Jump to content

ପୃଷ୍ଠା:Arkakshetra konark.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନିର୍ମାଣର ଇତିହାସ

ମନ୍ଦିର ନିର୍ମାଣର ସ୍ଥାପତ୍ୟଗତ ବିଚାର ତୃତୀୟ ପରିଚ୍ଛେଦରେ ଆଲୋଚିତ ହେବ । ଏଠାରେ ଆଲୋଚିତ ହେବ ଏହାର ପରିଚାଳନା ଓ ପ୍ରଯୁକ୍ତିଗତ ବିଷୟସବୁ । ଏତେ ବିଶାଳ କର୍ମ ଯୋଜନାରେ କିପରି ଥିଲା କୁଶଳୀ ଓ ଅଣକୁଶଳୀ କର୍ମୀ ସଂଖ୍ୟା, ସେମାନଙ୍କର ପରିଚାଳନାଗତ ବ୍ୟବସ୍ଥା କ'ଣ ଥିଲା, ନିର୍ମାଣ ଯୋଗ୍ୟ ବସ୍ତୁ କ'ଣ ଥିଲା, କ'ଣ ଥିଲା ସେଗୁଡିକର ସଂଗ୍ରହ କରିବାର ବ୍ୟବସ୍ଥା ? ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କିଛି ସରଞ୍ଜାମ ଥିଲା କି ଏବଂ କାରିଗରୀ ଜ୍ଞାନ- Technical know-how କ'ଣ ଥିଲା ? କାର୍ଯ୍ୟ ପରିସରରେ ପରିବେଶଗତ ସମସ୍ୟା କ'ଣ ଥିଲା ଏବଂ ସେ ସବୁର ସମାଧାନ କିପରି କରିଥିଲେ ସେମାନେ ?

ଇତିହାସ ଅଧିକାଂଶ ପ୍ରଶ୍ନରେ ନୀରବ ଅଥବା କୁହେଳିକା ଆଚ୍ଛନ୍ନ । ବାୟାଚକଡ଼ା ଅତି ନିଖୁଣ ବର୍ଣ୍ଣା ଦେବାକୁ ଯାଇ ସନ୍ଦେହ ଘେରରେ । ବାକି ରହିଲା ଚାର୍ଲସ୍‍ ଫାବ୍ରି କହିଥିବା, "Hypothesis and Conjuncture."

ପ୍ରାଥମିକ କାର୍ଯ୍ୟ :

ପଦ୍ମକ୍ଷେତ୍ରରେ ବିଶାଳ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେବ ସ୍ଥିର ହେଲା । କୋଣାର୍କ ସେତେବେଳକୁ କର୍ମବହୁଳ ବନ୍ଦର ସହର । ଯେଉଁ ବିଶାଳ ପଟ୍ଟଭୂମିରେ ସୌରରଥର ପରିକଳ୍ପା କରାଯାଇଥିଲା, ତାହା ପାଇଁ ଉପଯୁକ୍ତ କ୍ଷେତ୍ର ପରିକଳ୍ପା ( Land Scape) ଦରକାର, ଯେପରି ମନେ ହେବ ସୂର୍ଯ୍ୟ ରଥ ସମୁଦ୍ର ବକ୍ଷ ଉପରେ ଉଡି ଚାଲିଛି ଦିଗ୍‍ବଳୟ ଦିଗକୁ । ଜୀର୍ଣ୍ଣ ପୁରାତନ ସୂର୍ଯ୍ୟ ମନ୍ଦିର, ଆଶା କରାଯାଏ ନିର୍ଜ ସମୁଦ୍ର ତୀରରେ ସ୍ଥିତି ବଜାୟ ରଖିଥିଲା । ସ୍ଥପତିପାଇଁ ହୁଏତ ସେହି ସ୍ଥାନ ଆଦର୍ଶ ମନେହେଲା । ଅନ୍ୟ କାରଣ ଗୋଟିଏ ଥାଇପାରେ, ତାହା ସେଇ କୋଣ ସମ୍ବନ୍ଧିତ ।

କଳ୍ପନା ହୁଏତ ବିଶାଳ ପଥରିର୍ମିତ ମନ୍ଦିରକୁ ସମୁଦ୍ରରେ ଭସେଇ ରଖିପାରେ, କିନ୍ତୁ ପ୍ରକୃତ ମନ୍ଦିର ପାଇଁ ଜମିର ପ୍ରୟୋଜନ । ସେଇ ପ୍ରୟୋଜନରୁ ହୁଏତ ସମୁଦ୍ର ମଧ୍ୟରୁ ଜମି କାଢ଼ି ଆଣିବାର ଯୋଜନା ହେଲା ଏବଂ ପରବର୍ତ୍ତୀ ସମୟରେ ଜାତ ହେଲା ଗୋଟିଏ କିମ୍ବଦନ୍ତୀ ।

ଗୋଟିଏ ନିଦାଘତପ୍ତ ଦିବସରେ ଶ୍ରାନ୍ତ କ୍ଲାନ୍ତ ଶିବେଇ ସାଁନ୍ତରା (ଶିବ ସାମନ୍ତରାୟ) ଗୋଟିଏ ବ୍ରାହ୍ମଣୀ ଘର ବାରଣ୍ଡାରେ ପାଣି ମୁନ୍ଦେ ପାଇଁ ବସି ପଡ଼ିଲେ । କୋଣାର୍କର ନିଅଁ ପଡ଼ିପାରୁ ନାହିଁ, ପଦ୍ମତୋଳା ଗଣ୍ଡର ପ୍ରଖର ସ୍ରୋତରେ ଯେତେ ପଥର ପକେଇଲେ, ଭସେଇ ନେଇ ଯାଉଛି; ତେଣୁ ସେ ଘୋର ଚିନ୍ତିତ । କୁଟୀରରୁ ବୁଢ଼ୀଟିଏ ବାହାରି ସାମନ୍ତରାୟଙ୍କୁ ଗରମ ଜାଉ ଖୁଆଇବା ଛଳରେ ବୁଦ୍ଧିଟି ବତେଇ ଦେଲେ । ଏହା ହିଁ କିମ୍ବଦନ୍ତୀର ଗଳ୍ପ, ଯାହା ଓଡ଼ିଶାର ପୁରପଲ୍ଲୀରେ ସମସ୍ତେ ଜାଣନ୍ତି । ଗଳ୍ପଟି ଗଳ୍ପ ମାତ୍ର ଯଦିଓ କୃପାସିନ୍ଧୁ, ରାମଚଣ୍ଡୀଙ୍କ ଐତିହାସିକତା ପ୍ରମାଣ କରିବାକୁ ବହୁ ପ୍ରୟାସ କରିଛନ୍ତି ।(୧୨୮) ଗଳ୍ପରେ ଛିଦ୍ର ବହୁତ ।

କୋଣାର୍କ ସମ୍ବନ୍ଧୀୟ କିମ୍ବଦନ୍ତୀ ବହୁତ । ରସସ୍ନିଗ୍ଧ ଗଳ୍ପଗୁଡ଼ିକୁ ଏକତ୍ର କରି ସେଗୁଡ଼ିକର ଉଚିତ୍‍ ମୂଲ୍ୟାୟ କରିବାର ଚେଷ୍ଟା କରାଯାଇଛି ପଞ୍ଚମ ପରିଚ୍ଛେଦରେ । ବର୍ତ୍ତମାନ ଫେରିବା ଶୁଷ୍କ କଠୋର ଇତିହାସକୁ ।

କିମ୍ବଦନ୍ତୀ କିନ୍ତୁ ଗୋଟିଏ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଯାହା ସେ ସମୟର ପରିସ୍ଥିତିରେ ସମ୍ଭବ ଥିଲା । ସେ ସମୟର ନଦୀ ପଥର ବିବର୍ତ୍ତନ ସହ ତାଳ ରଖି ଭୂମିର ଗଢ଼ା ଭଙ୍ଗା ଲାଗି ରହିଥିଲା । ଅନେକଗୁଡ଼ିଏ ନଦୀ ସଙ୍ଗମରେ ଅବସ୍ଥିତ କୋଣାର୍କର ଭିତ୍ତିଭୂମିର ସ୍ଥାୟିତ୍ୱକୁ ଲକ୍ଷ୍ୟ ରଖି ନଦୀ ମଧ୍ୟରେ ଜଟ୍ଟନ୍ଧତ୍ତ ନିର୍ମାଣର ପ୍ରୟୋଜନ ବୋଧ କରି ପାରିଥାଆନ୍ତି କୋଣାର୍କ ସ୍ଥପତି, ଅର୍ଥାତ୍‍ ନଦୀ ମୁହାଣ ଗଣ୍ଡରେ ଗୋଟିଏ କୃତ୍ରିମ ବ-ଦ୍ୱୀପ ଗଢ଼ି ତାହା ଉପରେ ରଥ ଆକାରର ମନ୍ଦିର ଗଢ଼ିଦେଲେ କଳ୍ପନାର ପୂର୍ଣ୍ଣତା ଆସିବ । କାଳକ୍ରମେ ନଦୀ ଶୁଖିଗଲା ଓ ସମୁଦ୍ର ଘୁଞ୍ଚିଗଲା ବହୁଦୂର ।

ଅର୍କକ୍ଷେତ୍ର କୋଣାର୍କ . ୫୫