ପୃଷ୍ଠା:Asha Tara Dekhiba.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବହୁତ ଦିନ ତଳେ ସବୁ ମଣିଷ ଆକାଶ ଦେଖୁଥିଲେ, ତାରା ଚିହ୍ନୁଥିଲେ। ସୂର୍ଯ୍ୟ, ଚନ୍ଦ୍ର, ତାରା ମଣିଷର ଘଡି ଓ ପାଞ୍ଜିର କାମ କରୁଥିଲେ । ଏମାନଙ୍କୁ ନେଇ ସାଧାରଣ ମଣିଷ ବେଳ ଜାଣୁଥିଲା, ଋତୁ ଚିହ୍ନୁଥିଲା, ପୂଜା ପରବ, ଚାଷ, ଅମଳ ଓ ବଣିଜ ବେପାରର ଦିନ ଠିକ କରୁଥିଲା । ତେଣୁ ତାରାଙ୍କୁ ମନେ ରଖିବାର ସୁବିଧା ପାଇଁ ତାଙ୍କୁ ନେଇ ମନେ ମନେ କେତେ ଆକୃତି ଓ କାହାଣୀ ଯୋଡ଼ିଲା ।

ଏବେ ବିଜ୍ଞାନ ଓ ସମାଜ ଅନେକ ବଦଳି ଯାଇଛି, ଆଗୁଆ ରୂପ ନେଇଛି । ବିଜ୍ଞାନୀ ଏବେ ଗ୍ରହ ସୂର୍ଯ୍ୟଙ୍କ ପାଖରେ ପହଞ୍ଚିଛି, ତାରାଙ୍କୁ ଟପି ବିଶ୍ୱର କେତେ ଅଜଣା ବସ୍ତୁକୁ ବୁଝୁଛି । କିନ୍ତୁ ବିଜ୍ଞାନର ଧାରା ବଦଳି ନାହିଁ । ନିରୀକ୍ଷଣ, ତଥ୍ୟ, କଳ୍ପନା, ପରଖ ଓ ତର୍କ ବାଟ ଦେଇ ସବୁ ନୂଆ କଥାକୁ ମଣିଷ ଏବେ ବି ବୁଝୁଛି । 'ବିଜ୍ଞାନର ଧାରା’ ଭାବରେ ଏହା ସବୁକାଳ ପାଇଁ ସ୍ୱୀକୃତି ପାଇଛି ।

ସାଧାରଣ ମଣିଷ ଏବେ ଘଣ୍ଟା କ୍ୟାଲେଣ୍ତରରୁ ସମୟ ଓ ଋତୁ ଜାଣୁଛି- ତେଣୁ ତା’ର ବି ଆଉ ତାରା ଦେଖିବା ଦରକାର ପଡ଼ୁନି । କିନ୍ତୁ ତାରା ଦେଖିବାରୁ ଯେ ତା’ର ଶିକ୍ଷା ଆରମ୍ଭ ହୋଇଥିଲା ସେ କଥା ସେ ଭୁଲି ଯାଇନାହିଁ । ନିଜ ଚାରିପାଖର ଜିନିଷରୁ ପିଲାର ଶିକ୍ଷା ଆରମ୍ଭ ହେବା ଉଚିତ ବୋଲି ସେ ବୁଝିଛି । ଏଭଳି ଶିକ୍ଷାର ଆଧାର ହୁଏ ପିଲାର ଜନ୍ମଗତ କୁତୂହଳୀ । ଶିକ୍ଷାର ଏହି ଧାରା ପିଲା ପାଇଁ ମଜାର କଥା ହୁଏ ଏବଂ ପ୍ରକୃତିକୁ ତା’ର ଜୀବନ ସହିତ ଯୋଡ଼େ । ଅଜଣା କଥାକୁ ବୁଝିବାର ବାଟ ସେ ଶିଖେ ।

ତେଣୁ ଏବେ ବି ତାରା ଦେଖାର ମୂଲ୍ୟ ରହିଛି । କୁତୂହଳୀ ପିଲାର ମଜା କାମ ହିସାବରେ ହେଉ ବା (ଆକାଶ) ବିଜ୍ଞାନ ଶିକ୍ଷାକୁ ସାଧାରଣ ଜୀବନ ସହିତ ଯୋଡ଼ିବା ଦିଗରେ ହେଉ, ଏସବୁରେ ସହାୟକ ହେବା ଏହି ବହିଟିର ଲକ୍ଷ୍ୟ ।

କଥାରେ ଅଛି ପିଠାର ସୁଆଦ କେବଳ ଖାଇଲାବାଲା ହିଁ ପାଏ । ସେମିତି ତାରାମାନଙ୍କ ବିଷୟରେ ଆମେ ଯେତେ ପଢ଼ିଲେ ବା ଜାଣିଲେ ବି ଆକାଶକୁ ନ ଦେଖିଲା ଯାଏଁ ଆମେ ତା’ର ପୂରା ମଜାଟା ପାଇବା ନାହିଁ । ତାରା ବିଷୟରେ ସବୁକିଛି ନ ବୁଝିଲେ ବି ଆମେ ଆକାଶରେ ତାରାମାନଙ୍କୁ ଚିହ୍ନିବାର ମଜା ପାଇ ପାରିବା । ଏହି ମଜା କାମରୁ ଆକାଶ ବିଷୟରେ ଅଧିକ ଜାଣିବାର ଆଗ୍ରହ ଆସିବ । ପ୍ରକୃତ ବିଜ୍ଞାନର ଆରମ୍ଭ ତ ଏହିପରି ଦେଖିବା ବା ନିରୀକ୍ଷଣରୁ ହୁଏ । ସବୁ ପ୍ରକାରର ଶିକ୍ଷାର ଆରମ୍ଭ ମଧ୍ୟ ଏପରି ମଜା କାମରୁ ହେବା ଉଚିତ ।

୧୦