ପୃଷ୍ଠା:Asha Tara Dekhiba.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନୀହାରିକା ଦେବଯାନୀ ତାରାମଣ୍ଡଳରେ ଏହାର ଝାପ୍‌ସା ରୂପ ଦେଖାଯାଏ । ବଡ଼ ଦୂରବୀକ୍ଷଣ ଯନ୍ତ୍ରରେ ତା' ଦେହରେ ଥିବା ତାରାମାନଙ୍କୁ ଦେଖିହୁଏ ।

୪. ଅସ୍ଥିର ତାରା: ଆମେ ଦେଖୁଥିବା ଅଧିକାଂଶ ତାରାଙ୍କର ଉଜ୍ଜ୍ୱଳତା ବା ଦୀପ୍ତି ସ୍ଥିର ରହିଥାଏ । କିନ୍ତୁ ଏଭଳି କିଛି ତାରା ବି ଅଛନ୍ତି ଯେଉଁମାନଙ୍କର ଉଜ୍ଜ୍ୱଳତା କମେ ଓ ବଢ଼େ । କିଏ ଜୁଳୁଜୁଳିଆ ପୋକ ଭଳି ଅଳ୍ପ କେତେ ଘଣ୍ଟାରେ କ୍ଷୀଣ-ଉଜ୍ଜଳ-କ୍ଷୀଣ ହେଉଥାଏ । ଆଉ କିଏ ଏଥି ପାଇଁ ବର୍ଷ ବର୍ଷ ସମୟ ନିଏ । ଏ ଭଳି ଉଜ୍ଜ୍ୱଳତା ବଦଳଉଥିବା ତାରାମାନଙ୍କୁ ଅସ୍ଥିର ତାରା କୁହାଯାଏ । ଉଜ୍ଜ୍ୱଳତା ବଦଳିବାର କାରଣକୁ ନେଇ ଅସ୍ଥିର ତାରାଙ୍କୁ ଦୁଇ ମୁଖ୍ୟ ଶ୍ରେଣୀରେ ରଖାଯାଇଥାଏ: ୧. ପରାଗୀ ଯୁଗ୍ମ ତାରା (ଏକ୍ଲିପ୍‌ସିଙ୍ଗ ବାଇନାରୀ) ଏବଂ ୨. ପ୍ରକୃତ ଅସ୍ଥିର ତାରା (ଇଣ୍ଟ୍ରିନ୍‌ସିକ ଭାରିଏବଲ୍) ।

ନିଜ ନିଜର ଚାରିପଟେ ବୁଲୁଥିବା ଦୁଇଟି ତାରା (ଯୁଗ୍ମ ତାରା) ବେଳେ ବେଳେ ଆମ ଆଖି ସିଧାରେ ଆଗ ପଛ ହୋଇ ରୁହନ୍ତି । ଫଳରେ ଗୋଟିଏ ଆରଟିକୁ ଉହାଡ଼ କରେ ବା ସୂର୍ଯ୍ୟପରାଗ ଭଳି ପଛ ତାରାଟିର ପରାଗ ହୁଏ । ଏହି ଅବସ୍ଥାରେ ଯୁଗ୍ମ ତାରାଟି କ୍ଷୀଣ ଜଣାପଡ଼େ । କିଛି ସମୟ ପରେ ତାରା ଦୁଇଟି କିଛି ଘୁଞ୍ଚିଗଲେ ଆମେ ଦୁହିଁଙ୍କର ଆଲୋକ ପାଉ ଏବଂ ଯୁଗ୍ମ ତାରାଟି ତା'ର ମୂଳ ଉଜ୍ଜ୍ୱଳତାକୁ ଫେରି ଆସେ । ଏହି ତାରାମାନଙ୍କୁ ପରାଗୀ ଯୁଗ୍ମ ତାରା କୁହାଯାଏ । ଯଯାତି ମଣ୍ଡଳର ତାରା-ଖ (ମାୟାବତୀ ବା ଆଲ୍‌ଗଲ୍) ଏହାର ପ୍ରଧାନ ଉଦାହରଣ ।

[[ଫାଇଲ:|359px|page=42]]
ପରାଗୀ ଯୁଗ୍ମ ତାରାର ବଦଳିଲା ଦୀପ୍ତି

ତାରାମାନଙ୍କର ଆଲୋକ ଆସେ ତାଙ୍କ ଦେହରେ ଚାଲିଥିବା ନାଭିକୀୟ ସଂଯୋଜନା ପ୍ରକ୍ରିୟାରୁ । ଉଦଜାନ ପରମାଣୁ ଇନ୍ଧନର ପରମାଣୁକୁ ନେଇ ତାରାରୂ ବାହାରୁ ଥିବା ଶକ୍ତି ବଦଳେ । ଅନେକ କାରଣରୁ କେତେ ତାରାଙ୍କ ଦେହରେ ଇନ୍ଧନର ପରିମାଣ କମୁଥାଏ ଓ ବଢୁଥାଏ । ଫଳରେ ତାରାର ଆଲୋକ ବା ଉଜଳତା ମଧ୍ୟ କମେ ଓ ବଢେ । ଏହି ତାରାମାନଙ୍କୁ ପ୍ରକୃତ ଅସ୍ଥିର ତାରା କୁହାଯାଏ । ଏମାନଙ୍କର ଆଲୋକ ବଦଳିବାର ସମୟ କେତେ