ପୃଷ୍ଠା:Arkakshetra konark.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବାକର ଖାଁ ପ୍ରସଙ୍ଗରେ କରୁଣାସାଗର କହିଛନ୍ତି; ମାଦଳାପାଞ୍ଜି, ଜାହାଙ୍ଗୀର ଓ ଶାହାଜାହାନଙ୍କୁ ଗୋଳେଇ ମିଶେଇ ପକେଇଛି । ତାହାପରେ କଟାକ୍ଷ କରି କହିଛନ୍ତି, ଜଣେ ସାଧାରଣ ପୁରୋହିତଠାରୁ ଏହା ଠାରୁ ଅଧିକ ଆଶା କରାଯାଏନା । ଏ କଟାକ୍ଷ ପ୍ରକତରେ 'Ordinary Priest' ପାଇଁ ଉଦ୍ଦିଷ୍ଟନୁହେଁ, ମାଦଳାପାଞ୍ଜିର ବିଶ୍ୱାସନୀୟତା ପ୍ରତି ଉଦ୍ଦିଷ୍ଟ ।(୧୮୮) କରୁଣାସାଗରଙ୍କ ଉପସ୍ଥାପନାରୁ ଗୋଟିଏ ବିଷୟ ବୁଝା ପଡୁାହିଁ । ଜାହାଙ୍ଗୀରଙ୍କ ମୃତ୍ୟୁ ୨୮ ଅଚ୍ଛେରାବର ୧୬୨୭ ଏବଂ ଶାହାଜାହହାନଙ୍କ ସିଂହାସନ ଆରୋହଣ ୪ ଫେବ୍ରୁଆରି ୧୬୨୮ । ମଝିର ତିି ମାସର ବ୍ୟବଧାନ, ରାଜସିଂହାସନ କ'ଣ ଖାଲି ପଡ଼ିଥିଲା ? ଡ: କରୁଣାସାଗର ବେହେରା ଅବଶ୍ୟ ଜଣେ ଅସାମାନ୍ୟ ଐତିହାସିକ, କିନ୍ତୁ ଏ ବିଷୟରେ ସେ ଆଉ କେତୋଟି ମନ୍ତବ୍ୟ ଦେଇଛନ୍ତି ଯାହା ବିବଦମାନ ହେବାକୁ ବାଧ୍ୟ ।

ଡକ୍ଟର ବେହେରା ଲେଖିଛନ୍ତି, କଳାପାହାଡ଼ ମନ୍ଦିର ଧ୍ୱଂସ ହେବା ପାଇଁ ଦାୟୀ ଏହାର କୌଣସି ଠୋସ୍‍ ପ୍ରମାଣ ନାହିଁ ।(୧୮୯) ୧୪୦ ପୃଷ୍ଠାରେ ପୁଣି କହିଛନ୍ତି, ମନ୍ଦିର ଅପବିତ୍ର କରିଦେବାର ଅନୁମାନ କୌଣସି ମୋଗଲ ସୂତ୍ରରୁ ପ୍ରମାଣିତ ହେଉନାହିଁ, ପରବର୍ତ୍ତୀ ପୃଷ୍ଠାରେ (ପୃ୧୪୧) ପୁଣି କହିଛନ୍ତି, ଓଡ଼ିଶାର ମୁସଲିମ୍‍ ଗଭର୍ଣ୍ଣର୍‍ଙ୍କ (ବାକର୍‍ ଖାଁ) ସଠିକ୍‍ ଭୂମିକା ଏଯାଏ ପ୍ରମାଣିତ ହୋଇନାହିଁ । ସମ୍ମାନୀୟ ପ୍ରଫେସର୍‍ ସାହେବ କ'ଣ ଆଶା କରୁଥିଲେ, ମୁସଲମାନଙ୍କ ଦ୍ୱାରା ଲୁଣ୍ଠ ଓ ଅନ୍ୟାନ୍ୟ ଅତ୍ୟାଚାରର ପୁଙ୍ଖାନୁପୁଙ୍ଖ ତାଲିକା ତଥା ବିବରଣୀ ସେ ସମୟର ମୋଗଲ ଇତିହାସରେ ମିଳିବ ! ତେବେ କ'ଣ ସେ ନିଜେ ଉଲ୍ଲେଖ କରିଥିବା J. N. Sarkarଙ୍କ Studies in Mughal India P--୨୦୩ (ପାରସ୍ୟ ଦେଶୀୟ ମର୍ଶର- ଉଲ୍‍-ଉମାରା) ମିଥ୍ୟା; ଷ୍ଟେଲା କର୍ମରୀଶ୍‍ଙ୍କଠାରୁ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ଭୁଲ୍‍ ବୟାନ ଦେଲେ ? ଏବେକାର ଭାରତବର୍ଷର ସାମ୍ପ୍ରଦାୟିକ ଅସହିଷ୍ଣୁତାର ବାତାବରଣରେ ଅପି୍ରୟ ସତ୍ୟକଥନର ଫଳାଫଳ ନେଇ ହୁଏତ ଚିନ୍ତିତ ଥିଲେ ଡ: ବେହେରା ?

ଏଠାରେ ଆଉ ଗୋଟିଏ ବିଷୟ ଆଲୋଚନା କରିବା ପ୍ରାସଙ୍ଗିକ ହେବ । ଯବନ ଆକ୍ରମଣରେ ମନ୍ଦିରର ବିପୁଳ କ୍ଷତି ହେବାର ମତଟିକୁ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ । କୁହାଯାଉଛି ଉପରୁ କଳସ କାଢ଼ି ନେବା ଫଳରେ ପଥରଗୁଡ଼ିକ କ୍ରମେ ଖସି ପଡ଼ିଲା ଏବଂ ଗଜସିଂହ ମୂର୍ତ୍ତିି ଖସିପଡ଼ିବା ପରେ ଧ୍ୱଂସର ଗତି ଦ୍ରୁତତର ହେଲା ।

[[ଫାଇଲ:|423px|page=81]]
ଫଟୋ-୧୧(ଖ) : ଦକ୍ଷିଣ ଦିଗରୁ ଜଗମୋହନ (ସଂରକ୍ଷଣ ପରେ)

ଅର୍କକ୍ଷେତ୍ର କୋଣାର୍କ . ୮୧