ପୃଷ୍ଠା:Asha Tara Dekhiba.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ତ୍ତୁଳ ପୁଞ୍ଜଗୁଡ଼ିକ ଆକାରରେ ବଡ଼ । ସେଥିରୁ ଆକାର ତୁଳନାରେ ତାରାଙ୍କ ସଂଖ୍ୟା ଆହୁରି ଅଧିକ । ଏମାନଂକର ହାରାହାରି ବ୍ୟାସ ପ୍ରାୟ ୩୦୦ ଆଲୋକ ବର୍ଷ । ସେଥିରେ ଦଶ ହଜାରରୁ ଏକ ଲକ୍ଷ ଯାଏଁ ତାରା ‌ଖୁନ୍ଦି ହୋଇ ରହିଥାଏ । ବାଷ୍ପ ବା ଧୁଳି ପ୍ରାୟ ଜଣା ପଡ଼େ ନାହିଁ । ବର୍ତ୍ତୁଳ ପୁଞ୍ଜର କେନ୍ଦ୍ରରେ ତାରାମାନଂକ ସଂଖ୍ୟା ଓ ଘନତା ବ‌ହୁତ ଅଧିକ । ବାହାର ଆଡ଼କୁ ତାହା କମି ଯାଏ । ଛାୟାପଥ ଭିତରେ ପ୍ରାୟ ୧୨୫ ଟି ବର୍ତ୍ତୁଳ ପୁଞ୍ଜ ଜଣାଅଛି । କିନ୍ତୁ ଏସବୁ ବେଶ୍ କ୍ଷୀଣ ହୋଇଥିବାରୁ ଖାଲି ଆଖିରେ ଦେଖିବା କଷ୍ଟ ।

୩। ନେବୁଲା ଓ ନିହାରିକା: ଝାପ୍ସା ତାରାପୁଞ୍ଜ ଛଡ଼ା ଆଉ କେତେ ମେଘ ଭଳି ଜିନିଷ ମଧ୍ୟ ଆକାଶରେ ଦେଖାଯାଏ । ଏସବୁକୁ ନେବୁଲା ବା ନୀହାରିକା (ଗାଲାକ୍ସି) କୁହାଯାଏ। ନେବୁଲା କେବଳ ବାଷ୍ପ ଓ ଧୂଳିର ମେଘ । ଶକ୍ତିଶାଳୀ ଦୂରବିକକ୍ଷଣ ଯନ୍ତ୍ରରେ ଦେଖିଲେ ସେ ମେଘରେ ବିଶେଷ କିଛି ଅଧିକା ବାରି ହୁଏ ନାହିଁ । କେଉଁ କେଉଁ ନେବୁଲା ଭିତରେ ଅଳ୍ପ କିଛି ତାରା ଥାଇପାରେ । ନ ହେଲେ ଅଧିକାଂଶ କେବଳ ଥଣ୍ଡା ବଳକା ବାଷ୍ପ । ପାଖ ତାରାର ଆଲୁଅ ଯୋଗୁ ଆମେ ଏମାନଂକୁ ଦେଖିପାରୁ । କିଛି ନେବୁଲା ତାରାର ଆଲୁଅକୁ ଉହାଡ଼ କରି ଆମକୁ ଛାଇ ଭଳି ଦିଶନ୍ତି । ସବୁଠୁ ବଡ଼ କଥା ହେଉଛି ଯେ ନେବୁଲାଗୁଡ଼ିକ ଆମର ଛା‌ୟାପଥ ନୀହାରିକା ଭିତରର । କାଳପୁରୁଷର ଅଣ୍ଟା ତଳକୁ ଝୁଲିଥିବା ଖଣ୍ଡାର ଧୂଆଁଳିଆ ଅଂଶଟି ଖାଲି ଆଖିକୁ ଦେଖା ଯାଉଥିବା ଗୋଟିଏ ନେବୁଲା ।

ନୀହାରିକାଗୁଡ଼ିକ କିନ୍ତୁ କୋଟି କୋଟି ତାରାଂକୁ ନେଇ ଗ‌ଢ଼ା । ଆମର ଛାୟାପଥ ଭଳି ସେମାନେ ମଧ୍ୟ ମହାଶୂନ୍ୟରେ ଗୋଟିଏ ଗୋଟିଏ ଦ୍ୱୀପ ଭଳି ରହିଛନ୍ତି । ସେମାନଂକ ଭିତରେ ନେବୁଲା, ବାଷ୍ପ, ଧୂଳି ଆଦି ମଧ୍ୟ ରହିଛି । ଆମର ନିକଟତମ ନୀହାରିମା ହେଉଛି ଆଣ୍ଡ୍ରୋମିଡା ।

୪୦