୍ଟନାୟକ ଓ ଶ୍ରୀ ତପନ ମହାପାତ୍ର । ଆଗ-ପଛ କରି ସଜାହେଲେ ମଧ୍ୟ କାହାରି ଅବଦାନ ଗୌଣ ନୁହେଁ, କାରଣ ପୁସ୍ତକସୂଚୀରୁ ଖଣ୍ଡିଏ ପୁସ୍ତକ କାଢ଼ିନେଲେ କୌଣସି ନା କୌଣସି ଉପପାଦ୍ୟ ବିଘ୍ନିତ ହେବ ।

ଅବସରପ୍ରାପ୍ତ ଅଧ୍ୟାପକ ରମାକାନ୍ତ ଜେନା ମୋର ପ୍ରତିବେଶୀ । ବିଷୟଟିର ପରିକଳ୍ପନା କଥା ଶୁଣି ଏ ମହାଶୟ ଏତେ ଉତ୍ତେଜିତ ହୋଇଉଠିଲେ ଯେ ପ୍ରତିଦିନ ପାଠ ନେଲା ଭଳି ଲେଖାଟିର ଅଗ୍ରଗତି ଜାଣିବାଠାରୁ ପ୍ରୁଫ୍‍ ସଂଶୋଧନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସ୍ୱଇଚ୍ଛାରେ କଲେ । ପ୍ରୁଫ୍‍ ସଂଶୋଧନ ଯେ କେତେ କଷ୍ଟସାଧ୍ୟ ଓ ମୂଲ୍ୟବାନ କାର୍ଯ୍ୟ, ଏ ମହାଶୟଙ୍କୁ ନ ଦେଖିଲେ ବୁଝା ପଡ଼ିବ ନାହିଁ । ଗୋଟିଏ ତଥ୍ୟମୂଳକ ଲେଖାରେ ଗୋଟିଏ ଅକ୍ଷର କିମ୍ବା ସଂଖ୍ୟା, ସଂପୂର୍ଣ୍ଣ ଉପସ୍ଥାପନାକୁ ଓଲଟ ପାଲଟ କରିଦେଇ ପାରେ । ରମାକାନ୍ତବାବୁଙ୍କର ଯେତେ ଗୁଣଗାନ କରିଲେ ମଧ୍ୟ ଊଣା ହେବ ।

ଦିଲ୍ଲୀ ନିବାସୀ ଜ୍ଞାନାଶିଷ ଜେନା ଜଣେ ଅତି କର୍ମବ୍ୟସ୍ତ ପରିବେଶବିତ୍‍ । କିନ୍ତୁ ଐତିହ୍ୟ ସଚେତନତା ମଧ୍ୟ ଏ ଯୁବକଙ୍କର ବିଶେଷତ୍ୱ । ଛୁଟି ନେଇ ଆସି, କୋଣାର୍କରେ ଦୁଇ ତିନି ଦିନ କଟାଇ, ମୋର ପ୍ରୟୋଜନ ଅନୁଯାୟୀ ବହୁ ଆଲୋକ ଚିତ୍ର, ସେ ତାଙ୍କର ଶକ୍ତିଶାଳୀ କ୍ୟାମେରାରେ ବନ୍ଦୀ କଲେ, ଯାହା ଏ ପୁସ୍ତକର ଗୋଟିଏ ବିଶେଷ ସମ୍ପଦ । ପୁତ୍ରପ୍ରତିମ ଜ୍ଞାନାଶିଷଙ୍କୁ ଧନ୍ୟବାଦ କ'ଣ ଦେବି, ଆଶୀର୍ବାଦ କରୁଛି ।

ମୋର ବୌଦ୍ଧିକ ଉତ୍ତମାର୍ଣ୍ଣ ଅନେକ । ଏମାନେ ବିଭିନ୍ନ ସମୟରେ କୋଣାର୍କ ସମ୍ବନ୍ଧୀୟ ନାନା ବିଷୟରେ ଦିଗ୍‍ଦର୍ଶନ ଦେଇ ମୋତେ ଋଣୀ କରିଦେଇଛନ୍ତି । ଶ୍ରଦ୍ଧାର ସହିତ ସ୍ମରଣ କରୁଛି, ପଦ୍ମଶ୍ରୀ ଇଂ ଡକ୍ଟର ଗୋପାଳ ଚନ୍ଦ୍ର ମିତ୍ର, ଦିଲ୍ଲୀ ନିବାସୀ ଅବସରପ୍ରାପ୍ତ ଆଇ.ଏ.ଏସ୍‍. ତଥା ଗବେଷକ ଡକ୍ଟର ଜେ.ପି. ଦାସ, ଅଧ୍ୟାପକ ଦୀପାସ୍ୟ କୁଣ୍ଡୁ, ବନ୍ଧୁ ତଥା କବି ଶୈଳଜ ରବି, ଆଡ୍‍ଭୋକେଟ୍‍ ନମିତା ପଟ୍ଟନାୟକ, ବାଙ୍କୀର ଶ୍ରୀ ବ୍ରଜବନ୍ଧୁ ପାଳ ଏବଂ ଆହୁରି ଅନେକଙ୍କୁ ।

ଶୁଷ୍କ ଇତିହାସ ରଚନା ମୋର ଉଦ୍ଦେଶ୍ୟ ନଥିଲା । କୋଣାର୍କ ଭଳି ଗୋଟିଏ ବିରଳ ସୃଷ୍ଟି ଲୋପପାଇ ଯାଉଛି । ଦାୟୀ- ବୈଷୟିକ ଉନ୍ନତିରେ ମତ୍ତ ଆତ୍ମବିସ୍ମୃତ ଜାତି; ଏ.ଏସ୍‍.ଆଇ. ନିମିତ୍ତ ମାତ୍ର । ତାହା ହୋଇ ନଥିଲେ ବିଗତ ଷାଠିଏ ବର୍ଷ ଧରି ଗୋଟିକ ପରେ ଗୋଟିଏ ଅନେକ ନିଷ୍ଫଳ ଆଲୋଚନାସଭାର ନାଟକ ହେଉ ନଥାନ୍ତା; ଐତିହ୍ୟ-ସଚେତନମାନଙ୍କର ରୋଷ ନିଶ୍ଚିତ ଭାବେ କାର୍ଯ୍ୟକାରୀ ପଦକ୍ଷେପ ନେବାରେ ସହାୟକ ହୋଇ ଥାଆନ୍ତା । ମୋର ଏ ସାମାନ୍ୟ ପ୍ରଚେଷ୍ଟା ଏ ଆତ୍ମବିସ୍ମୃତ ଜାତିକୁ ଯଦି କିଛି ପରିମାଣରେ ସଚଳ କରିବାକୁ ସକ୍ଷମ ହୁଏ ତେବେ ଶ୍ରମ ସାର୍ଥକ ହେବ ।

ଅନିଲ ଦେ
ଅରୁଣୋଦୟ ନ‌ଗର
କଟକ- ୭୫୩୦୧୨