ପୃଷ୍ଠା:Asha Tara Dekhiba.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଞ୍ଜ ବୁଡ଼ୁ ବୁଡ଼ୁ ଯଦି ଆକାଶକୁ ଚାହିଁ ବସିବା ତେବେ କ’ଣ ଦେଖିବା ? ପଶ୍ଚିମ ଦିଗରୁ ରଙ୍ଗ ସବୁ ଉଭେଇ ଯାଇ ଅନ୍ଧାରୁଆ ହୋଇ ଆସିବ । ଆକାଶର ଏଣେତେଣେ ଟିକି ଟିକି ତାରା ବାହାରିବେ । ଯେତେ ଅନ୍ଧାର ହେବ ସେତେ ବେଶୀ ତାରା ଦିଶିବେ । ସୂର୍ଯ୍ୟ ଅସ୍ତ ହେବାର ଦୁଇ ଘଣ୍ଟା ଖଣ୍ଡେ ନ ଯାଉଣୁ ସାରା ଆକାଶ ଝିଲିମିଲି ତାରାରେ ଭରିଯିବ । ଖାଲି ଜହ୍ନ ଆଉ ମେଘ ଦାଉ ନ ସାଧିଲେ ହେଲା । ତୋଫା ଜହ୍ନ ପାଖରେ ତାରାଗୁତିକ ଫିକା ଦେଖାଯିବେ ଆଉ ମେଘ ତ ଜହ୍ନକୁ ବି ଘୋଡ଼ାଇ ପକାଇବ । ସହର ଅଞ୍ଚଳରେ ତାରା ଦେଖିବାର ବଡ ଶତୃ ହେଉଛି ବିଜୁଳି ଆଲୁଅ । ଧୁଳି ଓ ଧୁଆଁ ବି ସେଠାରେ ତାରାଦେଖାଳୀଙ୍କୁ ବେଶ ହଇରାଣ କରନ୍ତି ।

ତଥାପି ଏସବୁକୁ ଏଡ଼ାଇ ଆମେ ତାରାଦେଖାର କିଛି ମଜା ପାଇବା । ଅନ୍ଧାରୁଆ ଖୋଲା ପଡ଼ିଆ ବା ଛାତ ଉପର ଏଥିପାଇଁ ସୁବିଧା ଜାଗା । ଆମ ଦେଶରେ ପ୍ରାୟ ସବୁ ସମୟରେ ସଫା ଆକାଶ ମିଳିବ । ବର୍ଷାଦିନେ ବି ମଝିରେ ମଝିରେ ଆକାଶରେ ମେଘ ନ ଥିବ । ସେ ସମୟରେ ତାରାଗୁଡିକ ବେଶ ଭଲ ଦେଖାଯିବେ । କାରଣ ପବନରୁ ଧୂଳି ସବୁ ବର୍ଷରେ ଧୋଇ ହୋଇ ଯାଇଥିବ ।

ରାତିରେ ଘର ଭିତରର ଆଲୁଅରୁ ବାହାରର ଅନ୍ଧାରକୁ ଚାଲି ଆସିଲେ ସାଙ୍ଗେ ସାଙ୍ଗେ ଆମକୁ କିଛି ଦେଖା ଯାଏନାହିଁ । କିଛି ସମୟ ଅନ୍ଧାରରେ ରହିଗଲେ ଚାରିଆଡ଼ ଟିକିଏ ଫର୍ଚ୍ଚା ଜଣାପଡ଼େ ଓ ଅଧୁକ ଜିନିଷ ବାରିହୁଏ । କାରଣ ଆଖିପୁଅଟି ବଡ଼ ହେବାକୁ କିଛି ସମୟ ଲାଗେ । ତେଣୁ ତାରା ଦେଖିବା ଆଗରୁ ପ୍ରାୟ ୧୦ ମିନିଟ ପାଇଁ ଅନ୍ଧାରରେ ରହିବା ଭଲ । ଆମ ଆଖି ଅନ୍ଧାରକୁ ଖାପ ଖାଇଗଲା ପରେ ଛୋଟ ଛୋଟ ତାରାଗୁଡିକୁ ସହଜରେ ଦେଖିହେବ ।

ଅଳ୍ପ ସମୟ ପାଇଁ ହେଲେ ବି କିଛି ଉଜ୍ଜ୍ୱଳ ଆଲୁଅ (ଗାଡ଼ି ବା ଟର୍ଚ୍ଚ ଆଲୁଅ) ଆମର ‘ଅନ୍ଧାର ଦୃଷ୍ଟି'କୁ ନଷ୍ଟ କରିଦିଏ । ତେଣୁ ଏ ସବୁଠାରୁ ଦୁରେଇ ରହିବା ଦରକାର । ଲାଲ ଆଲୁଅରେ ଅନ୍ଧାର ଦୃଷ୍ଟି ଖରାପ ହୁଏନାହିଁ । ତେଣୁ ବାହାରେ ତାରା ଦେଖିଲା ବେଳେ ବହି ବା ମାନଚିତ୍ର ପାଇଁ ଅଳ୍ପ ଉଜ୍ଜ୍ୱଳତାର ଲାଲ ଆଲୁଅ ବ୍ୟବହାର କରାଯାଇ ପାରିବ । ଟର୍ଚ୍ଚ ଉପରେ ଲାଲ ଜରି (ଜିଲାଟିନ୍ କାଗଜ) ଗୁଡ଼ାଇ ଏହି କାମରେ ଲଗା ଯାଇ ପାରିବ ।

ପାଗଯୋଗ ଠିକ କରି ଅନ୍ଧାର ଆକାଶକୁ ଚାହିଁଲେ ଆମେ କେତେ ତାରା ଦେଖିବା ? ସମସ୍ତେ ଭାବନ୍ତି କୋଟି କୋଟି । କିନ୍ତୁ ହିସାବ କରି ଦେଖା ଯାଇଛି ଯେ ଏକ ସମୟରେ ଆମେ ଖାଲି ଆଖିରେ ମୋଟେ ୩୦୦୦ରୁ ୫୦୦୦ ଭିତରେ ତାରା ଦେଖି ପାରିବା । ଯନ୍ତ୍ର ସାହାଯ୍ୟରେ ବେଶ୍ ଅଧିକ ଦିଶିବ । ହରେକ ପ୍ରକାରର ତାରାଙ୍କର ଏ ଜଙ୍ଗଲକୁ ଆମେ ମନେ ରଖିବା କେମିତି ? ପୁଣି ବୁଝିବା କିପରି ?

୧୧