ପୃଷ୍ଠା:Arkakshetra konark.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କ୍ଷୀଣତର ହୋଇ 'ଦେବୀ' ନାମ ନେଇ ସ୍ୱାଧୀନ ଭାବେ ସମୁଦ୍ରରେ ପଡ଼ିଛି । ଅନ୍ୟ ଧାରା କୁଆଖାଇ କିଛି ପରେ କୁଶଭଦ୍ରା ଜାତ କରେ । କୁଶଭଦ୍ରା କିଛି ଦୂର ଯାଇ ଦୟା, ଭାର୍ଗବୀ ଜାତକରେ କିନ୍ତୁ ନିଜେ କୋଣାର୍କ ଦିଗକୁ ଗତି କରି ୮ କିଲୋମିଟର ଦକ୍ଷିଣ-ପଶ୍ଚିମରେ ସମୁଦ୍ରରେ ମିଶେ । ଦେବୀ ଓ କୁଶଭଦ୍ରା ମଧ୍ୟରେ ଥିଲା ବିଖ୍ୟାତ ପ୍ରାଚୀ ନଦୀ । ଯାହାର ଗୁଣଗାନ କରାଯାଇଛି ପ୍ରାଚୀ ମାହାତ୍ମ୍ୟରେ । ପ୍ରାଚୀ ବର୍ତ୍ତମାନ ଶୁଷ୍କ କିନ୍ତୁ ଚିହ୍ନ ରହି ଯାଇଛି ଏବଂ ଯାହା କୂଳେ କୂଳେ ବହୁ ମନ୍ଦିର ଏବେ ମଧ୍ୟ ଅଛି । ଡଚ୍ଛରର ବେହେରା ପୁଣି କହିଛନ୍ତି- ମନେହୁଏ, ପଥର ବୁହାହୋଇଥିଲା ମୁଖତଃ କୁଶଭଦ୍ରା ନଦୀ ବାଟେ ଯାହା ଦେହରୁ ଗୋଟିଏ କୃତି୍ରମ ଧାରା କୋଣାର୍କ ନିକଟକୁ ଖୋଳାଯାଇଥିବାର ଚିହ୍ନ ଏବେ ମଧ୍ୟ ବିଦ୍ୟମାନ । ଏ ନଦୀର ସ୍ଥାନୀୟ ନାମ "ପଥରବୁହା" ।(୧୪୩)

ସୁଦୀର୍ଘ ଆଲୋଚନାରୁ କେତେଗୁଡ଼ିଏ ସିଦ୍ଧାନ୍ତ ନିଆଯାଇପାରେ ।

୧. ଗୋଟିଏ ନଦୀ ସ୍ଥାନ ବିଶେଷରେ ବିଭି୍ନ ନାମ ଗ୍ରହଣ କରେ । ବିଭିନ୍ନ ବର୍ଦ୍ଧିଷ୍ଣୁ ଲୋକାଳୟ ନଦୀର ସ୍ଥାନୀୟ ନାମ ରଖନ୍ତି ଯାହା ନଦୀର କାର୍ଯ୍ୟକାରିତା ସହିତ ମଧ୍ୟ ଯୁକ୍ତ ଥାଇପାରେ ।

୨. କାଦୁଆ, ପଥରବୁହା ଦୁଇଟିଯାକ ଗୋଟିଏ ଶାଖା ନଦୀର ନାମ, ଯାହାର ଶୁଷ୍କ ଗର୍ଭରେ ଏବେ ମଧ୍ୟ ବଡ଼ ବଡ଼ ପଥର ଖଣ୍ଡ ପଡିଥିବାର ଦେଖାଯାଏ । ଏହା ମଧ୍ୟ ପ୍ରମାଣ କରୁଛି ନଦୀ ପଥରେ ପଥର ବୁହା ହେଉଥିଲା ।

୩. କଟକଠାରୁ କୋଣାର୍କ ଯାଏ ଉପତ୍ୟକା ମଧ୍ୟରେ ଯେଉଁ ସବୁ ଚିହ୍ନ ବିଦ୍ୟମାନ, ସେଥିରୁ ବିଶ୍ୱାସ କରାଯାଇ ପାରେ ଏହା ହିଁ ଥିଲା ପ୍ରାଚୀ ଉପତ୍ୟକା ଏବଂ ମୂଳ ପ୍ରାଚୀ ନଦୀ ମହାନଦୀରୁ ବାହାରିଥିଲା, କାଠଯୋଡ଼ି ନୁହେଁ । ପରେ ସେ ନଦୀ ନାନା ଶାଖା ପ୍ରଶାଖାରେ ବିଭକ୍ତ ହୋଇ ଭି୍ନ ଭି୍ନ ସ୍ଥାନୀୟ ନାମ ନେଲା । କାଳକ୍ରମେ ଏପରିକି ମୂଳ ନଦୀକୁ କାଠଯୋଡ଼ି କୁହାଗଲା ।

ବିଭିନ୍ନ ଖିଅ ଧରି ଲେଖକ ସେ ଯୁଗର ସାମ୍ଭାବ୍ୟ ନଦୀପଥର ଗୋଟିଏ ରେଖାଚିତ୍ର ତିଆରି କରିଛନ୍ତି, ଯାହା ରେଖାଚିତ୍ର ନଂ-୨ ନାମରେ ଉପସ୍ଥାପନ କରଯାଇଛି । ସେଥିରେ ଦେଖା ଯାଇଛି, ପଥର ସ୍ତରମାନଙ୍କର ଅବସ୍ଥିତି ଏବଂ କେଉଁ କେଉଁ ନଦୀଦ୍ୱାରା ପଥର ବୁହା ହୋଇଥିଲା । ଏଠାରେ ଗୋଟିଏ କଥା କହିବା ପ୍ରୟୋଜନ । ଖାଲି ଯେ ନଦୀଦ୍ୱାରା ପଥର ବୁହା ହୋଇଥିଲା ତାହା ନୁହେଁ, ସମୁଦ୍ର ପଥରେ ପରିବହନର ଯୁକ୍ତିଯୁକ୍ତ ସମ୍ଭାବନା ଦେଖା ଯାଉଛି ।

'New Light' ର ୧୩୦ ପୃଷ୍ଠାର ପାଦଟୀକାରେ ASI ର ଗୋଟିଏ ମନ୍ତବ୍ୟ ଊଦ୍ଧୃତ ହୋଇଛି । ASIର ୧୦୦୨-୦୩ର ରିପୋର୍ଟରେ କୁହାଯାଇଛି, "All transportation through inland water ways only and none by sea." - ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ନୀଳଗିରି, ଖିଚିଂ ଓ କେନ୍ଦୁଝର ଅଞ୍ଚଳରୁ ମୁଗୁି ପଥର ଧାମରା ମୁହାଣରୁ ସମୁଦ୍ର ପଥରେ କୋଣାର୍କ ଆଣିବା ସ୍ପଷ୍ଟତଃ ସହଜ ଥିଲା । ସେହିପରି ଚିଲିକା ଆଖପାଖ ଅଞ୍ଚଳର ପଥର ଚିଲିକା ବାଟେ ସମୁଦ୍ର ଦେଇ କୋଣାର୍କ ଆଣିବା ସହଜ ହୋଇଥିବା ମନେହୁଏ ।

କାର୍ଯ୍ୟ ପରିଚାଳନା :

ପ୍ରାରମ୍ଭିକ କାର୍ଯ୍ୟ ଶେଷ, ପଥର ଆସିବାକୁ ଲାଗିଲାଣି, ଦେଉଳ ତୋଳା ଆରମ୍ଭ ହେବ । ପୁରାଣ ଇତିହାସ ଲେଖକମାନଙ୍କର ୧୨ ସଂଖ୍ୟାଟି ଭାରି ପି୍ରୟ ମନେ ହୁଏ । ଶାମ୍ବ ବାର ବର୍ଷ ତପ କରି ରୋଗ ମୁକ୍ତ ହେଲେ । ଆବୁଲ୍‍ ଫଜଲ୍‍ କହିଛନ୍ତି ୧୨ଶହ ଶିଳ୍ପୀ, ବାରବର୍ଷ ଶ୍ରମ ଓ ବାରବର୍ଷର ରାଜସ୍ୱ ବ୍ୟୟ କରି ମନ୍ଦିର ଗଢ଼ିଲେ । ଏ ସବୁ ବିଚାର ବିଶ୍ଲେଷଣ ପୂର୍ବେ ହୋଇ ସାରିଛି । ସାର ମର୍ମ, ଶହ ଶହ ମଣିଷ ବର୍ଷ ବର୍ଷ ଧରି ଅବଛି୍ନ ଭାବରେ ମନୋଯୋଗୀ ହୋଇ କାର୍ଯ୍ୟ କରିଛନ୍ତି, ଯାହାର ପ୍ରମାଣ ବହନ କରୁଛି କୋଣାର୍କର ପ୍ରତିଟି ପଥର । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଏ କଠିଣ କାର୍ଯ୍ୟରେ କ'ଣ ସେମାନଙ୍କୁ ଧରି ରଖିଥିଲା ? ଅର୍ଥ ଅଥବା ଉତ୍‍ପୀଡ଼ ? ଉତ୍‍ପୀଡ଼ ର ଚିନ୍ତା ଆସୁଛି ବିଦେଶୀ ଐତିହାସିକମାନଙ୍କର ପିରାମିଡ୍‍ ନିର୍ମାଣ ବର୍ଣ୍ଣାରୁ । ପିରାମିଡ୍‍ର ବିରାଟତ୍ୱ ଛଡ଼ା ଶିଳ୍ପକାର୍ଯ୍ୟ କ'ଣ ଅଛି ? ଯେତେ ଟିକକ ଅଛି - ଯାହାକୁ ଚାରୁକଳା କୁହାଯାଇ ପାରିବ, ତାହାର ଶିଳ୍ପୀମାନଙ୍କ ପ୍ରତି ହୁଏତ ଫାରାହୋମାନେ ଯଥେଷ୍ଟ ସଦୟ ଥିଲେ । କର୍ମୀ ଭିତରୁ ଅଧିକ ସଂଖ୍ୟକ ଥିଲେ ମୂଲିଆ ଶ୍ରେଣୀର ଯାହାଙ୍କ ଭାଗ୍ୟରେ ଜୁଟୁ ଥିଲା ଚାବୁକ୍‍ । କୋଣାର୍କ କର୍ମୀମାନଙ୍କ ମଧ୍ୟରୁ ସଂଖ୍ୟାଧିକ କିନ୍ତୁ ଶିଳ୍ପୀ ଏବଂ ଯେତେକ ତଳ ଶ୍ରେଣୀର ଥିଲେ ସେମାନେ ମଧ୍ୟ ମନେ ହୁଏ, ଏକ ସ୍ୱର୍ଗୀୟ ଉନ୍ମାଦନାରେ କାର୍ଯ୍ୟ କରିଥିଲେ । ମୂଳ କାରଣ ଓଡ଼ିଶାବାସୀ ସେ ଯୁଗରେ ଅତ୍ୟନ୍ତ ଧର୍ମପ୍ରାଣ ଥିଲେ । ରାଜାଠାରୁ ପ୍ରଜା ଯାଏ; ସେମାନଙ୍କର ଦେବତାଙ୍କୁ ଅଦେୟ କିଛି ନଥିଲା । ସେଇ ନିଷ୍ଠା ସେଇ ସମର୍ପଣ କାର୍ଯ୍ୟ କରିଥିଲା ମଣିଷର ପ୍ରତିଟି ପଦକ୍ଷେପରେ

ଏବଂ ଶିଳ୍ପୀର ନିହାଣ ମୁନରେ ।

ଅର୍କକ୍ଷେତ୍ର କୋଣାର୍କ . ୬୩