ଆମକୁ ପାଖାପଖି ଥିବା ଭଳି ଜଣା ପଡ଼ନ୍ତି । ଆମର ଅତି ଚିହ୍ନା ସପ୍ତର୍ଷି ମଣ୍ଡଳର ଉଦାହରଣରୁ ଏକଥା ସହଜରେ ଜାଣିହୁଏ । ଏହି ୭ଟି ତାରା ଆମଠାରୁ ୫୦ ରୁ ୧୫୦ ଆଲୋକ ବର୍ଷ ଦୂରରେ ରହିଛନ୍ତି । କିନ୍ତୁ ଏକା ଦିଗରେ ଥିବାରୁ ଆମେ ତାଙ୍କୁ ଏକ ସମତଳରେ ଲଙ୍ଗଳ ଆକାରରେ ଥିବାରୁ ମନେକରୁ
ତାରାଙ୍କ ଗତି
ଦ୍ୱିତୀୟ ବୁଝିବା କଥାଟି ହେଉଛି ଯେ ତାରାମାନେ ସତରେ ସ୍ଥିର ନୁହନ୍ତି । ଆକାଶରେ ସବୁ କିଛି ଗତିଶୀଳ । ସେମାନେ ଆମକୁ ସ୍ଥିର ମନେ ହେବା ପଛରେ ରହିଛି ସେହି ଦୂରତା । -- ବିରାଟ ଦୂରତା । ଅତି ଦୂରରେ ଥିବାରୁ ତାଙ୍କର ଗତିକୁ ଆମେ ସାଧାରଣ ସମୟ କାଳରେ ଧରି ପାରେ ନାହିଁ । ଠିକ୍ ଯେପରି ଗାଡିରେ ଗଲାବେଳେ ପାଖରେ ଥୁବା ଜିନିସବୁ ପଛକୁ ଦୌଡୁଥୁବା ଭଳି ଲାଗେ, କିନ୍ତୁ ଦୂରର ଗଛ ପାହାଡ ଆଦି ସ୍ଥିର ମନେ ହୁଏ ।
କୋଟି କୋଟି କିଲେମିଟର ଦୂରର ତାରାଙ୍କ ତୁଳନାରେ ୧୫ କୋଟି କି.ମି. ଦୂରରେ ଥିବା ସୂର୍ଯ୍ୟ, ୪ ଲକ୍ଷ କି.ମି. ଦୂରରେ ଥିବା ଚନ୍ଦ୍ର ବା ୧୦ରୁ ୧୫୦ କୋଟି କି.ମି ଦୂରରେ ଥିବା ଖାଲି ଆଖିକୁ ଦିଶୁଥିବା ଗ୍ରହମାନେ ଆମର ହାତ ପାହାନ୍ତାରେ । ତେଣୁ ଏମାନଙ୍କର ଗତି କୁ ଆମେ ଅତି ସହଜରେ ଧରିପାରେ । ଲାଗ ଲାଗ ଦୁଇ ରାତି ଧରି ଦେଖିଲେ ଚନ୍ଦ୍ର ଗୋଟିଏ ତାରାରୁ ଆଉ ଗୋଟିଏ ପାଖକୁ ଚାଲି ଯାଇ ଥିବାର ଦେଖିହୁଏ । ୧୫ ଦିନ ମାସେ ଛଡାରେ ସୂର୍ଯ୍ୟାସ୍ତ ପରର ପଶ୍ଚିମ ତାରା ବା ସୂର୍ଯ୍ୟୋଦୟ ଆଗର ପୂର୍ବ ତାରାଙ୍କୁ ଲକ୍ଷ୍ୟ କଲେ ସୂର୍ଯ୍ୟର ଗତି ଜାଣି ହୁଏ । ଗ୍ରହମାନଙ୍କ ସ୍ଥାନ ବଦଳା ମଧ୍ୟ କେତେ ମାସ ଭିତରେ ବାରି ହୁଏ ।