ବାଡ଼ର ଆକଳିତ ଉଚ୍ଚତା ୫୮ ଫୁଟ ୬ ଇଞ୍ଚ ଓ ପୀଠର ମପା ଯାଇଥିବା ଉଚ୍ଚତା ୧୬ ଫୁଟ୍ ୬ ଇଞ୍ଚ (୧୦୮ପୃଷ୍ଠା ଦ୍ରଷ୍ଟବ୍ୟ) । ତେଣୁ ଭୂମିଠାରୁ ଗଜସିଂହର ସ୍ଥାନ ଥିଲା ୧୩୩ ଫୁଟ ୬ ଇଞ୍ଚ ଉଚ୍ଚରେ ଯାହା ଜଗମୋହନର ଉଚ୍ଚତା (୧୨୮ ଫୁଟ୍ ୨ ଇଞ୍ଚ, ୧୧୧ପୃଷ୍ଠା ଦ୍ରଷ୍ଟବ୍ୟ) ସହ ପ୍ରାୟ ସମାନ । ଗଜସିଂହ ଥିବା ସ୍ଥାନରୁ ଜଗମୋହନର ମୁଣ୍ଡ ପ୍ରାୟ ୫୦ ଫୁଟ୍ ଦୂରରେ (ଚିତ୍ର ନଂ୭ ଦ୍ରଷ୍ଟବ୍ୟ) ଏବଂ ଗଜସିଂହଠାରୁ ୫ଫୁଟ୍ ୪ଇଞ୍ଚ୍ ନିମ୍ନ ଲେଭେଲ୍ରେ । ଏ ବିଶାଳ ଗଜସିଂହର ଓଜନ କେତେ ଥିଲା ଓ ବାହାରକୁ ଝୁଲୁଥିବା ଅଂଶର ଓଜନ କେତେ, ତାହାର ଆକଳନ କରିବାର ପ୍ରୟୋଜନ ଅଛି । ନାଟମଣ୍ଡପ ସମ୍ମୁଖରେ ରଖା ଯାଇଥିବା ଗଜସିଂହ ଯୋଡ଼ି ମଧ୍ୟରୁ ଗୋଟିକର ମାପ ନେଇ ଓଜନ ଆକଳନ କରିଥିଲେ ଗାଙ୍ଗୁଲୀ (୧୮୩) । ସେ ମାପଗୁଡ଼ିକ ୮ ଫୁଟ ୪ ଇଞ୍ଚ × ୪ ଫୁଟ ୮ ଇଞ୍ଚ ଓ ୧ ଫୁଟ ୨ ଇଞ୍ଚ × ୯ ଫୁଟ ୨ ଇଞ୍ଚ (ଉଚ୍ଚତା) ଯାହାର ଘନଫଳ ପ୍ରାୟ ୩୬୦ ଘନଫୁଟ । କନ୍ଦା ପଥରର ଓଜନ ଘନଫୁଟ ପ୍ରତି ୧୭୧ ପାଉଣ୍ଡ ହୋଇଥିବାରୁ ସେ ଗଜସିଂହର ଆକଳିତ ଓଜନ ୨୭.୪୮ ଟନ୍ । ଦୃଶ୍ୟତଃ ଉପରୁ ପଡ଼ିଥିବା ଗଜସିଂହ, ଏ ଗଜସିଂହର ପ୍ରାୟ ଦୁଇଗୁଣ ଅର୍ଥାତ୍ ପ୍ରାୟ ୫୬ ଟନ୍ ଏବଂ ଶୂନ୍ୟରେ ଝୁଲିଥିବା ଅଂଶର ଓଜନ ପ୍ରାୟ ୨୫ ଟନ୍ । ଯେହେତୁ ଏହା ଗୋଟିଏ Cantelever, ଏହାକୁ ସ୍ୱସ୍ଥାନରେ ରଖିବା ପାଇଁ ଏହାର ପଛ ଅଂଶ, ଅର୍ଥାତ୍ Tenon ଉପରେ ଅନ୍ତତଃ ଶହେ ଟନ୍ ପଥର ଥିବା ପ୍ରୟୋଜନ ହୋଇଥିବ । ଲକ୍ଷଣୀୟ, ସେ ସ୍ଥାନ ଉପରକୁ ଗଣ୍ଡିର ଅନ୍ତତଃ ୫୦ ଫୁଟ ଓ ତାହା ଉପରକୁ ୩୬ ଫୁଟ ଉଚ୍ଚ ମସ୍ତକ ଥିଲା ଯାହାର ଓଜନ ୧୦୦ ଟନ୍ରୁ ବହୁ ଅଧିକ ଥିଲା । ଏହା ଆକଳନ କରିବାର କାରଣ, କଳସ ସ୍ଥାନଚ୍ୟୁତ ହେବା ସଙ୍ଗେ ସଙ୍ଗେ ଗଜସିଂହର ପତନ ଘଟି ନଥିବ । ୧୫୬୮ ଖ୍ରୀଷ୍ଟାବ୍ଦରେ ପ୍ରଥମ ଆକ୍ରମଣର ୬୦ ବର୍ଷ ପରେ ଅର୍ଥାତ୍ ୧୬୨୮ ଖ୍ରୀଷ୍ଟାବ୍ଦରେ ଗଜସିଂହର ପତନ ବିଶ୍ୱାସଯୋଗ୍ୟ । ଏ ସମସ୍ତ ଆକଳନ ଶତ ପ୍ରତିଶତ ନିର୍ଭୁଲ୍ ନହେଲେ ମଧ୍ୟ ନିର୍ଭରଯୋଗ୍ୟ । ପତନ ଯେତେବେଳେ ଘଟିଲା ପ୍ରାୟ ପଚାଶ ଟନ୍ ଶୀଳା ୫୦ ଫୁଟ ଦୂରରେ ଜଗମୋହନ ମୁଣ୍ଡରେ ପଡ଼ି ପାରେ ନା । ତାହା ଘଟିଥିଲେ କ୍ଷୟ କ୍ଷତିର ପରିମାଣ ଅନ୍ୟ ରକମର ହୁଅନ୍ତା । ଗଜସିଂହ ଜଗମୋହନର ପ୍ରଥମ ପୀଢ଼ ଉପରେ ପଡ଼ିବା ସ୍ୱାଭାବିକ ଏବଂ ଏହା ହିଁ ଘଟିଥିଲା । ସେ ପୀଢ଼ ଅଂଶ ଧ୍ୱଂସ କରି ଭିତର ସିଲିଂ ଓ ତାହାର ଭାର ବହନ କରୁଥିବା ଚାରିଟି ଖମ୍ବ ଭାଙ୍ଗି ତିିନି ଖଣ୍ଡ ହୋଇ ଗଜ ସିଂହ ପଡ଼ିଲା ଜଗମୋହନ ଭିତରେ ଅଥବା ଗଇଣ୍ଠାଳ ମଧ୍ୟରେ ।
ବହୁ ବର୍ଷ ପରେ ରାଜେନ୍ଦ୍ର ଲାଲ ମିତ୍ର ସେ ଭଙ୍ଗା ଖମ୍ବଗୁଡ଼ିକ ଦେଖି ଭାବିଥିଲେ, ମନ୍ଦିରର ନିଅଁ ଦବିଗଲା ।(୧୮୪) ଜଗମୋହନର ଯେଉଁ
ଅଂଶ ନଷ୍ଟ ହୋଇଥିଲା ତାହାର ଗୋଟିଏ ଫଟୋଚିତ୍ର ମିଳୁଛି (ଫଟୋ-୧୦) । ଫଟୋଟି ୧୯୦୦ ଖ୍ରୀଷ୍ଟାବ୍ଦର ସଂରକ୍ଷଣ ସମୟରେ ଉତ୍ତୋଳିତ ।
୭୮ . ଅର୍କକ୍ଷେତ୍ର କୋଣାର୍କ