ପୃଷ୍ଠା:Banhi O Bou.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବ‌ହ୍ନି ଓ ବୋଉ

ହଠାତ୍ ତାର ମନେ ହେଲା, କାନ୍ଥ ଉପରକୁ ଉଠିଯାଇ କୋଡିଏ ଦଫା କାର୍ଯ୍ୟକ୍ରମର ପ୍ରଚାରପତ୍ରକୁ ଟିକି ଟିକି କରି ଚିରି ଫିଙ୍ଗିଦେବ, ଆଉ ପାଞ୍ଚଟା ଟଙ୍କା ବଢାଇ ଦେଇ ନିଜର ରିଜର୍ ଭେସନ୍ କିଏ ନେଇ ଆସିବ କିମ୍ବା ସେଇ କଳାବଜାରୀକୁ ଦଶଟି ଟଙ୍କା ଦେଇ ରିଜର୍ ଭେସନ‌ଟିଏ ନେଇ ଆସିବ । ସେଇ ଗୋଟିଏ ଲୋକ ସାଧୂ,ସଚ୍ଚୋଟ ହେଲେ କଣ ହେବ ? ଏହି ମହାନ୍ ଦେଶର ମୁଖ୍ୟସ୍ରୋତ ଯେତେବେଳେ ଅସାଧୁତାର ଜାହ୍ନବୀ ହୋଇ ମାଡ଼ି ଚାଲିଛି, ତାର କ୍ଷୀଣ ପ୍ରତିରୋଧ ସେଥିରେ କୁଆଡ଼େ ଧ୍ୱ‌ଂସ ପାଇଯିବ ବରଂ ସେଇ ମହାସ୍ରୋତରେ ହିଁ ମିଶିଯାଇ ପାରିଲେ ନିଜର ଉଜ୍ଜ୍ୱଳ ହୋଇପାରିବ । ନିଜେ ସୁଖରେ ରହିପାରିବ ।

"ବିନ୍ଦୁଏ ବିନ୍ଦୁଏ ଜଳରୁହିଁ ହୁଏ ମହାସିନ୍ଧୁ, ପିଲାଦିନେ ପଢିଥିବା କେଉଁ ବ‌ହିରୁ ଅସ୍ପଷ୍ଟଭାବରେ ହଠାତ୍ ତା ମନ ମଧ୍ୟରେ ପ୍ରତିଧ୍ୱନିତ ହୋଇଉଠିଲା । ମାତ୍ର ଅମିତାଭ ପଚାରିଲା, ଯଦି ସେଇ ବିନ୍ଦୁଟି ଅନ୍ୟ ବିନ୍ଦୁରେ ମିଶିବା ପୂର୍ବରୁ ପରିଣତ ହୋଇଯାଏ ବାଷ୍ପରେ ।

ନାଁ, ସେକଥା କରିବାକୁ ଦେବନି ସେ । ବିନ୍ଦୁକୁ ବାଷ୍ପରେ ପରିଣତ କରିବାକୁ ଦେବନି ସେ । ବିନ୍ଦୁକୁ ସିନ୍ଧୁରେହିଁ ଯେ ପରିଣତ କରିବ ।

ପୁଣି ଥରେ ଅମିତାଭ ଚାହିଁଲା ୨୦ ଦଫା କାର୍ଯ୍ୟକ୍ରମର ବିଜ୍ଞାପନ ଆଡ଼କୁ । ଇନ୍ଦିରା ହସିଛନ୍ତି; ମାତ୍ର ସେ ହସରେ ଅଛି ଯେତିକି ମଧୁରତା, ସେତିକି ଦୃଢ଼ତା । ସେ ଯେପରି ଆହ୍ୱାନ ଜଣାଉଛନ୍ତି-"ଅମିତାଭ ତୁମେ ଶହ ଶହ, ହଜାର ହଜାର ସଂଖ୍ୟାରେ ଆଗେଇ ଆସ । ଅନ୍ୟାୟର ପ୍ରତିରୋଧ କର । ପ୍ରଗତିର ରଥକୁ ଆଗେଇ ନିଅ । ନିଜକୁ ଅସ‌ହାୟ ମଣନି । ବିନ୍ଦୁ ହୋଇ ନିଜକୁ ବାଷ୍ପରେ ଲୀନ ହୋଇଯିବାକୁ ଦିଅନାହିଁ । ଏକ ମହା ସିନ୍ଧୂର ସର୍ଜନା କର । ଏହି ବିଜ୍ଞାପନର ଅକ୍ଷରଗୁଡ଼ିକୁ ଜୀବନ୍ତ କରିବାରେ ସାହାଯ୍ୟ କର । ତେବେ ଯାଇ ତୁମର ଜୀବନ ସାର୍ଥକ ହେବ । ଆଗେଇ ଆସ..।"

ଅମିତାଭ ଫେରି ଆସୁଥିଲା ବୁକିଁ ଅଫିସରୁ । ଦୀର୍ଘଶ୍ୱାସ ପକାଇ ନୁହେଁ । ଏକ ନୂତନ ସଙ୍କଳ୍ପ ନେଇ ।