ପୃଷ୍ଠା:Arkakshetra konark.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପୂର୍ବେ ଆଲୋଚିତ ତଥ୍ୟ ଅନୁଯାୟୀ ପ୍ରଥମ ଯବନ ଆକ୍ରମଣ ହୁଏ ୧୫୬୮ରେ ଏବଂ ଗଜସିଂହର ପତନ ହୁଏ ୧୬୨୮ ଖ୍ରୀଷ୍ଟାବ୍ଦରେ । ଗଜସିଂହ ଯେଉଁ ଉଚ୍ଚତାରେ ପ୍ରୋତ୍‍ଥିତ ହୋଇଥିଲା ତାହା ଉପରକୁ କଳସ ଅପସାରିତ ହେବା ପରେ ମଧ୍ୟ ଆହୁରି ୬୦/୬୫ ଫୁଟ୍‍ ପ୍ରସ୍ତର ବଳୟ ରହୁଛି । ଗାଙ୍ଗୁଲୀ କହିଛନ୍ତି, କଳସ ନ ଥାଇ ମଧ୍ୟ ବହୁ ମନ୍ଦିର ବହୁ ବର୍ଷ ତିଷ୍ଠି ଥିବା ସେ ଦେଖିଛନ୍ତି ।(୧୯୦) ଖାଲି କଳସଟି କାଢ଼ି ନେଲେ, ୬୦/ ୬୫ ଫୁଟ୍‍ ପ୍ରସ୍ତର ବଳୟ (ପ୍ରାୟ ନିଦା- ରେଖାଚିତ୍ର ନଂ-୯, ପୃଷ୍ଠା-୧୧୦ ଦେଖନ୍ତୁ) ଷାଠିଏ ବର୍ଷ ଭିତରେ ଆପେ ଆପେ ଖସି ପଡ଼ିବ ନାହିଁ ଏବଂ ତାହା ଅନ୍ତତଃ ବହୁସ୍ତର ନ ଖସିବା ଯାଏଁ ଗଜ-ସିଂହ ପଡ଼ିବ ନାହିଁ, କାରଣ ତାହାର ପୁଚ୍ଛ ଅଂଶ (tenon) କୁ ଉପର ବଳୟ ମାଡ଼ି ବସି ରହିଥିବ । ସେ ବିଶାଳ ପ୍ରସ୍ତର ସ୍ତରକୁ ସ୍ଥାନଚ୍ୟୁତ କରିବାକୁ ନିଶ୍ଚୟ ବାହାରୁ ହସ୍ତକ୍ଷେପ ଘଟିଥିବ । ଜଗମୋହନଟି ଖାଡା ଥିଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ଦକ୍ଷିଣ ଦିଗଟି ଯେପରି ଭାବେ କ୍ଷତିଗ୍ରସ୍ତ ହୋଇଛି ତାହା କଳସ ପଡ଼ିଗଲେ ହେବନାହିଁ; ବାହାରୁ ଆକ୍ରମଣ ଅବଶ୍ୟମ୍ଭାବୀ ।

ଆହୁରି ଗୋଟିଏ ବିଷୟ ମଧ୍ୟ ବିବେଚନା ଯୋଗ୍ୟ । ବେଢ଼ାର ଦକ୍ଷିଣ-ପଶ୍ଚିମ କୋଣରେ ଥିବା ପୁରାତନ ସୂର୍ଯ୍ୟ ମନ୍ଦିର (ଅକଳିତ ଉଚ୍ଚତା ୨୫'-୩) ଏପରି ଥୁଣ୍ଟାକରି ଭାଙ୍ଗିଲା କିଏ ? ଏ ସମସ୍ତ ସୂଚିତ କରୁଛି, ବିଶେଷ କରି ସୂର୍ଯ୍ୟ ମନ୍ଦିର ଉପରେ କାହାରି ଆକ୍ରୋଶ ମାତ୍ରାତିରିକ୍ତ ଥିଲା ।

ଏବେ ଯାଏ ଯେତେ ତଥ୍ୟ ଉପସ୍ଥାପିତ ହେଲାଣି ତାହା ବିଚାରକୁ ନେଲେ ମାନିବାକୁ ପଡ଼ିବ ୧୫୬୮ ଠାରୁ ୧୬୨୮ ଯାଏ ଷାଠିଏ ବର୍ଷରୁ ଅଧିକ ସମୟ ଯବନ ଆକ୍ରମଣରେ ଏ ମନ୍ଦିରର ପ୍ରଭୂତ କ୍ଷତି ଘଟେ । କୋଣାର୍କର ଦୁର୍ଭାଗ୍ୟ ଏଇଠାରେ ଶେଷ ହୁଏନା । ୧୫୬୮ରେ ମୁକୁନ୍ଦଦେବଙ୍କ ମୃତୁ୍ୟ ପରେ ଓଡ଼ିଶା ଚାଲିଯାଏ ବଙ୍ଗଳାର ଆଫଗାନ୍‍ ଶାସକ ହାତକୁ । କିନ୍ତୁ ଏହାର ଆହୁରି ୩୪ ବର୍ଷ ପରେ, ଅର୍ଥାତ୍‍ ୧୫୮୨ରେ ଶାସନ ଚାଲିଯାଏ ମୋଗଲ ହାତକୁ ଯାହାର ଗୋଟିଏ ପ୍ରତିଭୂ ଥିଲେ ପୂର୍ବେ କଥିତ ବାକର ଖାଁ । ଦିଲ୍ଲୀର ମୋଗଲ ଶାସକ ହୁଏତ ଏପରି ବର୍ବର ନଥିଲେ, ଯାହାର ଉଦାହରଣ ବାକର ଖାଁର ବିତାଡ଼ କିନ୍ତୁ କୋଣାର୍କ ମନ୍ଦିର ମରାମତି କରି ପୁଣି ବିଗ୍ରହ ସ୍ଥାପନ ସହଜ ନଥିଲା ।

ଏଣେ ଜଗନ୍ନାଥ ଧର୍ମର ପ୍ରଭାବ ଏତେ ବଢ଼ିଗଲା ଯେ କପିଳ ସଂହିତାରେ ଲେଖାହେଲା, ଶ୍ରୀ ପୁରୁଷୋତ୍ତମ ସବୁ କ୍ଷେତ୍ରର ରାଜା ଏବଂ ସମସ୍ତ ଦେବ ଦେବୀଙ୍କ ରାଜା । ବଳରାମ ଦାସ "ବଟ ଅବକାଶ'ରେ କହିଲେ, ଅନ୍ୟାନ୍ୟ ଦେବଦେବୀଙ୍କ ମେଳରେ ସୂର୍ଯ୍ୟଦେବ ଜଗନ୍ନାଥଙ୍କ ଦର୍ପଣ ବହନ କରିଲେ । ପ୍ରଜାର ଭାବାବେଗ ଜଗି ରାଜା, ନଚେତ୍‍ ଯେଉଁ ରାଜନୈତିକ ପରିବେଶରେ ଜଗନ୍ନାଥ ମନ୍ଦିର ବାରମ୍ବାର ଆକ୍ରାନ୍ତ ହୋଇ ମଧ୍ୟ ବାରମ୍ବାର ଗଢ଼ା ହୋଇଥିଲା, ସେଇ ପରିବେଶରେ କୋଣାର୍କ ମଧ୍ୟ ପୁନଃପ୍ରତିଷ୍ଠିତ ହୋଇପାରନ୍ତା । ରାଜାମାନେ ଆଉ ଆଗେଇଲେ ନାହିଁ ।(୧୯୧)

କରୁଣାସାଗରଙ୍କ ବହୁ ବର୍ଷ ପୂର୍ବରୁ ବିଶନ୍‍ ସ୍ୱରୂପ କହିଛନ୍ତି- ରାଜଧାନୀ ପୁରୀରୁ ଖୋର୍ଦ୍ଧା ହଟିଯିବା ଫଳରେ ଅଥବା ମନ୍ଦିର ଅପବିତ୍ର ହୋଇଯିବାଯୋଗୁଁ ଆଉ ମରାମତି ହେଲା ନାହିଁ । ଶାସ୍ତ୍ରରେ ଲେଖା ହେଲା - ଶୈବ ମନ୍ଦିର ଅପବିତ୍ର ହୋଇଯିବା ପରେ ପୁଃ ନିର୍ମାଣ ହେବ ନାହିଁ ।(୧୯୨) ବିଶନ୍‍ ସ୍ୱରୂପ ଅବଶ୍ୟ କଥିତ ଶାସ୍ତ୍ରର ନାମ ଦେଇ ନାହାନ୍ତି ଏବଂ ସୂର୍ଯ୍ୟ ମନ୍ଦିର ଶୈବ ମନ୍ଦିର ନୁହେଁ, ଯଦିଓ ଅମିୟ ଭୂଷଣ ମଧ୍ୟ ଏହା କହିଛନ୍ତି । (ପୃଷ୍ଠା-୪୯ଦେଖନ୍ତୁ) । କିନ୍ତୁ ଏକଥା ସତ ଯେ ପ୍ରବଳ ଜଗନ୍ନାଥ ଧର୍ମ କ୍ରମେ ସମଗ୍ର ଓଡ଼ିଶାର ମାନସିକତାକୁ ଆଚ୍ଛନ୍ନ କରି ପକାଇଲା । ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟପୂଜା ଆଳରେ ଯେଉଁ ବିଶ୍ୱଜନୀନ ଦେବାର୍ଚ୍ଚାର ସ୍ୱପ୍ନ ଦେଖିଥିଲେ ତାହାର ସମାପ୍ତି ଘଟିଲା । କୋଣାର୍କ ଦେଉଳର ଅବକ୍ଷୟ କିନ୍ତୁ ଏଇଠାରେ ଶେଷ ହେଲା ନାହିଁ ।

ଅନ୍ୟ ଗୋଟିଏ କାରଣ ମଧ୍ୟ ଉଲ୍ଲେଖଯୋଗ୍ୟ । ବନ୍ଦରଭିତ୍ତିକ ସହର କୋଣାର୍କର ବନ୍ଦର କେବେ ଲୋପପାଇଲା ତାହାର ସଠିକ୍‍ ଇତିହାସ ନାହିଁ । ଆଜି ଯାହା ଦେଖାଯାଉଛି, କୋଣାର୍କ ଚାରିପଟେ ଥିବା ନଦୀଗୁଡ଼ିକର ସ୍ମୃତି ମାତ୍ର ପଡ଼ି ରହିଛି । ଏ ସମସ୍ତ ଧାରା ଶୁଷ୍କ ହୋଇ କେବେ ମନ୍ଦିର ପରିତ୍ୟକ୍ତ ହେଲା କୁହାଯାଇ ପାରୁାହିଁ, କିନ୍ତୁ ଏହା ନିଶ୍ଚୟ ଘଟିଥିଲା ଏବଂ ସ୍ଥାନଟି ପରିତ୍ୟକ୍ତ ହୋଇ ଲୋକାଳୟଗୁଡ଼ିକ ଦୂରକୁ ଘୁଞ୍ଚିଗଲା । ଏଣେ ସମୁଦ୍ର ଘୁଞ୍ଚିଯିବାରୁ ବାଲୁକାବେଳାରୁ ଅବାଧ ବାଲୁକା ଝଡ଼ କ୍ରମେ ପରିତ୍ୟକ୍ତ ସଭ୍ୟତାକୁ ଗ୍ରାସ କଲା ।

ମଧ୍ୟ ଯୁଗରୁ ଏ ଯୁଗ ଯାଏ (କାବୁଲର ବହମତି ବୁଦ୍ଧ) କଟ୍ଟରପନ୍ଥୀ ମୁସଲମାନମାନଙ୍କ ଦ୍ୱାରା ମୂର୍ତ୍ତିି ଓ ମନ୍ଦିର ଭଙ୍ଗା ଯିବାର ବହୁ ନଜିର୍‍ ଅଛି । କିନ୍ତୁ ହିନ୍ଦୁଙ୍କ ଦ୍ୱାରା ହିନ୍ଦୁ ମନ୍ଦିର ନଷ୍ଟ କରାଯିବାର ଇତିହାସ (ଆଂଶିକ ହେଲେ ମଧ୍ୟ) କୋଣାର୍କ ଛଡ଼ା ଅନ୍ୟତ୍ର କେଉଁଠାରେ ହୋଇଥିବାର ଇତିହାସ ନାହିଁ ଏବଂ ଏହା ମଧ୍ୟ ହୋଇଥିଲା ସେଇ ଧର୍ମ ନାମରେ (ପରବର୍ତ୍ତୀ ଅଧ୍ୟାୟରେ ଏହା ବର୍ଣ୍ଣିିତ) ।