"........ six other temples within the enclosure and twenty two other in the vicinity."
ଏତେଗୁଡ଼ିଏ ମନ୍ଦିର ଗଲା କୁଆଡେ଼ ? ବିଶେଷ କରି ବେଢ଼ା ଭିତରେ ଇଟାରେ ତିଆରି ଭଙ୍ଗାବିଷ୍ଣୁ ମନ୍ଦିରକୁ ମିଶେଇଲେ ୪ଟିରୁ ଅଧିକ ମନ୍ଦିର ନାହିଁ । ଯେବେ ଜଗମୋହନକୁ ଅଲଗା ମନ୍ଦିର ଧରା ଯାଇଥାଏ, ତେବେ ହେବ ପାଞ୍ଚ । ଏ ଇତିହାସ କିଭଳି ଇତିହାସ ? (ରେଖାଚିତ୍ର ୮ ଦେଖନ୍ତୁ)
ଷ୍ଟେଲା ପୁଣି ମାଦଳା ପାଞ୍ଜି ଉଲ୍ଲେଖ କରି (ଖୋର୍ଦ୍ଧା ରାଜବଂଶର ପୁରୁଷୋତ୍ତମ ଦେବଙ୍କର ବିଡ଼ା ସଂଖ୍ୟା ୩) କହିଛନ୍ତି, ଏ ରାଜାଙ୍କ ରାଜତ୍ୱ କାଳ ଯାଏ (୧୬୦୭ ଠାରୁ ୧୬୨୧) ମନ୍ଦିରରେ ପୂଜାପାଠ ହେଉଥିଲା ଏବଂ ରଥଯାତ୍ରା ସମୟରେ ବାର୍ଷିକ ଅନୁଦାନ ଆସୁଥିଲା । ସେ ରାଜା କୋଣାର୍କ, ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିରତ୍ରୟର ଜରିବ ମଧ୍ୟ କରାଇଥିଲେ । ପୁରୁଷୋତ୍ତମ ପରବର୍ତ୍ତୀ ରାଜା ନରସିଂହଦେବଙ୍କ (୧୬୨୧- ୧୬୪୭) ସମୟରେ ୧୬୨୮ ଖ୍ରୀଷ୍ଟାବ୍ଦରେ ବିମାନର ପୂର୍ବ ଦିଗର ଗଜସିଂହ ଖସି ପଡ଼ି ଜଗମୋହନର ପ୍ରଭୂତ କ୍ଷତି ହୁଏ (ନରସିଂହ ଦେବଙ୍କ ବିଡ଼ା ସଂଖ୍ୟା ୬) ଏବଂ ତାହାପରେ ସମସ୍ତ ଅନୁଦାନ ବନ୍ଦ ହୋଇଯାଏ ।(୧୭୩) ଏ ତଥ୍ୟକୁ ମନମୋହନ ଗାଙ୍ଗୁଲୀ ମଧ୍ୟ ସମର୍ଥ କରୁଛନ୍ତି ।(୧୭୪) ଖୋର୍ଦ୍ଧା ରାଜା ନରସିଂହଦେବ ୧୬୨୮ ଖ୍ରୀଷ୍ଟାବ୍ଦରେ କୋଣାର୍କ ମନ୍ଦିରର ମାପଚୁପ୍ କରାଇଥିଲେ । (ବିଶନ୍ ସ୍ୱରୂପ- ପୃ-୯୭) ସେତେବେଳେ କଳସ ଏବଂ ଅଁଳା ନଥିଲା । ଏ ମାପଚୁପ୍କୁ ପରବର୍ତ୍ତୀ ଯୁଗର ଐତିହାସିକମାନେ ଗୁରୁତ୍ୱ ଦେଇଥାଆନ୍ତି କାରଣ ସେତେବେଳକୁ ବିମାନ ଅନ୍ତର୍ହିତ ହୋଇ ସାରିଥିଲା ।
ଏଠାରେ କିଛି ବିଭ୍ରାନ୍ତି ନଜରକୁ ଆସୁଛି । ଯେବେ କଳା ପାହାଡ଼ର ଆଗମନ (୧୫୬୮) ପୂର୍ବରୁ ବିଗ୍ରହ ସ୍ଥାନାନ୍ତରିତ ହୋଇ ସାରିଥିଲା, ୧୬୨୮ ଯାଏ ସେଠାରେ ପୂଜାପାଠ ହେଉଥିଲା କିପରି ? ଗୋଟିଏ ଯୁକ୍ତିଯୁକ୍ତ ଅନୁମାନ କରାଯାଇପାରେ । ବଡ଼ ବଡ଼ ମନ୍ଦିରଗୁଡ଼ିକ ଗୋଟିଏ ଗୋଟିଏ ବହୁମୁଖୀ ଅନୁଷ୍ଠାନ । ତାହା ଉପରେ ଧର୍ମାଚରଣ ଛଡ଼ା ନାନା ଅର୍ଥନୈତିକ କି୍ରୟାକାଣ୍ଡ ଯୋଡ଼ା ହୋଇଥାଏ ଏବଂ ଅନେକ ମଣିଷର ଜୀବିକା ମଧ୍ୟ । ବିଗ୍ରହ ସ୍ଥାନାନ୍ତରିତ ହୋଇଗଲେ ମଧ୍ୟ ସ୍ୱାର୍ଥଗୁଡ଼ିକ ହଠାତ୍ ଲୋପ ପାଇଯାଏ ନାହିଁ । ପୂଜକକୁଳ କୌଣସି ନା କୌଣସି ଉପାୟରେ କୌଳିକବୃତ୍ତି ବଜାୟ ରଖି ଥାଆନ୍ତି । ଦୁଇଟି ଉଦାହରଣ ଦିଆଯାଇ ପାରେ ।
ବ୍ରିଟିଶ୍ ଅମଳର ସଂରକ୍ଷଣ କାର୍ଯ୍ୟ ମଧ୍ୟରେ (୧୯୦୨ ଠାରୁ ୧୯୧୦), ୧୯୦୯ ସାଲରେ ବାଲିତଳୁ ଖୋଳା ହୋଇ ବାହାରିଲା ପୁରାତନ ସୂର୍ଯ୍ୟ ମନ୍ଦିର ।(୧୭୫) (ଯାହାକୁ ମାୟାଦେବୀ, ରାମଚଣ୍ଡୀ ଇତ୍ୟାଦି ନାମରେ ଡକା ହେଲା) । ଏହାର ୪ବର୍ଷ ପୂର୍ବେ ୧୯୦୫ ସାଲରେ ନାଟମଣ୍ଡପ ବାଲି ତଳୁ ବାହାରି ଥିଲା ଏବଂ ଦେଖା ଯାଇଥିଲା ୧୬ ଫୁଟ୍ ୩ ଇଞ୍ଚ୍ ଉଚ୍ଚ ପୀଠ ଉପରେ ନାଟମଣ୍ଡପ ଭିତର ଖୁଣ୍ଟକୁ ଆଉଜା ହୋଇ ରହିଛି ଗୋଟିଏ ସୂର୍ଯ୍ୟ ବିଗ୍ରହ । (ଫଟୋ-୮ ଚିହ୍ନିତ ହେଲା, ପୁରାତନ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ପାର୍ଶ୍ୱଦେବତା ରୂପେ । ବର୍ତ୍ତମାନ ଦିଲ୍ଲୀ National Museum ରେ ଗଚ୍ଛିତ)(୧୭୬) । ବାଲିରେ ପୋତି ହୋଇଯିବା ପୂର୍ବେ ଲୁଣ୍ଠର
୭୬ . ଅର୍କକ୍ଷେତ୍ର କୋଣାର୍କ