ପୃଷ୍ଠା:Asha Tara Dekhiba.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଗ୍‌ନିଚୁଡ‌୍) । କୌଣସି ତାରାର ପ୍ରତୀତ ଦୀପ୍ତି ଓ ଦୂରତାକୁ ନେଇ ଏହା ହିସାବ କରାଯାଏ । ପୃଥିବୀରୁ ୧୦ ପାର୍‌ସେକ୍ (୧ ପାର୍‌ସେକ୍=୩.୨୬ ଆଲୋକ ବର୍ଷ) ଦୂରରେ ରହିଥିଲେ ଏଠାରେ ତାହାର ପ୍ରତୀତ ଦୀପ୍ତି ( ବା ମନେ ହେଉଥିବା ଉଜଳତା) ଯାହା ହେବ ତାହା ତା’ର ପରମ ଦୀପ୍ତି ଭାବରେ ଧରାଯିବ । ଏହି ମାପରେ ସୂର୍ଯ୍ୟର ପରମ ଦୀପ୍ତି ହେବ ୪.୯ ଏବଂ ଲୁବ୍‌ଧକର ୧.୫ ।

ରଙ୍ଗ ଓ ଉତ୍ତାପ

ଆକାଶରେ ତାରାଙ୍କୁ ଲକ୍ଷ କଲେ ଅନେକ କଥା ଜଣାପଡ଼େ । ସେଥିରୁ ଗୋଟିଏ ହେଉଛି ସେମାନଙ୍କର ପ୍ରକାର । କିଏ ଅତି ବେଶୀ ଉଜଳ ତ କିଏ ବେଶ୍ ମାନ୍ଦା । କିଏ ଲାଲ୍ ତ କିଏ କମଳା ରଙ୍ଗର, କିଏ ହଳଦୀ ରଙ୍ଗ ତ କିଏ ନୀଳ । ଅଧିକାଂଶ ପୁଣି ତୋଫା ଧଳା ।

ତାରାମାନଙ୍କର ଠିକ୍ ରଙ୍ଗ ବାରିବାକୁ ହେଲେ ଆକାଶର ଉପର ଭାଗରେ ସେମାନଙ୍କୁ ଦେଖିବା ଉଚିତ । ଦିଗ୍‌ବଳୟ ପାଖରେ ଥିଲା ବେଳେ ତାରାମାନେ ସାଧାରଣତଃ ବେଶୀ ମାନ୍ଦା ଓ ଲାଲ ଦେଖା ଯାଆନ୍ତି । କାରଣ ତାଙ୍କର ଆଲୁଅ ବେଶ୍ ଅଧିକ ମୋଟାର ବାୟୁମଣ୍ଡଳ ଭେଦି କରି ଆସେ । ତେଣୁ ନୀଳ ରଶ୍ମି ଅଧିକ ଖେଳାଇ ହୋଇଯାଏ । ଉଦୟ ଅସ୍ତ ବେଳର ସୂର୍ଯ୍ୟ ଭଳି ତାରା ବି ଲାଲ ଦେଖାଯାଏ । ଏହାଛଡା ବାୟୁମଣ୍ଡଳରେ ପବନର ସ୍ରୋତ ଓ ଉତ୍ତାପର ତଫାତ ଯୋଗୁଁ ତାରାଗୁଡିକ ଅଧିକ ମିଟିମିଟି କରନ୍ତି ।

ତାରାଙ୍କର ଏ ରଙ୍ଗ ଆସେ ସେମାନଙ୍କର ଉତ୍ତାପରୁ । କମାର ଶାଳରେ ବା ଇଲେକ୍‌ଟ୍ରିକ୍ ହିଟରରେ ଆମେ ଦେଖିଥୁବା ଯେ ଅଳ୍ପ ଗରମ ବେଳେ ଲୁହା ଲାଲ ଦେଖାଯାଏ । ଉତ୍ତାପ ବଢିଲେ ତାହା କ୍ରମେ ହଳଦିଆ ଓ ଶେଷରେ ଧଳା ହୋଇଯାଏ । ତାରାଙ୍କ ଦେହରେ ମୋଟାମୋଟି ତାହା ହିଁ ହେଉଛି । ଅଳ୍ପ ଗରମ ତାରା (ବାହାର ସ୍ତରର ଉତ୍ତାପ ପ୍ରାୟ ୩୦୦୦୦ ସେ.) ଲାଲ ଦେଖାଯାଏ । ମଝିଲା ଗରମ ବା ପ୍ରାୟ ୬୦୦୦୦ ସେ. ଉତ୍ତାପର ଗରମ ତାରା ହଳଦିଆ ଆଂଶିଆ ଦେଖାଯାଏ । ସବୁଠାରୁ ଗରମ ତାରା, ଯାହାର ବାହାର ସ୍ତରର ଉତ୍ତାପ ପ୍ରାୟ ୪୦,୦୦୦୦ ସେ. ନୀଳରୁ ଧଳା ଦେଖାଯାଏ । ଆମର ସୂର୍ଯ୍ୟ ଗୋଟିଏ ମଝିଲା ଗରମ ବା ହଳଦିଆ ତାରା ।

ଖାଲି ଆଖି ଦେଖା ରଙ୍ଗରୁ ତାରାର ଉତ୍ତାପର ମୋଟାମୋଟି ଧାରଣ କରି ହେବ । କିନ୍ତୁ ସଠିକ ମାପ ପାଇଁ ବୈଜ୍ଞାନିକମାନେ ତାରା ଆଲୁଅର ବର୍ଣ୍ଣାଳୀକୁ ପରୀକ୍ଷା କରନ୍ତି । ଆମେ ଜାଣିଛେ ଯେ ଆଲୋକକୁ ପ୍ରିଜ୍‌ମ

୧୫