ପୃଷ୍ଠା:Arkakshetra konark.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କଲେ, ଯାହାଙ୍କୁ ସେ ସୂର୍ଯ୍ୟଙ୍କ ନାମରେ ନାମିତ କଲେ- ଭାନୁଦେବ । ତେଣୁ ସୂର୍ଯ୍ୟ ମନ୍ଦିରଟି ଗଢ଼ି ଦେଲେ । ଏ ମତ ଗ୍ରହଣ ଅଥବା ତ୍ୟାଗ ନକରି ଭବିଷ୍ୟ ପୁରାଣ ବର୍ଣ୍ଣିିତ ପୁତ୍ରାର୍ଥେ ସପ୍ତମୀ ବ୍ରତ କଥା କହିଛନ୍ତି କରୁଣାସାଗର । ଆହୁରି ମଧ୍ୟ କହିଛନ୍ତି ହର୍ଷଚରିତ ପ୍ରଭାକର ବର୍ଦ୍ଧ ପୁତ୍ରାର୍ଥେ ତିିନି ଓଳି ସୂର୍ଯ୍ୟ ପୂଜା କରୁଥିଲେ । ଆହୁରି ମଧ୍ୟ ପ୍ରତିହରରାଜ ରାମଚନ୍ଦ୍ର (୮୩୩-୮୩୬ ଖ୍ରୀଷ୍ଟାବ୍ଦ) ସୂର୍ଯ୍ୟପୂଜା କରି ପୁତ୍ରଲାଭ କରିଥିଲେ । ଏଗୁଡ଼ିକ ପ୍ରମାଣ ନୁହେଁ । ହିନ୍ଦୁମାନେ ପୁତ୍ରାର୍ଥେ ସବୁ ଦେବ ଦେବୀମାନଙ୍କୁ ବିଶେଷ କରି ଶିବଙ୍କୁ ପୂଜା କରି ଥାଆନ୍ତି । ମନ୍ଦିର ନିର୍ମାଣ ଯୋଜନା ଯେତେବେଳେ ହେଲା (୧୨୩୭-୩୮ଖ୍ରୀଷ୍ଟାବ୍ଦ) ଭାନୁଦେବ ଜନ୍ମ ମଧ୍ୟ ହୋଇ ନଥିବେ । ଆହୁରି ଗୋଟିଏ କାରଣ ଦର୍ଶାଯାଇଥାଏ, ମଗବ୍ରାହ୍ମଣମାନଙ୍କ ପ୍ରଭାବ ଫଳରେ ନରସିଂହଦେବ ସୂର୍ଯ୍ୟ ମନ୍ଦିରଟି ଗଢ଼ି ଦେଲେ । କରୁଣାସାଗର ନିଜେ ଏ କାରଣଟି କାଟି ଦେଇଛନ୍ତି । କେତେକ ମଗ ବ୍ରାହ୍ମଣ ସେ ସମୟରେ କୋଣାର୍କ ଅଞ୍ଚଳରେ ଥିଲେ ଏବଂ ମନୋରଥ ନାମକ ଜଣେ ପ୍ରସିଦ୍ଧ ମଗବ୍ରାହ୍ମଣ ପୁରୁଷୋତ୍ତମ କ୍ଷେତ୍ରକୁ ଆସିଥିଲେ, କିନ୍ତୁ ମଗମାନଙ୍କ ସଂଖ୍ୟା ଏତେ ନଥିଲା, ରାଜାଙ୍କୁ ପ୍ରଭାବିତ କରିବା ଭଳି । ଶେଷରେ କରୁଣାସାଗର କହିଛନ୍ତି; "Narasingha built the temple in an over ambitious scale. The size of the temple is itself an index of his over-ambitious vision." 'Vision' ଶବ୍ଦଟିର ଅର୍ଥ, କୋଣାର୍କ କ୍ଷେତ୍ରରେ ସୁଦୂରପ୍ରସାରୀ ।

ସମଗ୍ର ପୃଥିବୀରେ ଏବଂ ଏଇ ଭାରତବର୍ଷରେ ମଧ୍ୟ ବହୁ ସୂର୍ଯ୍ୟ ମନ୍ଦିର ଅଛି କିନ୍ତୁ କୌଣସି ଗୋଟିଏ ହେଲେ ରଥ ଆକାରରେ ପରିକଳ୍ପିତ ହୋଇନାହିଁ । ଶାସ୍ତ୍ରରେ 'ଏକ ଚକ୍ର ରଥ' କଥା ଅଛି ।(୧୨୮) ୨୪ ଚକ ରଥ କଥା କେଉଁଠାରେ ମଧ୍ୟ ନାହିଁ ।

ଆତ୍ମାନଂ ରଥିଂ ବିଦ୍ଧି ଶରୀରଂ ରଥ ମେବତୁ । ବୁଦ୍ଧିଂ ତୁ ସାରଥିଂ ବିଦ୍ଧି ମନଃ ପ୍ରଗହମେବ ଚ । ଇନ୍ଦି୍ରୟାଣି ହୟ୍ୟାହୁଃ ବିଷୟାଂସ୍ତେଷୁ ଗୋଚରାନ୍‍....... (କଠୋପନିଷଦ) ।

ଶାସ୍ତ୍ରରେ ମାନବ ଶରୀରକୁ ରଥ ଓ ଆତ୍ମାକୁ ଦେବତା ରୂପେ କଳ୍ପା କରାଯାଇଛି । କୁହାଯାଇଥାଏ ଶରୀର ମନ୍ଦିର । ମନ୍ଦିରର ଅର୍ଥ୍‍ ଦେବାଳୟ - ଦେବତାଙ୍କ ଆଳୟ । ଏ ବିଷୟରେ ପ୍ରସିଦ୍ଧ ପ୍ରତ୍ନତାତ୍ତ୍ୱିକ ଗବେଷକ ଦେବଳା ମିତ୍ରଙ୍କ ଅଭିମତ ପ୍ରଣିଧାନଯୋଗ୍ୟ ।

"Some of these elements are named after human limbs. It has been suggested on the basis of these forms that the temple was linked to the human body. The Rekha Deul has sometimes been conceived by the Orissan Architects as male-temple and the Pidha, Jagamohan as a female." ( Konark, page- ୩୦-୩୧ )

ମାନବ ମାନବୀର ମିଳିତ ଯାତ୍ରା ଗଡ଼ି ଚାଲିଛି ଅନନ୍ତ କାଳ ଧରି, ସୌରଶକ୍ତି ବାହିତ ଜୀବନରଥ ଚାଲିଛି ଯୁଗ ଯୁଗାନ୍ତ ଧରି, ପ୍ରହର ଦିବସ, ମାସ ବର୍ଷର ବିବର୍ତ୍ତରେ । ସମ୍ମୁଖସ୍ଥ ସପ୍ତ ଅଶ୍ୱ ସୌରକିରଣର ପ୍ରତିସରିତ ସପ୍ତରଙ୍ଗ, ବାର ଯୋଡ଼ା ରଥଚକ୍ର ବାର ମାସ ଓ ୨୪ ପକ୍ଷର ପ୍ରତୀକ, ରଥଚକ୍ରର ଆଠଟି ଖାଡ଼ି ଦିବସ ରଜନୀର ଅଷ୍ଟ ପ୍ରହରର ପ୍ରତୀକ । କଠୋପନିଷଦ୍‍ର ସାମାନ୍ୟ କେତେ ଧାଡ଼ି ଛାଡିଦେଲେ ଏ ବିଶ୍ଲେଷଣ ପୁରାଣରେ ଖୋଜିବା ବୃଥା । କୋଣାର୍କ, ଶିଳ୍ପ ଭାସ୍କର୍ଯ୍ୟର ମହାକାବ୍ୟ ଏବଂ ସବୁ ଏପିକ୍‍ ଭଳି ଏ ମହାକାବ୍ୟର ଭାଷ୍ୟ ଯୁଗେ ଯୁଗେ ହେଉଥିବ । ଏହା ହିଁ କୋଣାର୍କ ସ୍ଥପତିର 'visionary' ଚିନ୍ତା । ଇତିହାସ ସେ ମହାନ୍‍ ଚିନ୍ତାନାୟକ ସ୍ଥପତିର ନାମ ସୁଦ୍ଧା ଲେଖି ରଖିନାହିଁ ।

ବାସ୍ତବତାବାଦୀ ମଣିଷ ପ୍ରଶ୍ନ କରିବେ, ଏତେ ଉଚ୍ଚସ୍ତରୀୟ ଚିନ୍ତା, ଭାବନା କରିବାର ସମୟ ନରସିଂହଦେବଙ୍କର ଥିଲା କି ? ପ୍ରଶ୍ନଟି ସ୍ୱାଭାବିକ । ଯେଉଁ ମଣିଷ ତାଙ୍କ ଶାସନ କାଳର ଅର୍ଦ୍ଧାଧିକ ଯୁଦ୍ଧକ୍ଷେତ୍ରରେ କଟେଇଲେ, ତାଙ୍କର ଏତେ ସବୁ ଚିନ୍ତା ଭାବନା କରିବାର ସମୟ ନଥିବ । କିନ୍ତୁ ଏକଥା ମଧ୍ୟ ଇତିହାସରୁ ଆସୁଛି । ଏ ରାଜା ଚାରୁକଳାର ବଡ଼ ପୃଷ୍ଠପୋଷକ ଥିଲେ ଏବଂ ସ୍ୱାଭାବିକ ରୀତିରେ କାବ୍ୟ କବିତା ଓ ଶାସ୍ତ୍ର ଆଲୋଚନା ରାଜସଭାରେ ହେଉଥିବ । ସୁଶାସକର ବଡ଼ ଗୁଣ, ତାହାର ସର୍ବବିଷୟରେ କିଛି କିଛି ପ୍ରବେଶ ଥାଏ । ଏହାଛଡ଼ା ନରସିଂହଦେବଙ୍କ ପକ୍ଷରେ ଆଉ ଗୋଟିଏ ବାସ୍ତବବାଦୀ ଚିନ୍ତା କାର୍ଯ୍ୟ କରୁଥିବା ବିଶ୍ୱାସ କରାଯାଇପାରେ । ଭାରତବର୍ଷ ଗୋଟିଏ ଧର୍ମପ୍ରଧାନ ଦେଶ । ଅଖଣ୍ଡ ଭାରତର ଯେଉଁ ସ୍ୱପ୍ନ ନରସିଂହଦେବ ଦେଖୁଥିଲେ, ତାହା ସଫଳ କରିବାକୁ ସୌରପୂଜାର ବ୍ୟାପକ ପ୍ରଚଳନ ସୁସଙ୍ଗତ ହେବଳ୍କ ଏହା ହୁଏତ ତାଙ୍କର ବିଶ୍ୱାସ ଥିଲା ।

...

୫୨ . ଅର୍କକ୍ଷେତ୍ର କୋଣାର୍କ