ପୃଷ୍ଠା:Arkakshetra konark.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏକଚକ୍ର ସୂର୍ଯ୍ୟରଥ କଥା ପୁରାଣରେ ଅଛ ।(୧୯୭) କିନ୍ତୁ ଐରାବତେଶ୍ୱର ସୂର୍ଯ୍ୟ ମନ୍ଦିର ନୁହେଁ, ଶିବ ମନ୍ଦିର । ଚକ୍ର-ଅଶ୍ୱ ସଂଯୋଜନଟି କୌଣସି ବିଶେଷ ଧର୍ମମତ ଅଥବା ଶିଳ୍ପ ଚିନ୍ତାରୁ ହୋଇ ନାହିଁ । ଏହା ଶିଳ୍ପୀର ବିକ୍ଷିପ୍ତ ଚିନ୍ତା ମାତ୍ର, ଏହା ସହିତ କୋଣାର୍କର ସୂର୍ଯ୍ୟରଥ ପରିକଳ୍ପାର କୌଣସି ଭାବଗତ ସାମଞ୍ଜସ୍ୟ ମଧ୍ୟ ନାହିଁ ।

ଶାସ୍ତ୍ରୋକ୍ତ ଏକଚକ୍ର ରଥ ପରିକଳ୍ପା ଠାରୁ ମଧ୍ୟ କୋଣାର୍କ ରଥ ପରିକଳ୍ପା ବହୁ ଆଗକୁ । ୨୪ଟି ରଥଚକ୍ର ଓ ସପ୍ତ ଅଶ୍ୱବାହିତ ଏ ସୃଷ୍ଟି ପଛରେ କେଉଁ ଦାର୍ଶିକତା କାର୍ଯ୍ୟ କରୁଛି, ଆଗକୁ ବିଚାର କରାଯିବ । କଠୋପନିଷଦରେ ମନୁଷ୍ୟ ଶରୀରକୁ ରଥ ରୂପରେ କଳ୍ପା କରାଯାଇଛି ।

ଆତ୍ମାନଂ ରଥିଂ ବିଦ୍ଧି ଶରୀରଂ ରଥମେବତୁ ।
ବୁଦ୍ଧିଂ ତୁ ସାରଥିଂ ବିଦ୍ଧି ମନଃ ପ୍ରଗହମେବ ଚ ।
ଇନ୍ଦ୍ରିୟାଣି ହୟାନ୍ୟାୟାହୁଃ ବିଷୟାଂସ୍ତେଷୁ ଗୋଚରାନ୍‍ ।

ଦେଖାଯାଉଛି ଶରୀରକୁ ରଥ ରୂପରେ ଶାସ୍ତ୍ରରେ ମଧ୍ୟ କଳ୍ପା କରାଯାଇଛି । ମନୁଷ୍ୟ ଶରୀର ପୁଣି ମନ୍ଦିର ରୂପେ ମଧ୍ୟ କଳ୍ପିତ । କୁହାଯାଇଥାଏ,"ଦେହ ମନ୍ଦିର' । ଦେହ ମଧ୍ୟରେ ଯେଉଁ ଆତ୍ମା, ତାହା ହିଁ ଦେବତା । ଚିନ୍ତା କରାଯାଇପାରେ, ବିମାନ-ପୁରୁଷ ଓ ଜଗମୋହନ ତା'ର ଶକ୍ତି-ନାରୀ । ରେଖଦେଉଳକୁ ପୁରୁଷ ଓ ଜଗମୋହନକୁ ନାରୀ ରୂପେ କଳ୍ପା କରିଛନ୍ତି ଓଡ଼ିଶା ଭାସ୍କରମାନେ । ଏହାର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ମନୁଷ୍ୟ ଦେହର ଅଙ୍ଗ ପ୍ରତ୍ୟଙ୍ଗର ନାମ ବହନ କରୁଛି (୧୯୮) । ଯେହେତୁ ମନ୍ଦିର ଗଠିତ ହୁଏ ଶିଳ୍ପ ଶାସ୍ତ୍ର ମତେ, ଏହା ଶାସ୍ତ୍ରାନୁମୋଦିତ ଯାହା ଉପରୋକ୍ତ ଶ୍ଳୋକରେ ପ୍ରତିଫଳିତ ହେଉଛି ଏବଂ ଆଗକୁ ଏ ପ୍ରତିଫଳନ ଦିଶିବ ଅନ୍ୟାନ୍ୟ ଶାସ୍ତ୍ରରେ ମଧ୍ୟ । ମାନବ ମାନବୀର ଯତିହୀନ ମିଳିତ ଯାତ୍ରା ଚାଲିଛି ଅନନ୍ତ କାଳ ଧରି । ସୌରଶକ୍ତିବାହିତ ଜୀବନ ରଥ ଗଡ଼ି ଚାଲିଛି ଯୁଗଯୁଗାନ୍ତର ଧରି ପ୍ରହର, ଦିବସ, ମାସ ଓ ବର୍ଷର ବିବର୍ତ୍ତରେ । ସମ୍ମୁଖର ସପ୍ତ ଅଶ୍ୱ ସୌର କିରଣରେ ପ୍ରତିସରିତ ସପ୍ତ ରଂଗ, ବାରଯୋଡ଼ା ରଥଚକ୍ର- ବାରମାସ ଓ ଚବିଶ ପକ୍ଷର ପ୍ରତୀକ । ରଥ ଚକ୍ରର ଆଠଟି ଖାଡ଼ି ଅଷ୍ଟ ପ୍ରହରର ପ୍ରତୀକ । କୋଣାର୍କ ଶିଳ୍ପ ଭାସ୍କର୍ଯ୍ୟର ମହାକାବ୍ୟ ଏବଂ ମହାକାବ୍ୟର ଭାଷ୍ୟ ଯୁଗେ ଯୁଗେ ହୋଇଚାଲିଥିବ ସ୍ଥପତିର କାଳାତୀତ ଚିନ୍ତା । ଏହାହିଁ କୋଣାର୍କ ।

ଆର୍ଯ୍ୟ ସ୍ଥାପତ୍ୟ ଓ ଉତ୍କଳୀୟ ଧାରା :

କୋଣାର୍କ ସ୍ଥାପତ୍ୟ ଭାରତୀୟ-ଆର୍ଯ୍ୟ (Indo-Aryan) ସ୍ଥାପତ୍ୟ ଶୈଳୀର ଅନ୍ତର୍ଗତ । ଭାରତୀୟ ମାର୍ଗ ସଙ୍ଗୀତରେ ଯେପରି ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ, ଦୁଇଟି ମୁଖ୍ୟ ଧାରା ଅଛି ଭାରତୀୟ ସ୍ଥାପତ୍ୟର ସେହିପରି ଯୋଡିଏ ମୁଖ୍ୟ ଧାରା - Indo Aryan ଏବଂ Dravidian । ଜଣେ ଗବେଷକଙ୍କର ମତରେ (ଆଶୀସ୍‍ ନାଙ୍ଗିଆ) Indo Aryan ସ୍ଥାପତ୍ୟ ଉତ୍ତର-ଭାରତରେ ଜନ୍ମ ନିଏ ୮୦୦ ଖ୍ରୀଷ୍ଟାବ୍ଦରେ । ଏହାର ପ୍ରସାର ପଶ୍ଚିମରେ ଗୁଜୁରାଟ ଠାରୁ ଆରମ୍ଭ କରି ପୂର୍ବରେ ଓଡ଼ିଶା ଯାଏ ବିସ୍ତୃତ । ଭାରତୀୟ ଆର୍ଯ୍ୟ ସ୍ଥାପତ୍ୟରେ ମୂଳତଃ ମନ୍ଦିରଟି ଗୋଟିଏ ସ୍ତମ୍ଭହୀନ ଗମ୍ବୁଜ, ଯାହା ବହୁ ଉଚ୍ଚକୁ ଉଠିଥାଏ । ହୁଏତ ଏଇ କାରଣରୁ ଏହାକୁ 'ଶିଖର' କୁହାଯାଏ । ମୁଖଶାଳା ଇତ୍ୟାଦି ପରବର୍ତ୍ତୀ ସଂଯୋଜନ (୧୯୯) । ଏ ସ୍ଥାପତ୍ୟର ଆଉ ଗୋଟିଏ ବୈଶିଷ୍ଟ୍ୟ, ଏହାର ଭୂମିତଳ ବର୍ଗାକୃତି ହୋଇଥାଏ ।

ଦ୍ରାବିଡ଼ ଧାରା ଆର୍ଯ୍ୟ ଧାରାଠାରୁ କିଛି ପ୍ରାଚୀନ, ପ୍ରଥମ ପ୍ରଚଳନ ହୁଏ ଷଷ୍ଠ ଶତାବ୍ଦୀରେ । ଆର୍ଯ୍ୟ ଧାରାରେ ମୂଳ ମନ୍ଦିର ଅର୍ଥାତ୍‍ ବିମାନ ଠାରୁ କୌଣସି ମନ୍ଦିର ଅଥବା ତୋରଣ ବଡ଼ ହେବା ଅକଳ୍ପନୀୟ । ଦ୍ରାବିଡ଼ ଧାରାରେ କିନ୍ତୁ ତୋରଣ ଅର୍ଥାତ୍‍ ଗୋପୁରମ୍‍ ମୂଳ ମନ୍ଦିର ଠାରୁ ବହୁଗୁଣ ବଡ଼ ହୋଇଥାଏ ଏବଂ ତାହାର ପତ୍ତ ଆୟତାକାର (Rectangular) ହୁଏ । ବେଢ଼ାର ଗଠନ ବିଭିନ୍ନ କାର୍ଯ୍ୟାଳୟ, ଭଜନ ଗୃହ, ଯାତ୍ରୀ ତଥା ପୂଜକମାନଙ୍କ ନିବାସ ଇତ୍ୟାଦି ପାଇଁ ହଲ୍‍ ଘର ଭଳି ଗଢ଼ା ହୋଇଥାଏ । ବଡ଼ ବଡ଼ ମନ୍ଦିରମାନଙ୍କରେ ଏ ବେଢ଼ା ମଧ୍ୟରେ ଗୋଟିଏ ପୁଷ୍କରିଣୀ ଥାଏ । ମୂଳ ମନ୍ଦିରର ଭୂମିତଳ ବର୍ଗାକାର ହୁଏ ଏବଂ ତାହା ଚାରିପଟେ ସ୍ତମ୍ଭ ଥିବା ବାରଣ୍ଡା ଥାଏ । ସ୍ତମ୍ଭ ଓ ମନ୍ଦିର ବାଡ଼ ଉପରୁ ପିରାମିଡ୍‍ ଭଳି ଥାକ ଥାକ ହୋଇ ଚୂଳୀକୁ ଉଠିଥାଏ । ଓଡ଼ିଶାର ମୁଖଶାଳା ଓ ଅନ୍ୟାନ୍ୟ ପୀଢ଼ ଦେଉଳ ସହିତ ଦ୍ରାବିଡ଼ ପରିକଳ୍ପ ।ର ମେଳ ଏକମାତ୍ର ପୀଡ଼ ଅଂଶ, କିନ୍ତୁ ତାହାର ଗଠନ ମଧ୍ୟ ଭିନ୍ନ । ଦ୍ରାବିଡ଼ ଧାରାର ମୂଳ ମନ୍ଦିର ମୁଣ୍ଡରେ କେତେକ ସମୟରେ ଏବଂ ଗୋପୁରମ୍‍ ମୁଣ୍ଡରେ ସବୁବେଳେ, ଓଲଟାଡଙ୍ଗା ଭଳି କାର୍ଯ୍ୟ ଗୋଟିଏ ଥାଏ । ଏ ପ୍ରଥା ବୌଦ୍ଧ ସ୍ତୂପ ସ୍ଥାପତ୍ୟରୁ ଆଗତ ବୋଲି ଅନେକେ ଦାବି କରିଥାଆନ୍ତି । ଦ୍ରାବିଡ଼ ଧାରାର ମୂଳ ମନ୍ଦିର ସମ୍ମୁଖରେ ଗୋଟିଏ ସମ୍ମିଳନୀ ମଣ୍ଡପ ଥାଏ ଯାହାର ଛାତ ବହନ କରୁଥାଏ ଅନେକଗୁଡିଏ ଖମ୍ବ । ସେ ମଣ୍ଡପର ଛାତ ସାଧାରଣତଃ ସମତଳ ହୁଏ ଏବଂ କେବେ କେବେ ଓଲଟାଡଙ୍ଗା ଭଳି ମଧ୍ୟ ହୁଏ । ସ୍ପଷ୍ଟତଃ ଏ ଧାରାର ମନ୍ଦିର ନିର୍ମାଣ ଠାରୁ ଆର୍ଯ୍ୟ ଧାରା

ଏବଂ ବିଶେଷ କରି ଓଡ଼ିଶାର ମନ୍ଦିର ସମ୍ପୂର୍ଣ୍ଣ ଭିନ୍ନ ।

୮୮ . ଅର୍କକ୍ଷେତ୍ର କୋଣାର୍କ