ପୃଷ୍ଠା:Arkakshetra konark.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରୟୋଜନ ହେଲା । ସୂତ୍ରଧରଙ୍କ ସମସ୍ୟା ଏଇଠାରେ ଶେଷ ହେଲା ନାହିଁ, ଅଁଳା ଉପରେ ଖପୁରି ବସେଇବା ପରେ ଶେଷ ନିର୍ମାଣ କଳସ ବସି ପାରିଲା ନାହିଁ । ଧର୍ମପଦ ମାନ ରକ୍ଷା କଲେ ।(୧୫୪)

ଶେଷକୁ ଚୂଳି ମରାଗଲା କିପରି ତାହାର କୌଣସି ଐତିହାସିକ ପ୍ରମାଣ ନାହିଁ । ତେଣୁ ଆସିଗଲା ଧର୍ମପଦ କିମ୍ବଦନ୍ତୀ । ଗଳ୍ପଟିରେ ଅନେକଗୁଡିଏ ଛିଦ୍ର ଦିଶୁଛି ଯାହା ପୂର୍ବରୁ ଆଲୋଚିତ ହୋଇଛି । ଏଠାରେ ଗୋଟିଏ ତଥ୍ୟ ଉପସ୍ଥାପନ କଲେ ଯଥେଷ୍ଟ ହେବ ।

ଗଜସିଂହର ସ୍ଥାନ ଅବଶ୍ୟ ଶାସ୍ତ୍ର ଅନୁମୋଦିତ ଏବଂ ପୁରୀ, ଲିଙ୍ଗରାଜ ଆଦି ଯେଉଁ ମନ୍ଦିର ଦେଖନ୍ତୁ, ତାହାର ସ୍ଥାନ ପ୍ରାୟ ଜଗମୋହନ ଚୂଳି ସମତଳରେ । ବର୍ତ୍ତମାନ ଦେଖନ୍ତୁ ଜଗନ୍ନାଥ ମନ୍ଦିର ବିମାନର Section drawing, ଇଦାନୀଂ ପ୍ରସ୍ତୁତ କରିଛନ୍ତି ASI (ରେଖାଚିତ୍ର-୪) । ଗଜସିଂହ ବସିଲା ବେଳକୁ ଦୁଇଟି ମୁଦ (ceiling) ଗଢ଼ା ସରିଲାଣି । ଯେହେତୁ କୋଣାର୍କ ମନ୍ଦିର ଜଗନ୍ନାଥ ମନ୍ଦିରଠାରୁ ୨୩ଫୁଟ ୩ ଇଞ୍ଚ ଉଚ୍ଚ, ଗଣ୍ଡି ମଧ୍ୟରେ ଆହୁରି ଗୋଟିଏ ମୁଦ ଥିବା ସମ୍ଭବ । ତେବେ ଗଜସିଂହ ବସେଇବା ପରେ ପ୍ରଥମ ସିଲିଂ ଗଢ଼ିବା ସମ୍ଭବ କିପରି ହେଲା ?

କିମ୍ବଦନ୍ତୀ ଯାହା କହୁ, କିନ୍ତୁ ପ୍ରମାଣ ମିଳୁଛି; ମନ୍ଦିର କାମ ଶେଷ ହୋଇଥିଲା ଓ ବିଗ୍ରହ ପ୍ରତିଷ୍ଠା ହୋଇ ବହୁବର୍ଷ ପୂଜା ପାଠ ହୋଇଥିଲା । ସମସ୍ତ କିମ୍ବଦନ୍ତୀର ଯେପରି ଗୋଟିଏ ମୂଳ ଥାଏ, ସେହିପରି କୋଣାର୍କ ମନ୍ଦିରର ହୁଏତ ନିର୍ମାଣଗତ ଅସୁବିଧା କିଛି ଥିଲା, ଯାହା ପଛେ ପଲ୍ଲବାୟିତ ହୋଇ ଏପରି ସ୍ତରକୁ ଗଲା ଯେ କେତେକ ପଣ୍ଡିତ ପ୍ରଶ୍ନ ତୋଳିଲେ- ମନ୍ଦିରଟି ପ୍ରକୃତରେ ଶେଷ ହୋଇଥିଲା କି ?

ପ୍ରଥମ ପ୍ରଶ୍ନ ତୋଳିଲେ କୌଣସି ଏକ ବ୍ରଜ କିଶୋର ଘୋଷ, ୧୮୪୮ ଖ୍ରୀଷ୍ଟାବ୍ଦରେ; ସେ ଏପରିକି ନରସିଂହଦେବଙ୍କୁ ମଧ୍ୟ ଉଡେଇ ଦେଲେ । ତାଙ୍କ ମତରେ, ମନ୍ଦିରଟି କେଶରୀ ବଂଶର ରାଜା ସିଦ୍ଧ କେଶରୀ, ଶିବେଇ ସାନ୍ତରାଙ୍କ ସହଯୋଗିତାରେ ନିର୍ମାଣ କରିଥିଲେ ୧୨୭୩ ଖ୍ରୀଷ୍ଟାବ୍ଦରେ । କିନ୍ତୁ ତାଙ୍କର ହଠାତ୍‍ ମୃତ୍ୟୁ ହେବାରୁ ମନ୍ଦିର ନିର୍ମାଣ ଶେଷ ହେଲା ନାହିଁ କି ବିଗ୍ରହ ପ୍ରତିଷ୍ଠା ହୋଇପାରିଲା ନାହିଁ ।(୧୫୫) ପ୍ରତିଷ୍ଠିତ ତଥ୍ୟ ଅନୁଯାୟୀ, ୧୨୭୩ ବେଳକୁ କେଶରୀ ବଂଶ ଶେଷ ହୋଇ ଗଙ୍ଗବଂଶର ଅଷ୍ଟମ ନରପତି, ନରସିଂହଦେବଙ୍କ ପୁତ୍ର ଭାନୁଦେବ ରାଜତ୍ୱ କରୁଛନ୍ତି ଏବଂ ଶିବେଇ ସାନ୍ତରା ଗତ ହେଲେଣି ଅଥବା ଅତିବୃଦ୍ଧ ହେଲେଣି । ଅଧିକ ଆଲୋଚନା ନିଷ୍ପ୍ରୟୋଜନ ।

Dr. Hunter ମାତ୍ର ଦିକ ପାଇଁ କୋଣାର୍କ ଆସି (February ୪, ୧୮୭୦) ରାଜେନ୍ଦ୍ର ଲାଲଙ୍କ କଥାନୁସାରେ ମତ ଦେଇ ପକେଇଲେ, ମନ୍ଦିର ଗଢ଼ା ଶେଷ ହୋଇନଥିଲା । କିନ୍ତୁ Dr. R. L. Mitraଙ୍କର ଐତିହାସିକ ସତତା ଥିଲା, ପରେ ଭୁଲ୍‍ ସ୍ୱୀକାର କରି ସେ ଏହା ମଧ୍ୟ କହିଲେ, ମନ୍ଦିର ନିର୍ମାଣ ଶେଷ ହୋଇ ବିଗ୍ରହ ପ୍ରତିଷ୍ଠା ହୋଇଥିଲା ।(୧୫୬)

ଏହାପରେ ଆସିଗଲେ Percy Braon ଏବଂ ତାଙ୍କ ପରେ ପରେ Robert Ebersole ସେଇ ଏକା ରାହା ଧରି ।(୧୫୭) ବ୍ରାଉନ୍‍ ସାହେବ କୋଣାର୍କ ଶିଳ୍ପୀଙ୍କ ପିଠି ଥାପୁଡେ଼ଇ ଦେଇ କହିଲେ,"The conception of this temple was that of a genius .... its scale was too great for their power."(୧୫୮)

ଶେଷରେ ୧୯୦୨-୦୩ରେ ଆସିଲେ Arnot ସାହେବ, ଯାହାଙ୍କ ବିଷୟ ଆଲୋଚିତ ହୋଇଛି ୬୫ ପୃଷ୍ଠାରେ । ମନମୋହନ ଗାଙ୍ଗୁଲୀ ଆର୍ଣ୍ଣଟଙ୍କ ମତର ଅନ୍ୟ ଗୋଟିଏ ଦିଗ ଉପସ୍ଥାପନ କରିଛନ୍ତି । ଆର୍ଣ୍ଣଟଙ୍କ ମତ, ମନ୍ଦିରଟି ହଠାତ୍‍ ଭୁଶୁଡ଼ି ପଡ଼ିବାରୁ ପଥରଗୁଡ଼ିକ କୁଢ଼ ହୋଇ ଭିତରେ ପଡ଼ିଲା, କିନ୍ତୁ ଧୀରେ ଧୀରେ ପଡ଼ିଥିଲେ ଚାରିପଟକୁ ବିଛାଡ଼ି ହୋଇପଡିଥା'ନ୍ତା । ଗାଙ୍ଗୁଲୀ କହିଛନ୍ତି, ଯେବେ ତାହା ହୋଇଥାଆନ୍ତା ତେବେ ଗର୍ଭଗୃହ ମଧ୍ୟରେ ପଥରକୁଢ଼ ତଳୁ ସିଂହାସନ ମିଳି ନଥାନ୍ତା ।(୧୫୯) ମନ୍ଦିର ଶେଷ ହେବା ପୂର୍ବରୁ ସିଂହାସନ ବସାଯିବ କାହିଁକି ?

ଉଲ୍ଲେଖଯୋଗ୍ୟ, ଆର୍ଣ୍ଣଟ୍‍ ଜଣେ ଉଚ୍ଚପଦସ୍ଥ ସିଭିଲ୍‍ ଇଞ୍ଜିନିୟର ହେଲେ ମଧ୍ୟ ହିନ୍ଦୁ ମନ୍ଦିରର Cerbelling ପ୍ରକ୍ରିୟାଟି ଭଲ ରୂପେ ବୁଝି ପାରି ନାହାନ୍ତି । Cerbelling ପ୍ରଥାରେ ଦେବାଲ ସବୁବେଳେ ଭିତରକୁ ଢଳି ରହିବ । ଧୀରେ ଧୀରେ ହେଲେ ମଧ୍ୟ ପଥର ଭିତରକୁ ହିଁ ପଡ଼ିବ । ସିଂହାସନ ଉପରେ ଠାକୁର ବସିବା ପୀଢ଼ର ପିଠିଟି ମାତ୍ର ଭାଙ୍ଗିଛି । ଅନ୍ୟ ଅଂଶ କାହିଁକି ଅକ୍ଷତ ରହିଲା, ବିଶନ ସ୍ୱରୂପ ଅନୁସନ୍ଧାନ କରି ନାହାନ୍ତି ।

[[ଫାଇଲ:|423px|page=72]]
ଫଟୋ-୭:ପଥର ଉପରେ ହିସାବ ରକ୍ଷକ ଓ ଭଣ୍ତାର ରକ୍ଷକଙ୍କ ନାମ (୧୯୦୦-୧୯୦୩)

୭୨ . ଅର୍କକ୍ଷେତ୍ର କୋଣାର୍କ